ରାଜ୍ୟରେ ହେବ ଚକ୍ଷୁ ରୋଗ ସର୍ବେକ୍ଷଣ

ବିକଶିତ ହେବ ଏସ୍‌ସିବି ମେଡିକାଲ କଲେଜର ଚକ୍ଷୁ ବିଭାଗ

ଭୁବନେଶ୍ବର : ରାଜ୍ୟରେ ଚକ୍ଷୁ ରୋଗ ସଂପର୍କରେ ପାଇଲଟ୍ ବେସିସ୍‌ରେ ସର୍ବେକ୍ଷଣ କରାଯିବ। ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ୫୦ଟି ଭିଜନ୍‌ କେନ୍ଦ୍ର ସ୍ଥାପନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଏସବୁ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

ରାଜ୍ୟରେ ଆରମ୍ଭ ହୋଇଥିବା ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ଗଠିତ ହୋଇଥିବା କ୍ଷମତାପନ୍ନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ‘ସୁନେତ୍ର’ ଯୋଜନା ମାଧ୍ୟମରେ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରି ଏହାକୁ ବ୍ୟାପକ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ନିର୍ଧାରିତ ସମୟ ଭିତରେ ଅନ୍ଧତ୍ବ ଦୂରୀକରଣ ଲକ୍ଷ୍ୟ ହାସଲ ଓ ଉନ୍ନତମାନର ଚକ୍ଷୁ ଚିକିତ୍ସା ସୁବିଧା, ଚଷମା ଯୋଗାଇଦେବା ସଂପର୍କରେ ଆଲୋଚନା ହୋଇଛି। ୧୦ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ଖୋଲାଯିବ। ଏନେଇ ପ୍ରସ୍ତୁତିକୁ ତ୍ବରାନ୍ବିତ କରାଯାଉଛି। ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷାକୁ ବ୍ୟାପକ କରାଯିବ। ଏହାସହ ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ଡିଜିଟାଲ କରାଯିବା ପାଇଁ ୱେବ ପୋର୍ଟାଲ, ମୋବାଇଲ ଆପ୍ ଓ ଇଲେକଟ୍ରୋନିକ୍ ମେଡିକାଲ ରିପୋର୍ଟ ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା ହୋଇଛି। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଭାଗକୁ ଆଞ୍ଚଳିକ ଦୃଷ୍ଟି ବିଜ୍ଞାନ ପ୍ରତିଷ୍ଠାନର ମାର୍ଗଦର୍ଶିକା ଅନୁଯାୟୀ ବିକଶିତ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି।

ରାଜ୍ୟ ଔଷଧ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କ୍ଷମତାସଂପନ୍ନ କମିଟିର ଅଧ୍ୟକ୍ଷ ଡା. ଟି.ପି ଦାଶ, ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ସ୍ବତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା, ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଏସ୍‌ସିବି ମେଡିକାଲ କଲେଜ, ଏମ୍‌କେସିଜି ମେଡିକାଲ କଲେଜର ଚକ୍ଷୁ ବିଭାଗର ପ୍ରଫେସର ଓ ସୁନେତ୍ର କାର୍ଯ୍ୟକ୍ରମ ପରିଚାଳକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର