ମହଙ୍ଗା ହେବ ବୈଷୟିକ ଶିକ୍ଷା!

୫ରୁ ୩୦% ପର୍ଯ୍ୟନ୍ତ ଫି’ ବଢ଼ାଇବାକୁ ପ୍ରସ୍ତାବ, ୮ରୁ ୧୦ଟି କଲେଜ କରିଛନ୍ତି ଆବେଦନ: ଓପେକା

ଭୁବନେଶ୍ୱର: ମହଙ୍ଗା ହେବ ବୈଷୟିକ ଶିକ୍ଷା। ଇଞ୍ଜିନିୟରିଂ ସମେତ ଏମ୍‌ବିଏ, ଏମ୍‌ସିଏ ପରି ପ୍ରଫେସନାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏଣିକି ଛାତ୍ରଛାତ୍ରୀଙ୍କୁ ଅଧିକ ଫି’ ହେବାକୁ ପଡ଼ିବ। ପୂର୍ବରୁ ଯେତିକି ଟଙ୍କା ଦେବାକୁ ପଡ଼ୁଥିଲା ୨୦୧୮-୧୯ ଶିକ୍ଷାବର୍ଷରୁ ୫ରୁ ୩୦ ପ୍ରତିଶତ ଫି’ ଅଧିକ ହେବାକୁ ହେବ। ଘରୋଇ ପ୍ରଫେସନାଲ କଲେଜଗୁଡ଼ିକ ପକ୍ଷରୁ ଫି’ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମତି ମିଳିଛି। ଖୁବ୍‌ଶୀଘ୍ର ଏହି ନିଷ୍ପତ୍ତିରେ ମୋହର ଲଗାଯିବ ବୋଲି ସୂଚନା ମିଳିଛି। ବୈଷୟିକ ଶିକ୍ଷା ପ୍ରଦାନ ଲାଗି ୮୦ରୁ ଅଧିକ ଘରୋଇ କଲେଜ ରହିଛି। ସେଥିମଧ୍ୟରୁ ପ୍ରମୁଖ କିଛି କଲେଜରେ ସିଟ୍‌ ପୂରଣ ହେଉଥିବା ବେଳେ ଅଧିକାଂଶ କଲେଜରେ ୪୦ ପ୍ରତିଶତ ସିଟ୍‌ ବି ପୂରଣ ହେଉନି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସ୍ଥିତି ଖରାପ ହୋଇଥିବା ବେଳେ ଏମ୍‌ବିଏ, ଏମ୍‌ସିଏ ପରି ପାଠ୍ୟକ୍ରମରେ ବି ସମାନ ଅବସ୍ଥା। ତା’ପରେ ବି ଯେଉଁ କଲେଜ ପ୍ରତି ପିଲାଙ୍କ ଆଗ୍ରହ ରହିଛି, ସମ୍ପୃକ୍ତ କଲେଜ କର୍ତୃପକ୍ଷ ପିଲାଙ୍କଠାରୁ ଅଧିକ ଫି’ ନେବାକୁ ମସୁଧା ଆରମ୍ଭ କରିଦେଇଛନ୍ତି। ରାଜ୍ୟର ଆଗଧାଡ଼ିର ୮ରୁ ୧୦ଟି କଲେଜ ଏଥର ୫ରୁ ୩୦ ପ୍ରତିଶତ ଫି’ ବଢ଼ାଇବାକୁ ସରକାରଙ୍କଠାରୁ ଅନୁମତି ପାଇଛନ୍ତି। ସେହି ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷରୁ କଲେଜଗୁଡ଼ିକ ଫି’ ଆଦାୟ କରିବେ ବୋଲି ଜଣାପଡ଼ିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫି’ ବୃଦ୍ଧି ପାଇଁ କେତେକ କଲେଜ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ଲାଗି ଗତ ମେ’ ୩ରେ ଫି’ ଷ୍ଟ୍ରକଚର୍‌ କମିଟି ବୈଠକ ବସିଥିଲା। ଏଥିରେ ଘରୋଇ ଇଞ୍ଜିନିୟରିଂ/ପ୍ରଫେସନାଲ ଓ ଡିପ୍ଲୋମା ଶିକ୍ଷାନୁଷ୍ଠାନଗୁଡ଼ିକର ଫି’ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ୨୦୧୭ ଜୁଲାଇ ୧୯ରେ ବସିଥିବା ଫି’ ଷ୍ଟ୍ରକ୍‌ଚର କମିଟି ବୈଠକର ନିଷ୍ପତ୍ତି ଉପରେ ବି ଆଲୋଚନା ହୋଇଥିଲା। ଯେଉଁ କଲେଜଗୁଡ଼ିକ ଫି’ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ, ସେମାନଙ୍କ ବିଷୟରେ କେବଳ ବିଚାରବିମର୍ଶ କରାଯାଇ ୮ରୁ ୧୦ଟି କଲେଜର ଫି’ ବଢ଼ାଇବାକୁ ସ୍ଥିର ହୋଇଛି। ପୂର୍ବରୁ ଯେତିକି ଫି’ ରହିଥିଲା, ସେଥିରେ ସର୍ବାଧିକ ୩୦ ପ୍ରତିଶତ ବଢ଼ାଇବାକୁ ଅନୁମତି ଦିଆଯାଇଛି। ଏହି ଫି’ ମଧ୍ୟରେ କର୍ମଚାରୀଙ୍କ କଲ୍ୟାଣ ଖର୍ଚ୍ଚ ବି ରହିବ। ଏମ୍‌ବିଏ ପାଠ୍ୟକ୍ରମରେ ପ୍ରି-ପ୍ଲେସମେଣ୍ଟ ତାଲିମ ପାଇଁ ପୂର୍ବରୁ ୯୬୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହାକୁ ୧୨ ହଜାର ଟଙ୍କାକୁ ବଢ଼ାଇବାକୁ ସ୍ଥିର ହୋଇଛି।

ଅଲ୍‌ ଓଡ଼ିଶା ଟେକ୍ନିକାଲ ଆଣ୍ଡ ପ୍ରଫେସନାଲ ଷ୍ଟୁଡେଣ୍ଟସ୍‌ ଆସୋସିଏସନର ଆବାହକ ବିପ୍ଲବ ପ୍ରକାଶ ମହାନ୍ତି କହିଛନ୍ତି ଯେ ୩୦ ପ୍ରତିଶତ ଫି’ ବୃଦ୍ଧି କରାଯିବା ଦ୍ୱାରା ଏଥର ବି ବହୁ ପରିମାଣ ସିଟ୍‌ ଖାଲି ପଡ଼ିବ। ଗତ ଦୁଇ ବର୍ଷ ତଳେ ମଧ୍ୟ ୩୦ ପ୍ରତିଶତ ଫି’ ବଢ଼ିଥିଲା। ଏହାଦ୍ୱାରା ପ୍ରଫେସନାଲ ପାଠ୍ୟକ୍ରମରେ ପଢ଼ିବା ପାଇଁ ଗରିବ ପିଲାଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏପରିକି ଫି’ ବୃଦ୍ଧି ପୂର୍ବରୁ କଲେଜର ଭିତ୍ତିଭୂମି ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରା ନ ଯାଇ କେଉଁଭଳି ଭାବେ ଫି’ ବୃଦ୍ଧି କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଘରୋଇ କଲେଜ କର୍ତୃପକ୍ଷ ଓ ବିଭାଗୀୟ ଅଧୀକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ (ଓପେକା) ସାଧାରଣ ସମ୍ପାଦକ ବିନୋଦ ଦାଶ କହିଛନ୍ତି ଯେ ପ୍ରତି ତିନି ବର୍ଷରେ ଥରେ ଫି’ ବୃଦ୍ଧି କରାଯାଇଥାଏ। ସେହି ଅନୁଯାୟୀ ଫି’ ଷ୍ଟ୍ରକଚର କମିଟି ବୈଠକରେ ୮ରୁ ୧୦ଟି କଲେଜ ଫି’ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ। ତେଣୁ ସେମାନଙ୍କୁ ଫି’ ବଢ଼ାଇବାକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର