‘ମୋଦିଙ୍କ ପ୍ରମୁଖ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଫେଲ୍‌’

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବହୁ ଆଡ଼ମ୍ବରରେ ଉଦ୍‌ଘାଟିତ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ବିଫଳ ହୋଇଥିବା ରାଜ୍ୟ କଂଗ୍ରେସ ସୂଚନା ଅଧିକାର ବିଭାଗ ଅଧ୍ୟକ୍ଷ ତଥା ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ଦେଇଥିବା ତଥ୍ୟ ଅନୁସାରେ, ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ କୋଟି ୯୬ ଲକ୍ଷ, ୧୬-୧୭ ବର୍ଷରେ ମାତ୍ର ୧୬ ଲକ୍ଷ ଓ ୧୭-୧୮ରେ ୨ କୋଟି ୧୬ ଲକ୍ଷ ଲୋକଙ୍କୁ ପଞ୍ଜୀକରଣ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୨୦୧୫-୧୬ ଆର୍ଥିକ ବର୍ଷରେ ୯ କୋଟି ୪୩ ଲକ୍ଷ, ୧୬-୧୭ରେ ମାତ୍ର ୬୧ ଲକ୍ଷ ଓ ୧୭-୧୮ରେ ୩ କୋଟି ୩୨ ଲକ୍ଷ ଲୋକଙ୍କୁ ଯଥାକ୍ରମେ ପଞ୍ଜୀକରଣ କରାଯାଇଥିଲା। ପ୍ରଥମ ବର୍ଷ ଅପେକ୍ଷା ଏହି ପଞ୍ଜୀକରଣ ସଂଖ୍ୟା ପରବର୍ତ୍ତୀ ବର୍ଷରେ ହ୍ରାସ ପାଇବାରେ ଲାଗିଛି। ଯାହାକି ଏହି ଯୋଜନାର ବିଫଳତାକୁ ସୂଚାଇ ଦେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ପ୍ରାୟ ୩୧ କୋଟି ଲୋକ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହି ଦୁଇଟି ବହୁଳ ପ୍ରଚାର ବୀମା ଯୋଜନାରେ ବହୁ କମ ଲୋକ ସାମିଲ ହୋଇଥିବା କହିଛନ୍ତି ଶ୍ରୀ ପଣ୍ଡା। ଗତ ତିନି ବର୍ଷରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସମୁଦାୟ ୫ କୋଟି ୨୮ ଲକ୍ଷ ଲୋକଙ୍କୁ ପଞ୍ଜୀକରଣ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୧୩ କୋଟି ୩୬ ଲକ୍ଷ ଲୋକଙ୍କୁ ପଞ୍ଜୀକରଣ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ସେହିପରି ଗତ ତିନି ବର୍ଷରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବୀମା କ୍ଲେମ ଅନୁପାତରେ ବୀମା ରାଶି ପ୍ରଦାନ ୯୦ ପ୍ରତିଶତରୁ କମ୍‌ ରହିଛି। ଦେଶର ସମସ୍ତ ବୀମା କମ୍ପାନିର ବୀମା ପ୍ରଦାନ ହାରରୁ ଏହା କମ। ଭାରତୀୟ ଜୀବନ ବୀମା ନିଗମର ବୀମା କ୍ଲେମ ଅନୁପାତରେ ବୀମା ରାଶି ପ୍ରଦାନ ହାର ୯୮ ପ୍ରତିଶତରୁ ଅଧିକ ରହିଛି। କିନ୍ତୁ ଗରିବ ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ବହୁ ଲୋକ ବୀମା ରାଶି ନପାଇବା ସରକାରଙ୍କ ବଡ଼ ବିଫଳତାକୁ ସୂଚାଇ ଦେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ମୋଦି ସରକାର ଗରିବଙ୍କ ବିକାଶ ଚିନ୍ତା କରୁଥିବା କେବଳ ପ୍ରଚାରରେ ସୀମିତ, କାର୍ଯ୍ୟରେ ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର