ପେଷି ହେଉଛନ୍ତି ଗରିବ ଲୋକେ, ନେତାଏ ଚୁପ୍‌

ଚିଟଫଣ୍ଡ ଠକେଇରୁ ଆରମ୍ଭ କରି ରାସନ କାର୍ଡ ପର୍ଯ୍ୟନ୍ତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗରିବ ଲୋକ କେତେବେଳେ ଠକେଇର ଶିକାର ତ କେତେବେଳେ ସରକାରୀ ଯୋଜାନରେ ସାମିଲ ନହେବା ଏକ ନିତିଦିନିଆ ଘଟଣା। ବିଭିନ୍ନ ସରକାରୀ ଯୋଜାନରେ ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ଗରିବ ଲୋକେ ବାଦ ପଡ଼ିବା ବିଭିନ୍ନ ସମୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ବିଶେଷ କରି ୬ ବର୍ଷ ମଧ୍ୟରେ ଜିଲ୍ଲାର ଗରିବ ଲୋକ ଚିଟଫଣ୍ଡର ଶିକାର ପାଲଟିଥିଲେ। ଜିଲ୍ଲାରେ ଏକାଧିକ ଅଣବ୍ୟାଙ୍କିଂ ସଂସ୍ଥା ବିଭିନ୍ନ ସ୍ଥାନରେ ଶାଖା ଖୋଲି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। ଏହି ଜମାକାରୀଙ୍କ ଭିତରେ ପ୍ରାୟତଃ ଗରିବ ଲୋକେ ଅଛନ୍ତି। ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ପ୍ରଲୋଭନର ଶିକାର ହୋଇ ବିଭିନ୍ନ ଚିଟଫଣ୍ଡ ସଂସ୍ଥାମାନଙ୍କୁ ଜମା କରିଥିଲେ। ୨୦୧୩ ମଇ ୧୦ ତାରିଖ ଦିନ ଜିଲ୍ଲାରେ ପୁଲିସର ୫ଟି ଦଳ ସହରର ୫ଟି ଅଣ ବ୍ୟାଙ୍କିଂ ସଂସ୍ଥା ସମୃଦ୍ଧ ଜୀବନ ଫୁଡ୍‌ସ ଇଣ୍ଡିଆ ଲିମିଟେଡ, ଗ୍ରିନରେ ଇନ୍ଟରନେସନାଲ, ରାମେଲ ଇଣ୍ଡଷ୍ଟ୍ରିଜ, ରୋଜ ଭେଲି, ସାହାର ଇଣ୍ଡିଆ ଚଢଉ କରିବା ପରେ ଲୋକେ ବିଭନ୍ନ ଉପାୟରେ ଠକେଇର ଶିକାର ପାଲଟିଥିବା ଜଣା ପଡ଼ିଥିଲା। ଏଥିସହିତ ଫ୍ଲୋରିସ ଇଣ୍ଡିଆ ମଧ୍ୟ ଜିଲ୍ଲାରୁ କୋଟିକୋଟି ଟଙ୍କା ଠକି ନେଇଥିଲା। ଫ୍ଲୋରିସ ଇଣ୍ଡିଆର ଏଜେଣ୍ଟ, ଜମାକାରୀମାନେ ଏନେଇ ବିକ୍ଷୋଭ ମଧ୍ୟ କରିଥିଲେ।

କିନ୍ତୁ ଏହି ଚିଟଫଣ୍ଡ ସଂସ୍ଥାମାନେ ଆସିବା ପୂର୍ବରୁ ଜିଲ୍ଲାରେ ଏମ ଫାଇନାନ୍ସ ତଥା ଏକ ନେଟଓ୍ଵାର୍କ ସଂସ୍ଥା ଫାଇନ ଇଣ୍ଡିଆ ମଧ୍ୟ କୋଟି କୋଟି ଟଙ୍କା ଲୋକଙ୍କଠାରୁ ଠକି ନେଇଥିଲେ। ରାଜ୍ୟ ଘରୋଇ ବିଭାଗ ୨୦୦୪ ରେ ଅର୍ଥ ଲଗାଣକାରୀ ସଂସ୍ଥା ଉପରେ କଡ଼ା ନଜର ରଖିବାକୁ ଅତିରିକ୍ତ ପୁଲିସ ନିର୍ଦ୍ଦେଶକ, ସିଆଇଡି ଏବଂ କ୍ରାଇମ ବ୍ରାଞ୍ଚକୁ ପରାମର୍ଶ ଦେଇଥିଲେ। ଏପରିକି ଏହାର ନକଲ ରାଜ୍ୟ ଅର୍ଥ ବିଭାଗ ତଥା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ତଥା ଏସପି ମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି ଚିଠି ଅନୁଯାଇ ସେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ୪୨ଟି ଅର୍ଥ ଲଗାଣକାରୀ ସଂସ୍ଥାର ପଂଜିକରଣ ଆବେଦନକୁ ଅଗ୍ରାହ୍ୟ କରିଦେଇଥିବା ଉକ୍ତ ପତ୍ରରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ଏହି ପତ୍ରକୁ ବହୁ ବର୍ଷ ଧରି ସରକାର କିମ୍ବା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆନଯିବା ଫଳରେ ସାରା ରାଜ୍ୟରେ ଏହି ଚିଟଫଣ୍ଡ ସଂସ୍ଥା ଗୁଡିକ ନିଜର ବେପାର ଗରିବ ଲୋକଙ୍କୁ ଠକି ବଢେଇ ଚାଲିଥିଲେ।

ସୁବର୍ଣ୍ଣପୁର ଜିଲ୍ଲାରେ ଗରିବ ଜମାକାରୀଙ୍କ ସଂଖ୍ୟା ଅଧିକ। ଗରିବଙ୍କୁ ଟଙ୍କା ଫେରାଇବା ପାଇଁ କମିସନ ବସାଇଛନ୍ତି ସରକାର ଆବଶ୍ୟକ କାଗଜ ପତ୍ର ମଧ୍ୟ ମାଗିଛନ୍ତି ତେବେ ଏମାନେ ସେମାନଙ୍କର ଟଙ୍କା ଫେରି ପାଇବେ କିନାହିଁ ତାହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ବିଳମ୍ବ ପ୍ରକ୍ରିୟା ଯୋଗୁଁ ଲୋକଙ୍କଠାରୁ ଆସ୍ଥା ମଧ୍ୟ ତୁଟିବାରେ ଲାଗିଲାଣି। ଏହି ଚିଟ ଫଣ୍ଡ ସଂସ୍ଥା ବିରୋଧରେ ଗତ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ବିରୋଧୀ ଦଳ ଗୁଡିକ ରାଜରାସ୍ତାକୁ ଆସିଥିଲେ ତେବେ ନିର୍ବାଚନ ସରିଯିବା ପରେ ଏମାନଙ୍କ ସ୍ୱର ମଧ୍ୟ ନରମି ଯାଇଛି। ଚଟିଫଣ୍ଡରେ ଗରିବ ଲୋକେ ଶିକାର ପାଲଟିଥିବାବେଳେ ଏବେ ଜିଲ୍ଲାରେ ରାସନ କାର୍ଡରୁ ଗରିବ ଲୋକେ ବାଦ ପଡିବା ସମସ୍ତଙ୍କୁ ଚକିତ କରିଛି। ଜିଲ୍ଲାରେ ରାସନ କାର୍ଡ ବଣ୍ଟନରେ ଅନିୟମିତତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

ଜିଲ୍ଲାରେ ୪ ଲକ୍ଷ ୮୮ ହଜାର ୪୬୯ଜଣକୁ ରାସନ କାର୍ଡ ପ୍ରଦାନ କରାଯିବା ଲକ୍ଷ୍ୟ ରହିଥିଲା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୩ ହଜାର ୯୫୮ ଜଣଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଆହୁରି ୪ ହଜାର ୫ ଅହରୁ ଅଧିକ ଗରିବ ଲୋକ ରାସନ କାର୍ଡ ପାଇବା ଅପେକ୍ଷାରେ ଅଛନ୍ତି। ରାଜନେତାଙ୍କ ହସ୍ତକ୍ଷେପ ଯୋଗୁଁ ଜିଲ୍ଲାରେ ଗରିବ ଲୋକେ ବିଭିନ୍ନ ଯୋଜାନରୁ ବଂଚିତ ହେଉଥିବା ଜଣାପଡ଼ିଛି। ବିଭିନ୍ନ ପରିସ୍ଥିତିରେ ପେଶି ହୋଇଯାଉଛନ୍ତି। ଗରିବ ଲୋକେ ସେମାନଙ୍କ କଥା ଶୁଣିବାକୁ ଜିଲ୍ଲାରେ ଆଗକୁ ଆସୁନାହାନ୍ତି ରାଜନେତା। କେବଳ ନିର୍ବାଚନ ପାଖେଇଲେ ଏସବୁକୁ ପ୍ରସଙ୍ଗ କରି ବିରୋଧୀ ଦଳ ଗୁଡିକ ଆନ୍ଦୋଳନ କରୁଛନ୍ତି ଏହାର ପଛରେ କେବଳ ଭୋଟ ହାତେଇବା ଲକ୍ଷ୍ୟ ଅନ୍ୟ କିଛି ନାହିଁ।

ସମ୍ବନ୍ଧିତ ଖବର