ସୋନାପଦରରୁ ବିସ୍ଫୋରକ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତ ଅନ୍ତର୍ଗତ ସୋନାପଦର ଗ୍ରାମରେ ନକ୍ସଲ ଲୁଚାଇ ରଖିଥିବା ବିସ୍ଫୋରକ ଜବତ କରାଯାଇଛି। ଗୋଟିଏ ପୋଲ ତଳେ ଏହି ବିସ୍ଫୋରକ ବ୍ୟାଗ୍ ଭିତରେ ଭର୍ତି କରି ରଖାଯାଇଥିଲା। ଆଗକୁ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରି ନକ୍ସଲ ଏହାକୁ ରଖିଥିଲେ। ତେବେ ବିଏସଏଫ ଯବାନଙ୍କ ସତର୍କତା ଯୋଗୁଁ ତାହାକୁ ଠାବ୍ କରି ଜବତ କରାଯାଇଛି। ସୂଚନା ଅନୁଯାୟୀ, ବିଏସଏଫ ବାଟାଲିୟନର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁରେନ୍ଦ୍ର ନିତରଵାଲଙ୍କ ନେତୃତ୍ବରେ ଆଜି ଗୋଟିଏ ଟିମ୍ କମ୍ବିଂ ଅପରେସନରେ ବାହାରିଥିଲା। ସୋନାପଦର ଜଙ୍ଗଲ ନିକଟରେ ଥିବା ପୋଲ ଆଖପାଖ ଅଞ୍ଚଳକୁ ଯବାନମାନେ ଛାନଭିନ୍ କରିଥିଲେ। ବହୁ ସମୟ ଧରି ଖୋଜା‌ଖୋଜି ପରେ ପୋଲ ତଳେ ଗୋଟିଏ ବ୍ୟାଗ୍ ଝୁଲି ରହିଥିବା ଯବାନଙ୍କ ନଜରକୁ ଆସିଥିଲା। ଅତି ସତର୍କତାର ସହ ବ୍ୟାଗକୁ ବାହାର କରି ଯାଞ୍ଚ କରିବାରୁ ସେଥିରୁ ଜିଲୋଟିନ, ବିଦ୍ୟୁତ ତାର ଆଦି ବାହାରିଥିଲା। ସମସ୍ତ ବିସ୍ଫୋରକ ସାମଗ୍ରୀକୁ ନିକଟସ୍ଥ ବିଏସଏଫ କ୍ୟାମ୍ପକୁ ନିଆଯାଇଛି।

ସମ୍ବନ୍ଧିତ ଖବର