ଏକ୍ସପାରି କୃମି ଔଷଧ ଖାଇ ୩୬ ଶିଶୁ ଅସୁସ୍ଥ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ବର:  କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାରଙ୍କ ଉପରେ ବହୁ ପରିମାଣର କ୍ଷତିପୂରଣ ବୋଝ ଲଦିଛନ୍ତି ଜାତୀୟ ମାନବାଧିକାର କମିଶନ । ୩୬ ଜଣ ଶିଶୁଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ କାହିଁକି ଦିଆ ନ ଯିବ, ସେ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଅର୍ଥାତ୍ ରାଜ୍ୟ ସରକାରଙ୍କୁ ମୋଟ ୩ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ ।

ଏଥିସହିତ ଏହି ଘଟଣାରେ ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ ମସିହା ନଭେମ୍ବର ୫ ତାରିଖରେ ଗରଦପୁର ବ୍ଲକର ଟିକନପୁର ସ୍କୁଲରେ ଆଶା କର୍ମୀ ଓ ଏଏନ୍ଏମ୍ ମାନେ ପିଲାମାନଙ୍କୁ କୃମି ନାଶକ ସିରପ ଦେଇଥିଲେ । ଏହାକୁ ଖାଇବା ପରେ ବେହୁଲା ଗାଁର ୧ ବର୍ଷ ବୟସରୁ ୧୦ ବର୍ଷ ବୟସର ୩୬ ଜଣ ପିଲା ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କର ବାନ୍ତି ହେବା ସହ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା ଓ ଜ୍ୱର ଆଦି ଲକ୍ଷଣ ଦେଖା ଦେଇଥିଲା । ପରେ ଜଣାପଡିଲା ଶିଶୁମାନଙ୍କୁ ଦିଆଯାଇଥିବା କୃମିନାଶକ ସିରପର ବୈଧ ତାରିଖ ସମାପ୍ତ ହୋଇସାରିଛି ।

Image result for human rights commission
image source-indiatoday

ବିଭାଗୀୟ କର୍ମଚାରୀଙ୍କ ମନୋଭାବ ଯୋଗୁଁ ଏଭଳି ଘଟିଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ । ଦୋଷୀ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ସହ ଶିଶୁମାନଙ୍କୁ କ୍ଷତିପୂରଣ ରାଶି ଦେବାକୁ କମିଶନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କମିଶନ ଏହାର ବିଚାର କରି ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିବା ସହ ଏହି ଘଟଣାରେ ବିଭାଗ କି ପଦକ୍ଷେପ ତାହା ଜଣାଇବାକୁ ନିର୍ଦ୍ଦଶେ ଦେଇଥିଲେ । ବିଭାଗୀୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା ଯେ ପିଲାମାନଙ୍କୁ ଦିଆଯାଇଥିବା ଆଲବେଣ୍ଡାଜୋଲ୍ ସିରପ୍ର ବୈଧ ତାରିଖ ସମାପ୍ତ ହୋଇଯାଇଥିଲା । କିନ୍ତୁ ବିଭାଗୀୟ ଅଫିସରଙ୍କୁ ଘଂଟ ଘୋଡାଇବା ଲାଗି ଏଥିପାଇଁ ପରେ ଦିଆଯାଇଥିବା ରିପୋର୍ଟରେ ବିଭିନ୍ନ ଯୁକ୍ତି ଦର୍ଶାଯାଇଥିଲା । ଏଇ ନିକଟରେ ସରକାର ଦେଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଏଏନଏମ୍ ଓ ଆଶାକର୍ମୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହା ହୋଇଥାଇପାରେ । କିନ୍ତୁ ଏହାକୁ କମିଶନ ଅଗ୍ରାହ୍ୟ କରି କହିଛନ୍ତି ଯେ ପିଲାମାନଙ୍କୁ କେଉଁ ଔଷଧ ଦିଆଯିବା, ସେ ନିଷ୍ପତି ନେବା ଡାକ୍ତର ଓ ମେଡିକାଲ ଅଫିସରଙ୍କର । ତେଣୁ ଔଷଧର ବୈଧ ତାରିଖ ରହିଛି କି ନାହିଁ, ତାହା ମଧ୍ୟ ଯାଂଚ୍ କରିବା ସେମାନଙ୍କ ଦାୟିତ୍ୱ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ସେହିପରି ସରକାରୀ ରିପୋର୍ଟରେ କୁହାଯାଇଥିଲା ଗାଁର କିଛି ଲୋକ ଏହି ଏକ୍ସପାରି ଔଷଧ ମିଶାଇ ଦେଇଥାଇପାରନ୍ତି । କମିଶନ ସରକାରଙ୍କ ଏହି ଉଦ୍ଭଟ ଯୁକ୍ତିକୁ ଖାରଜ କରି କହିଛନ୍ତି କୌଣସି ଗାଁର ଲୋକେ ସେମାନଙ୍କର ଶିଶୁଙ୍କୁ ଏକ୍ସାପାରି ଔଷଧ ଦିଆଯାଉ ବୋଲି ଚାହିଁବେ ନାହିଁ । କମିଶନ ତାଙ୍କ ଶୁଣାଣୀରେ କହିଛନ୍ତି ଯେ ସରକାରୀ ଅବେହଳା ଯୋଗୁଁ ଶିଶୁମାନଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଛି ଓ ସେମାନେ କ୍ଷତିପୂରଣ ପାଇବାକୁ ହକଦାର । ତେଣୁ ସରକାର ୩୬ ଜଣ ଶିଶୁଙ୍କୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଁଏ ଅର୍ଥାତ୍ ମୋଟ୍ ୩ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ କାହିଁକି ନଦେବେ, ସେ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୬ ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କମିଶନଙ୍କ ଏଭଳି କଡା ଆଭିମୁଖ୍ୟ ଯୋଗୁଁ ସରକାରୀ ମହଲରେ ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର