ଘରେ ପଶି ଦୁର୍ବୃତ୍ତଙ୍କ ଗୁଳିମାଡ଼: ଗୋଟିଏ ପରିବାରର ଜଣେ ମୃତ, ୨ ଗୁରୁତର

ପାରଦୀପ/ତିର୍ତ୍ତୋଲ/ଏରସମା: ଜଗତ୍‌ସିଂହପୁରର ତିର୍ତ୍ତୋଲରେ ଦୁର୍ବୃତ୍ତମାନେ ଗୋଟିଏ ପରିବାର ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛି। ୨ ଆହତ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଗୁଳିମାଡ଼ ପଛରେ ଡକାୟତି କିମ୍ବା ପୂର୍ବ ଶତ୍ରୁତା ସେ ସମ୍ପର୍କରେ ଏଯାବତ୍‌ ଜଣାପଡ଼ିନାହିଁ। ପୁଲିସ୍‌ ମଧ୍ୟ ଅନ୍ଧାରରେ ରହି ତଦନ୍ତ ଚଳାଇଛି।

ଘଟଣା ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧ଟା ୪୦ ମିନିଟ୍‌ ସମୟରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ସିଣ୍ଡୋଳ ଗ୍ରାମରେ ଏହି ଘଟଣା ଘଟିଥିଲା। ୪ ଜଣ ଦୁର୍ବୃତ୍ତ ଏହି ଗ୍ରାମର ଅନ୍ତର୍ଯ୍ୟାମୀ ଖୁଣ୍ଟିଆ (୪୪ବର୍ଷ)ଙ୍କ ଘରେ ଜୋର୍‌ ଜବରଦସ୍ତ ପଶିଥିଲେ। ଅନ୍ତର୍ଯ୍ୟାମୀଙ୍କ ସହ ଦୁର୍ବୃତ୍ତମାନଙ୍କର ବେଶ୍‌ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତି ସମୟରେ ତାଙ୍କ ଭାଇ ବିଶ୍ୱପ୍ରେମୀ ବରାଳ ଓ ବିଶ୍ୱପ୍ରେମୀଙ୍କ ପୁଅ ବ୍ରଜବିହାରୀ(ଲିପୁନ୍‌) ବରାଳଙ୍କ ନିଦ ଭାଙ୍ଗି ଯାଇଥିଲା ଓ ସେମାନେ ମଧ୍ୟ ଆସି ଦୁର୍ବୃତ୍ତମାନଙ୍କୁ ଅଟକାଇଥିଲେ। ବିଶ୍ୱପ୍ରେମୀ ଅନ୍ୟମାନଙ୍କ ତୁଳନାରେ ସାମାନ୍ୟ ସ୍ୱାସ୍ଥ୍ୟବାନ ହୋଇଥିବାରୁ ସେ କମ୍ବଳ ପକାଇ ଜଣେ ଦୁର୍ବୃତ୍ତକୁ ମାଡ଼ି ବସିଥିଲେ। ଦୁର୍ବୃତ୍ତମାନେ ଏଭଳି ପ୍ରତିରୋଧ ଆଶା କରିନଥିଲେ। ଧରାପଡ଼ିଯିବା ଭୟରେ ସେମାନେ ଏହି ତିନିଜଣଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ସାମ୍ନାରେ ଥିବା ଅନ୍ତର୍ଯ୍ୟାମୀଙ୍କ ଛାତିରେ ଗୁଳି ବାଜିବାରୁ ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। ପରେ ଦୁର୍ବୃତ୍ତମାନେ ବିଶ୍ୱପ୍ରେମୀ ଓ ତାଙ୍କ ପୁଅ ଲିପୁନଙ୍କୁ ଗୁଳିଥିଲେ। ତିନିହେଁ ତଳେ ପଡ଼ି ଚିତ୍କାର କରୁଥିବା ବେଳେ ଦୁର୍ବୃତ୍ତମାନେ ଫେରାର୍‌ ହୋଇ ଯାଇଥିଲେ।ପରିବାର ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ପହଞ୍ଚି ସମସ୍ତ ତିନିଜଣଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ, ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକ ଯିବା ବାଟରେ ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁ ହୋଇ ଯାଇଥିଲ। ଏହାକୁ ନେଇ ସ୍ଥାନୀୟ ଲୋକେ ଆଜି ମଣିଜଙ୍ଗା-ଏରସମା ରାସ୍ତା ଅବରୋଧ କରିଥିଲେ। ବରିଷ୍ଠ ଅଧିକାରୀମାନେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଏହି ଘଟଣାକୁ ୨୪ଘଣ୍ଟା ବିତିଥିଲେ ବି ପୁଲିସ ଏଯାବତ୍‌ ଗୁଳିକାଣ୍ଡର କାରଣ ଜାଣିପାରିନାହିଁ। ତିର୍ତ୍ତୋଲ ଥାନା ଇନ୍‍ସପେକ୍ଟର ବଳାରାମ ନାୟକଙ୍କ କହିବାନୁଯାୟୀ କେବଳ ଡାକୟତି ପାଇଁ ଗୁଳିକାଣ୍ଡ ଘଟିଛି ବୋଲି ବର୍ତ୍ତମାନ କହିହେବ ନାହିଁ। ପୂର୍ବ ଶତ୍ରୁତାରୁ ଏହା ଘଟିନାହିଁ ବୋଲି ମୃତ ଅନ୍ତର୍ଯ୍ୟାମୀଙ୍କ ପରିବାର ଲୋକେ କହୁଥିଲେ ବି ପୁଲିସ ସେ ଦିଗକୁ ତଦନ୍ତ ପରିସରରୁ ବାହାର କରିନାହିଁ। ତା’ଛଡ଼ା, ୪ ଜଣ ନୁହେଁ ବରଂ ୨ ଜଣ ଦୁର୍ବୃତ୍ତ ବାଇକ୍‍ରେ ଆସିଥିଲେ ବୋଲି ପାରିପାର୍ଶ୍ୱିକ ପରିସ୍ଥିତିରୁ ପୁଲିସ ଜାଣିବାକୁ ପାଇଛି। ଘରଠାରୁ ୨ଶହ ମିଟର ଦୂରରେ ଗୋଟିଏ ମଦ ବୋତଲ, ଦୁଇଟି ଗ୍ଲାସ୍‍ ଓ ଗୋଟିଏ ଖଟା ପ୍ୟାକେଟ୍‍ ପଡ଼ିଛି। ସନ୍ଧାନୀ କୁକୁର ଘର ଭିତରୁ ବାରମ୍ବାର ଉକ୍ତ ମଦ ବୋତଲ ନିକଟକୁ ଯାଇଥିବାରୁ ଏହି ଦିଗ ପ୍ରତି ପୁଲିସ ଗୁରୁତ୍ୱ ଦେଉଛି। ପୁଲିସ ଖୁବ ଶୀଘ୍ର ହତ୍ୟାକାରୀଙ୍କ ନିକଟରେ ପହଞ୍ଚିବ ବୋଲି ସେ କହିଛନ୍ତି। ସେପଟେ, ଏହି ଘଟଣାର ଅଭିଯୁକ୍ତମାନଙ୍କୁ ୨ଦିନ ଭିତରେ ଗିରଫ କରାଯିବ ବୋଲି ଜଗତସିଂହପୁର ଏସ୍‌ପି ଜୟନାରାୟଣ ପଙ୍କଜ କହିଛନ୍ତି। ଉଲ୍ଲେଖ୍ୟ ଯେ, ଗତବର୍ଷ ମଧ୍ୟ ଅନ୍ତର୍ଯ୍ୟାମୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ତେବେ, ବୋମାର ଶବ୍ଦ ଶୁଣି ଗାଁ ଲୋକେ ଉଠିଯିବାରୁ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର