୩ ନକଲି ମାଓବାଦୀ ଗିରଫ : ଡେପୁଟି ରେଞ୍ଜର ଥିଲେ ମାଷ୍ଟରମାଇଣ୍ଡ

ନଗଦ ୧.୬୫ ଲକ୍ଷ, ମୋବାଇଲ୍‌, ବାଇକ୍‌ ଜବତ, ଟାର୍ଗେଟ୍‌ରେ ଥିଲେ ଜଂଗଲ ଅଧିକାରୀ, ଠିକାଦାର

ବରଗଡ଼ : ନକଲି ପୁଲିସ, ନକଲି ଅଫିସର୍‌, ନକଲି ସାମ୍ବାଦିକଙ୍କ ପରେ ବରଗଡ଼ରେ ଧରାପଡ଼ିଛନ୍ତି ୩ ନକଲି ମାଓବାଦୀ। ଦୀର୍ଘ ୫ବର୍ଷ ହେଲା ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ମାଓବାଦୀ ନାମରେ ଧମକ ଦେବା ସହ ସେମାନେ ଲକ୍ଷ ଲକ୍ଷ ଟଙ୍କା ବଟି ମାଗୁଥିବା ସୂଚନା ମିଳିବା ପରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ୩ ନକଲି ମାଓବାଦୀଙ୍କ ମଧ୍ୟରେ ଜଣେ ଜଂଗଲ ବିଭାଗର ଡେପୁଟି ରେଂଜର ବି ଅଛନ୍ତି। ସେ ହେଲେ ସମ୍ବଲପୁର ରେଂଜରେ ଡେପୁଟି ରେଂଜର ଭାବେ କାର୍ଯ୍ୟରତ ବଟକୃଷ୍ଣ ସେଠୀ (୫୯)। ସେ ସବୁ କାରସାଦିର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ତାଙ୍କ ସହ ଭଟଲି ବ୍ଲକ ଗଢ଼ପଡ଼ାର ଦୁଇଭାଇ ଦୋଳଗୋବିନ୍ଦ ସାହୁ ଓରଫ ବାବୁଲୁ (୪୦)ଏବଂ ବଳରାମ ସାହୁ (୨୪) ବି ଗିରଫ ହୋଇଛନ୍ତି। ଏମାନେ ୨୦୧୪ ମସିହାରୁ ଏହି କାରବାର ଚଳାଉଥିଲେ। ଫୋନ୍‌ରେ ବଡ଼ ବଡ଼ ଅଧିକାରୀ ଏବଂ ଠିକାଦାରଙ୍କୁ ଧମକ ଦେଇ ମୋଟା ଅଂକର ବଟି ଆଦାୟ କରୁଥିଲେ। ପୁଲିସ ଏମାନଙ୍କ ପାଖରୁ ଲକ୍ଷେ ୬୫ ହଜାର ଟଙ୍କା, ୩ଟି ମୋବାଇଲ୍‌, ଦୁଇଟି ବାଇକ୍‌ ଜବତ କରିଛି। ଭଟଲି ପୁଲିସ୍‌ କେସ ନମ୍ବର ୧୩୫ ରୁଜୁ କରିବା ସହ ଦଫା ୩୮୬ରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ମାମଲାରେ ଆଉ କିଏ ସଂପୃକ୍ତ ଅଛି, ତାହାର ବି ଖୋଳତାଡ଼ ଚାଲିଥିବା ବରଗଡ଼ ଏସ୍‌ପି ମୁକେଶ ଭାମୁ ସୂଚନା ଦେଇଛନ୍ତି।

କିଭଳି ଚାଲିଥିଲା ବଟି ଆଦାୟ..
ଡେପୁଟି ରେଂଜର ବଟକୃଷ୍ଣ ସମ୍ବଲପୁରରେ ଅବସ୍ଥାପିତ ହେବା ପୂର୍ବରୁ ବରଗଡ଼ ଜିଲ୍ଲାର ବିଭିନ୍ନ ବନଖଣ୍ଡରେ କାମ କରୁଥିଲେ। ସେତିକି ବେଳେ ଦୋଳଗୋବିନ୍ଦ ଏବଂ ବଳରାମଙ୍କ ସହ ତାଙ୍କ ପରିଚୟ ହୋଇଥିଲା। ତିନିଜଣ ନକଲି ମାଓବାଦୀ ସାଜି ବଟି ଆଦାୟ କରିବା ଆରମ୍ଭ କରିଥିଲେ। ଏମାନଙ୍କ ଟାର୍ଗେଟରୁ ବରଗଡ଼ ଡିଏଫ୍‌ଓ ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ଡିଏଫ୍‌ଓଙ୍କଠାରୁ ଏମାନେ ୫୦ହଜାର ଟଙ୍କା ବଟି ନେଇଥିବା ତଦନ୍ତରୁ ଜଣାପଡ଼ିଛି। ଜଂଗଲ ସହ ଅଭ୍ୟସ୍ତ ଥିବାରୁ ଦୋଳଗୋବିନ୍ଦ କେଉଁଠା‌ରୁ ବଟି ଅସୁଲ କରାଯିବ, ତାହା ସ୍ଥିର କରୁଥିଲେ। ଏହାପରେ ଟାର୍ଗେଟ୍‌ରେ ଥିବା ବ୍ୟକ୍ତିଙ୍କୁ ଫୋନ୍‌ ‌କରି ଧମକ ଦିଆଯାଉଥିଲା। ଘଞ୍ଚ ଜଂଗଲକୁ ଡକା ଯାଉଥିଲା। ସେଠାରେ ଅଭିଯୁକ୍ତମାନେ ମାଓବାଦୀ ଭଳି ପୋଷାକ ପରିଧାନ କରି ଜଗି ରହୁଥିଲେ। ବ୍ୟକ୍ତି ଜଣକ ପହଂଚିବା ପରେ ଟଙ୍କା ନେଇ ଜଂଗଲ ଭିତରକୁ ପଳାଉଥିଲେ। ଡେବ୍ରିଗଡ଼ ଏବଂ ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ ସକ୍ରିୟ ହେଉଥିବା ସମୟରେ ଏହାର ଫାଇଦା ନେଉଥିଲେ ଅଭିଯୁକ୍ତମାନେ। ଭୟରେ କୌଣସି ବ୍ୟକ୍ତି ଥାନାରେ ଏତଲା ଦେଉନଥିଲେ। କିନ୍ତୁ ଅଶୋକ ଦାଶ ନାମକ ଜଣେ ଠିକାଦାର ଏମାନଙ୍କ ଧମକରେ ଅତିଷ୍ଠ ହୋଇ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରି ସଫଳତା ପାଇଛି।

କାହାଠୁ କେତେ ବଟି
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏମାନେ ବରଗଡ଼ ଡିଏଫ୍‌ଓଙ୍କଠାରୁ ୫୦ହଜାର ଟଙ୍କା, ଲଖନପୁର ରେଂଜରଙ୍କଠାରୁ ୯୦ହଜାର, ପଦ୍ମପୁର ଫରେଷ୍ଟରଙ୍କଠାରୁ ୧୦ହଜାର, ଶୁଭମ ସିଂହଙ୍କଠାରୁ ୨.୫ ଲକ୍ଷ, ଠିକାଦାର ମୁନା ମହାପାତ୍ରଙ୍କଠାରୁ ୨ଲକ୍ଷ, ଠିକାଦାର ପ୍ରଦୀପ ବିଶ୍ବାଳଙ୍କଠାରୁ ୧.୫ ଲକ୍ଷ, ବିପିସିଏଲ୍‌ ଠିକାଦାରଙ୍କଠାରୁ ୯୦ ହଜାର, ଭଟଲିର ଠିକାଦାର କାହ୍ନୁଙ୍କଠାରୁ ୨୫ ହଜାର, ଭଟଲିର ହେମନ୍ତଙ୍କଠାରୁ ୫୦ ହଜାର, ଠିକାଦାର ପ୍ରେମ ପଟେଲଙ୍କଠାରୁ ୪୦ହଜାର, ଠିକାଦାର ଅଶୋକ ଦାଶଙ୍କଠାରୁ (୨ଟି କିସ୍ତିରେ) ୧ଲକ୍ଷ ଟଙ୍କା ‌ଆଦାୟ କରିଛନ୍ତି। ଏହାବାଦ ଆହୁରି ଅଧିକାରୀ ଏବଂ ଠିକାଦାର ମଧ୍ୟ ଏହି ନକଲି ମାଓବାଦୀଙ୍କୁ ବଟି ଦେଇଛନ୍ତି। ପୁଲିସ୍‌ ଏହାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର