ରଥଯାତ୍ରା ପାଇଁ ଅଧିକ ୬ ପ୍ଲାଟୁନ୍‌ ଫୋର୍ସ

ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ

ପୁରୀ: ସ୍ନାନପୂର୍ଣ୍ଣିମା ଆଉ ମାତ୍ର ୯ ଦିନ ରହିଥିବା ବେଳେ ଆଜି ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ପୁରୀଠାରେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଆଉ ଅଧିକ ୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଡିଜିଙ୍କ ସୂଚନା ମୁତାବକ, ଗତବର୍ଷ ରଥଯାତ୍ରାରେ ୧୩୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜନ କରାଯାଇଥିବା ବେଳେ ଏ ବର୍ଷ ୧୩୮ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ କରାଯିବ। ସ୍ନାନପୂର୍ଣ୍ଣିମାରେ ଜନଗହଳି ନିୟନ୍ତ୍ରଣ, ରଥଟଣା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ, ଭିଆଇପି ସୁରକ୍ଷା ଏବଂ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ବିସ୍ତତ ଆଲୋଚନା କରାଯାଇଥିଲା। ରଥଯାତ୍ରାରେ ଜନଗହଳି ନିୟନ୍ତ୍ରଣ ପାଇଁ ପୁରୀ ସହରାଞ୍ଚଳକୁ ଚାରୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଏକ ନମ୍ବର ଜୋନ୍‌ରେ ଶ୍ରୀମନ୍ଦିର ଏବଂ ଏହାର ଚାରିକଡ଼କୁ ରଖାଯାଇଥିବା ବେଳେ ଦୁଇ ନମ୍ବର ଜୋନ୍‌ରେ ସିଂହଦ୍ୱାର ସମ୍ମୁଖରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ ଲମ୍ବିଥିବା ବଡ଼ଦାଣ୍ଡକୁ ରଖାଯାଇଛି। ସେହିପରି ବଡ଼ଦାଣ୍ଡର ବାମ ପାର୍ଶ୍ୱ ଚୈତନ୍ୟ ଛକରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ତିନି ନମ୍ବର ଜୋନ୍‌ ଏବଂ ଦକ୍ଷିଣ ପାର୍ଶ୍ୱ ମଙ୍ଗଳାଘାଟ ବ୍ରିଜ୍‌ରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଚତୁର୍ଥ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସିଂହଦ୍ଵାରଠାରୁ ମାର୍କେଟ୍‌ ଛକ ମଧ୍ୟରେ ବଡ଼ଦାଣ୍ଡରେ ପୁଲିସର ୮ଟି ଏମରଜେନ୍‌ସି ରେସ୍‌ପନ୍ସ ଟିମ୍‌ ରହିବ। ସିଂହଦ୍ଵାରଠାରୁ ମାର୍କେଟ୍‌ ଛକ ଯାଏ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଗଳିଗୁଡ଼ିକୁ ସିଲ୍‌ କରିଦିଆଯିବ। ଏମରଜେନ୍‌ସି ରେସ୍‌ପନ୍ସ ଟିମ୍‌ ଜରୁରୀକାଳୀନ ପରିସ୍ଥିତି ସମୟରେ ବଡ଼ଦାଣ୍ଡରୁ ଭକ୍ତମାନଙ୍କୁ ଏହି ଗଳିବାଟ ଦେଇ ଖାଲି କରାଇବେ। ଚଳିତ ବର୍ଷ ଟ୍ରାଫିକ୍‌ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ତେବେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ଯଦି ବଡ଼ଦାଣ୍ଡରେ ରଥଗୁଡ଼ିକ ରହିଯାଏ ତେବେ ସେଠାରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ରହିବେ ବୋଲି ଡିଜି ସୂଚନା ଦେଇଥିଲେ।

ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ଗାଡ଼ିଗୁଡ଼ିକ ବିଭିନ୍ନ ଅସ୍ଥାୟୀ ପାର୍କିଂସ୍ଥଳୀରେ ରହିବେ। ବ୍ରହ୍ମଗିରି ରାସ୍ତା ଶାମୁକା ରୋଡ୍‌ ନିକଟରେ ଚଳିତ ବର୍ଷ ପାର୍କିଂସ୍ଥଳୀ କରାଯିବ ନାହିଁ। ଅନ୍ୟପକ୍ଷରେ ପୁରୀ କୋଣାର୍କ ରୋଡ୍‌ର ପାୱାର ହାଉସ୍‌ ଛକ ପୂର୍ବରୁ କୌଣସି ଗାଡ଼ି ପାର୍କିଂ କରିପାରିବେ ନାହିଁ। ନାଗପାଟଣାରେ ଏ ବର୍ଷ ଗାଡ଼ିପାର୍କିଂକୁ ବନ୍ଦ ରଖାଯାଇଛି। ବୈଠକରେ ଡିଜିଙ୍କ ସହିତ ଅତିରିକ୍ତ ଡିଜି ଅରୁଣ ରାୟ, ଆଇଜି ସଞ୍ଜୀବ ପଣ୍ଡା, ଅମିତାଭ ଠାକୁର, ସୌମେନ୍ଦ୍ର ପ୍ରିୟଦର୍ଶୀ, ରେଳବାଇ ଏସ୍‌ପି ବନବିହାରୀ ସାହୁ, ୱେୟାରଲେସ୍‌ ଏସପି ଡି. ଦାସ, ଷଷ୍ଠ ବାଟାଲିଆନ୍‌ କମାଣ୍ଡାଣ୍ଟ ଲିଙ୍ଗରାଜ ପରିଡ଼ା, ଟ୍ରାଫିକ୍‌ ଏସ୍‌ପି କୃଷ୍ଣ ସାମଲଙ୍କ ସମେତ ପୁରୀ ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଓ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର