ଓଜେଇଇରେ ନକଲି ପରୀକ୍ଷାର୍ଥୀ ମାମଲା: ମାଷ୍ଟରମାଇଣ୍ଡ୍‌ ସହ ୪ ଗିରଫ

ବାଲେଶ୍ୱର : ବାଲେଶ୍ୱର ଆଟିଆଇ ସେଣ୍ଟରରେ ଚାଲିଥିବା ଓଜେଇଇ ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ଧରା ପଡ଼ିବା ଘଟଣାରେ ନୂଆମୋଡ଼ ଆସିଛି। ଆଜି ପୁଲିସ ଏହି ଘଟଣାରେ ମାଷ୍ଟରମାଇଣ୍ଡ ସହ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏକ ଘରୋଇ ଇଂଜିନିୟରିଂ କଲେଜର ଅଧ୍ୟାପକ ତଥା ଖନ୍ତାପଡ଼ା ଅଞ୍ଚଳର ଚନ୍ଦ୍ରକାନ୍ତ ଶତପଥୀ, ଉକ୍ତ କଲେଜର ଛାତ୍ର ଗୋପୀକିଷନ ନାୟକ, ନୀଳଗିରି ଅଞ୍ଚଳର ଉମାଶଙ୍କର ରାଉତ, ରେମୁଣା ଅଞ୍ଚଳର ବିଶ୍ୱଜିତ ମହାପାତ୍ର। ମାଷ୍ଟରମାଇଣ୍ଡ ଶ୍ରୀ ଶତପଥୀ ନିଜେ କାର୍ଯ୍ୟରତ ଥିବା କଲେଜରେ ପିଲାଙ୍କୁ ଆଡମିସନ ଉଦ୍ଦେଶ୍ୟରେ ଓଜେଇଇ ପରୀକ୍ଷାରେ ପାସ୍‌ କରାଇବା ପାଇଁ ଏମିତି ନକଲି ପରୀକ୍ଷାର୍ଥୀଙ୍କୁ ନିୟୋଜିତ କରାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଘରୋଇ କଲେଜରେ ଆଡମିସନ ପାଇଁ ଏସବୁ ବେଆଇନ କାର୍ଯ୍ୟରେ ବହୁ କଲେଜର ଅଧ୍ୟାପକ ଲିପ୍ତ ଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ଗତ ୨୨ ତାରିଖ ଆଇଟିଆଇରେ ଓଜେଇଇ ପ୍ରବେଶିକା ପରୀକ୍ଷା ଚାଲିଥିବା ବେଳେ ନୀରିକ୍ଷକ ଦସ୍ତଖତ ମାରିବା ବେଳେ ଦୁଇ ନକଲି ପରୀକ୍ଷାର୍ଥୀ ତାଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଅଧିକ ପଚରାଉଚୁରା କରିବା ପରେ ପ୍ରଦୀପ ମଣ୍ଡଳଙ୍କ ନାଁରେ ବିନୋଦ ସିଂ ଓ ପ୍ରାଂଶୁ ସାମନ୍ତଙ୍କ ନାଁରେ ସଂଜୀବ କୁମାର ପରୀକ୍ଷା ଦେଉଥିବା ଜଣାପଡ଼ିଥିଲା। ଶିଳ୍ପାଞ୍ଚଳ ପୁଲିସ ତଦନ୍ତ କରି ଗିରଫ କରିଥିବା ୪ ଜଣଙ୍କୁ ଆଜି କୋର୍ଟଚାଲାଣ କରିଛି। ତେବେ ଏହି ଘଟଣାରେ ଅସଲି ପରୀକ୍ଷାର୍ଥୀଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯିବ ବୋଲି ଶିଳ୍ପାଞ୍ଚଳ ଏସଆଇ ଅଶୋକ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର