୧୨ହଜାର ଟଙ୍କାର ପାଇଖାନା ଯୋଜନାରେ ୨ହଜାର ‘ପିସି’

ନରସିଂହପୁରରେ ସ୍ୱଚ୍ଛ ଭାରତ ଅଭିଯାନର ବିକଳ ଚିତ୍ର

କଟକ : ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ମାଧ୍ୟମରେ ଚାଲିଥିବା ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି ଆଠଗଡ ଉପଖଣ୍ଡରେ। ଉପଖଣ୍ଡର ୪ଟି ବ୍ଳକ୍‌ରେ ୨୦୧୭-୧୮ଆର୍ଥିକ ବର୍ଷରେ ୪୦ ହଜାର୬୨୭ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୫ପ୍ରତିଶତ ପାଇଖାନା ନିର୍ମାଣ ହୋଇଛି । ଅର୍ଥାତ୍‌ ୨ହଜାର ୭୮୧ଟି ପାଇଖାନା ନିର୍ମାଣ ହୋଇଛି। କେବଳ ନିର୍ମାଣରେ ମନ୍ଥରତା ନୁହେଁ ତା’ସାଙ୍ଗକୁ ପାଇଖାନା ନିର୍ମାଣ କରୁଥିବା ହିତାଧିକାରୀଙ୍କୁ ଟଙ୍କା ମିଳୁନି। ଯାହାକୁ ନେଇ ହିତାଧିକାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି। ଅନ୍ୟପଟେ ‘ପିସି’ କାରବାର ଏହି ଯୋଜନାର ବିଫଳତା ପଛରେ ଏକ ବଡ ସମସ୍ୟା ଭାବେ ଛିଡ଼ା ହୋଇଛି।

ସୂଚନା ଅନୁଯାୟୀ ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର ବ୍ଲକ୍‌କୁ ନେଇ ଆଠଗଡ଼ରେ ୨ବର୍ଷ ହେଲା ନୂତନ ଭାବେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲିଛି। ଆଠଗଡ ବ୍ଲକ୍‌ରେ ୧୧ହଜାର୨୩୦ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୫ମାସ ବାକି ଥିବାବେଳେ ଧାର୍ଯ୍ୟ ଲକ୍ଷ୍ୟର ୧୦ ପ୍ରତିଶତ ନିର୍ମାଣ କାମ ବି ହୋଇନଥିବା ସରକାରୀ ତଥ୍ୟରୁ ଜଣାପଡିଛି। ୧୧ହଜାର ବଦଳରେ ୭୦୫ଟି ପାଇଖାନା ନିର୍ମାଣ ସରିଛି ଓ ୮୭ଟି ପାଇଖାନାର ନିର୍ମାଣ କାମ ଚାଲିଥିବା ଜଣାପଡିଛି। ସେହିପରି ବଡମ୍ବା ବ୍ଲକ୍‌ରେ ୧୧ ହଜାର ୫୫୧ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ସେଠାରେ ସ୍ଥିତି ଅଧିକ ସଙ୍ଗୀନ। ମାତ୍ର ଅଢେଇ ପ୍ରତିଶତ ଅର୍ଥାତ୍‌ ୨୧୧ଟି ପାଇଖାନା ବର୍ତ୍ତମାନ ସୁଦ୍ଧା ନିର୍ମାଣ ସରିଥିବା ବେଳେ ୭୫ଟି ପାଇଖାନାର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ନରସିଂହପୁର ବ୍ଲକ୍‌ରେ ୧୦ ହଜାର ୨୨୧ ପାଇଖାନା ନିର୍ମାଣ କରିବା ବଦଳରେ ବର୍ତ୍ତମାନ ସୁଦ୍ଧା ୩୦୭ଟି ପାଇଖାନାର ନିର୍ମାଣ ସରିଛି। ତିଗିରିଆରେ ୭୬୨୫ ବଦଳରେ ୧୫୫୮ ପାଇଖାନା ନିର୍ମାଣ ସରିଥିବା ଓ ୨୦୫ଟି ପାଇଖାନାର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ସରକାରୀ ତଥ୍ୟରୁ ଜଣାପଡିଛି । ହେଲେ ଏନେଇ ବିଭାଗୀୟ କର୍ମଚାରୀ, ବ୍ଲକ୍‌, ପଂଚାୟତ ପ୍ରତିନିଧିମାନଙ୍କ ସମନ୍ଵୟ ଅଭାବରୁ ଏହି ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁନି। ତା’ ସହିତ ଯେଉଁମାନେ ଏହି ଯୋଜନାରେ ପାଇଖାନା ନିର୍ମାଣ କରୁଛନ୍ତି ସେମାନଙ୍କୁ ତାଙ୍କ ପ୍ରାପ୍ୟ ମଧ୍ୟ ମିଳୁନଥିବା ଅଭିଯୋଗ ହେଉଛି। ପ୍ରତି ବ୍ଲକ୍‌ରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଏହି ପାଇଖାନା ନିର୍ମାଣ ପ୍ରାପ୍ୟ ମିଳୁନଥିବା ନେଇ ମାଳ ମାଳ ଅଭିଯୋଗ ନେଇ ପହଞ୍ଚୁଛନ୍ତି ହିତାଧିକାରୀ।

ତେବେ ଏହା ପଛରେ ଅନଲାଇନ ସମସ୍ୟା ଯୋଗୁଁ ହିତାଧିକାରୀଙ୍କୁ ପ୍ରାପ୍ୟ ମିଳୁନଥିବା ବିଭାଗୀୟ କର୍ତ୍ତୃପକ୍ଷ ମାହାଙ୍ଗା ଜନଶୁଣାଣିରେ ସୂଚନା ଦେଇଥିଲେ। ତା’ ସହିତ ଅନେକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇନଥିଲେ ମଧ୍ୟ ସେମାନେ ନିଜ ଇଚ୍ଛାରେ ନିର୍ମାଣ କରି ଅର୍ଥ ଦାବି କରୁଥିବା ବିଭାଗୀୟ ଅଧିକାରୀମାନେ ସଫେଇ ଦେଉଛନ୍ତି। ମାତ୍ର ୧୨ହଜାର ଟଙ୍କାରେ ପାଇଖାନା ନିର୍ମାଣ ପାଇଁ ଯୋଜନା ଥିବାବେଳେ ଏହା ପଛରେ ‘ପିସି’ ପାଲଟିଛି ମୁଖ୍ୟ ସମସ୍ୟା। ୧୨ହଜାରରୁ ୨ହଜାର ଟଙ୍କା ଦଲାଲ ମାଧ୍ୟମରେ ପଳାଉଛି। ବାକି ୧୦ହଜାର ଟଙ୍କାରେ ପାଇଖାନା ନିର୍ମାଣ କିପରି ହେଉଥିବ ସେକଥା ଯିଏ ନିର୍ମାଣ କରୁଛି ସେ ଜାଣୁଛି ବୋଲି ଜଣେ ହିତାଧିକାରୀ ତାଙ୍କର ପ୍ରାପ୍ୟ ପାଇନଥିବାରୁ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର