ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦୦ ଜଣଙ୍କ ଉପରେ ନଜର, ସତର୍କ ନ ହେଲେ ରାଜ୍ୟରେ କରୋନା ସଂକ୍ରମଣ ୩୬ ହଜାର ଛୁଇଁପାରେ

ଭୁବନେଶ୍ବର : ବିଦେଶରୁ ରାଜ୍ୟକୁ ଫେରିଥିବା ୩୮୬୧ଜଣ ବ୍ୟକ୍ତି ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ନିଜର ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣ ବ୍ୟକ୍ତିଙ୍କ ନିକଟରେ କରୋନାର କିଛି ଲକ୍ଷଣ ରହିଥିବା ସନ୍ଦେହ କରାଯାଉଛି। ଏହା ନୁହେଁ ଯେ ସେମାନେ କରୋନା ଆକ୍ରାନ୍ତ ବା ପଜିଟିଭ୍। ସରକାର କିନ୍ତୁ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଯାହା ପଦକ୍ଷେପ ଆବଶ୍ୟକ, ତାହା ରାଜ୍ୟ ସରକାର ଗ୍ରହଣ କରିବେ। ଆଜି ଏଭଳି ଚମକାଇ ଦେବା ଭଳି ତଥ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିଛନ୍ତି କୋଭିଡ୍‌-୧୯ ପାଇଁ ନିଯୁକ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଯଦି ଲକ୍ ଡାଉନ୍‌କୁ କଡ଼ାକଡ଼ି ନ କରାଯାଏ ତେବେ ଆସନ୍ତା ମେ ୩୧ତାରିଖ ସୁଦ୍ଧା ଦେଶରେ ଅତିକମ୍‌ରେ ୫୮୬୪୩ଜଣ ବ୍ୟକ୍ତି କରୋନା ସଂକ୍ରିମତ ହେବେ। ବିଶ୍ବାସ ଯୋଗ୍ୟ ଆକଳନ ଅନୁସାରେ ଏହା ୧୦ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ। ସେହିପରି ଓଡ଼ିଶାର ଲୋକସଂଖ୍ୟାକୁ ନଜରରେ ରଖିଲେ ଏହି ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅତିକମ୍‌ରେ ୨୩୪୫ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହେବେ ଓ ଆକଳନ ଅନୁସାରେ ଏହି ସଂଖ୍ୟା ୩୬ହଜାରରେ ପହଞ୍ଚି ଯାଇପାରେ। ଆର୍ଥିକ କ୍ଷେତ୍ରରେ କରୋନାର ବ୍ୟାପକ ପ୍ରଭାବ ପଡ଼ିବ। ତେଣୁ ଏବେର ସମୟ ପ୍ରାଣ ବଞ୍ଚାଇବାର ସମୟ।

ସେହିପରି ଆଜି ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୧୧୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ତହିଁରୁ ୨ଟି ନମୁନା ପଜିଟିଭ୍ ରହିଥିବା ବେଳେ କୌଣସି ନୂତନ ମାମଲା ସାମ୍ନାକୁ ଆସି ନାହିଁ। ଯେଉଁ ଦୁଇ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଉଭୟ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି। ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଏବେ ସୁଦ୍ଧା ୫୭ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୪ଜଣଙ୍କ ସହ ଯୋଗାଯୋଗ ହୋଇପାରିଥିବା ବେଳେ ଅନ୍ୟ ୩ଜଣଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା ଜାରି ରହିଛି। ୯ଟି ମନିଟରିଂ ଦଳ ଏଥିପାଇଁ କାର୍ଯ୍ୟ କରୁଛନ୍ତି। କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ, କୋଭିଡ୍‌-୧୯ ପରି ଲକ୍ଷଣ ହେତୁ ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀମାନେ ୧୪ ଦିନ ପାଇଁ କର୍ମସ୍ଥଳୀ ତ୍ୟାଗ କରି ଘରୋଇ ସ‌ଙ୍ଗରୋଧ ବା କ୍ବାରାଣ୍ଟିନ୍‌ରେ ରହିପାରିବେ। ବହୁମୂତ୍ର, ନିଃଶ୍ବାସ ପ୍ରଶ୍ବାସରେ ସମସ୍ୟା, ବୃକକ୍‌ଜନିତ ରୋଗ, ହୃଦରୋଗ ଓ ଅନ୍ୟାନ୍ୟ ଜୀବନ କ୍ଷତିକାରକ ଅସୁସ୍ଥତାରେ ଥିବା ୫୦ ବର୍ଷରୁ ଊର୍ଧ୍ବ କର୍ମଚାରୀମାନେ ବିନା ଡାକ୍ତରୀ ପ୍ରମାଣପତ୍ରରେ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଛୁଟି ନେଇପାରିବେ।

ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ବଳରେ ଏମ୍‌ଏଲ୍‌ଏ ଲାଡ୍‌ ପାଣ୍ଠି-୧୯୯୭ର ମଞ୍ଜୁରି ପାଇଁ ରହିଥିବା ନିୟମାବଳୀ ଓ ପଦ୍ଧତି‌ରେ କୋଭିଡ୍‌-୧୯କୁ ପ୍ରତିହତ କରିବା ଲାଗି ବିଭିନ୍ନ କାର୍ଯ୍ୟକଳାପ ପାଇଁ ଆବଶ୍ୟକ ମାନବ ସମ୍ବଳ ସୁବିଧା, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ସାମଗ୍ରୀ ସଂହରଣ, ସ୍ବାସ୍ଥ୍ୟ ଶିବିର ପାଇଁ ଶୌଚାଳୟ ସମେତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ, ରୋଗୀଙ୍କ ପରିବହନ ପାଇଁ ଆମ୍ବୁଲାନ୍‌ସ ଓ ଅନ୍ୟାନ୍ୟ ଯାନବାହନ ବନ୍ଦୋବସ୍ତ, ଖାଦ୍ୟ, ପାନୀୟ ଜଳ, ପରିଚ୍ଛନ୍ନତା ଓ କର୍ମଚାରୀ ନିୟୋଜନ ତଥା ଆ‌ଇସୋଲେସନ୍‌ କେନ୍ଦ୍ରଗୁଡ଼ିକ ପାଇଁ ବିଭିନ୍ନ ସୁବିଧା ପାଇଁ ବ୍ୟବସ୍ଥା ସାମିଲ ରହିଛି। ରାଜ୍ୟ ସରକାର ଏକ ବିଜ୍ଞପ୍ତି ବଳରେ ରାଜ୍ୟରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିଛନ୍ତି। କେବଳ ସ୍ବାସ୍ଥ୍ୟସେବା ଓ କୋଭିଡ୍‌-୧୯ ସଂପୃକ୍ତ ନିର୍ମାଣ କାର୍ଯ୍ୟ ଜାରି ରହିବ। ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପେନସନ୍‌ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ଆଦେଶନାମା ଜାରି କରିଛନ୍ତି। ସମସ୍ତ ଜିଲ୍ଲାପାଳ ଓ ମାଜି‌ଷ୍ଟ୍ରେଟ୍, ସମସ୍ତ ପୌରାଞ୍ଚଳ କମିସନର୍‌ ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଆବଶ୍ୟକ ହେଲେ, ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ଏଥିରେ ନିୟୋଜିତ କରାଯାଇପାରିବ। ଯେଉଁ କର୍ମଚାରୀଙ୍କ ବଦଳି କରାଯାଇଛି, ସେମାନେ ତୁରନ୍ତ ୪୮ଘଣ୍ଟା ଭିତରେ ନୂତନ କାର୍ଯ୍ୟସ୍ଥଳୀରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ବ୍ୟତିକ୍ରମ କଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ଶ୍ରୀ ବାଗଚୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର