ଛାଡ଼ପତ୍ର ନ ଦେଇ ମହଙ୍ଗା ପଡ଼ିଲା ଦ୍ବିତୀୟ ବିବାହ : ବରକୁ ଉଠାଇନେଲା ପୁଲିସ

ହାତଗଣ୍ଠି ପଡ଼ିଲା ବେଳେ ପହଞ୍ଚି ଗଲେ ପ୍ରଥମ ପତ୍ନୀ

କଟକ : ବର ବେଶ ହୋଇ ବାଣରୋଶଣି ଆଉ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ ମଣ୍ଡପକୁ। ହସଖୁସି, ଖିଆପିଆରେ ସମସ୍ତେ ମଜ୍ଜି ରହିଥିଲା ବେଳେ ହଠାତ ପହଞ୍ଚି ଥିଲା ପୁଲିସ। ତାଙ୍କ ସହିତ ଥିଲେ କିଛି ସାମାଜିକ କର୍ମୀ। ଏଭଳି ସ୍ଥିତି ଦେଖି କେହି କିଛି ବୁଝି ବି ପାରି ନଥିଲେ। ବର ବେଶରେ ଥିବା ଯୁବକଙ୍କୁ ଉଠାଇ ନେଇଥିଲା ପୁଲିସ। ବିଚରା ସଜ୍ଜା ହୋଇଥିବା କାର ଛାଡି ବର ବେଶରେ ଯୁବକ ବସିଥିଲେ ପୁଲିସ ଗାଡିରେ। ମଣ୍ଡପ ଛାଡି ଯାଇଥିଲେ ଥାନାକୁ। ଏଭଳି ଦୃଶ୍ୟ ‌ଲୋକଙ୍କ ପାଇଁ ଅତ୍ୟନ୍ତ ରୋଚକ ହୋଇଥିବା ବେଳେ ଘଟଣାକୁ ନେଇ ବେଶ୍ କିଛି ଘଣ୍ଟା ହଟଚମଟ ସୃଷ୍ଟି ହୋଇଥିଲା। ହାତ ଗଣ୍ଠି ପଡ଼ିବା ପୂର୍ବରୁ ବାହାଘର ବନ୍ଦ ହୋଇଯାଇଥିଲା। ଏଭଳି ଘଟଣାରେ ହଟହଟା ହୋଇ ଏବେ ଗିରଫ ହୋଇଛନ୍ତି ବର ସାଜିଥିବା ମେଡିସିନ୍ ‌ରିପ୍ରେଜେଣ୍ଟେଟିଭ୍ ଥିବା ଯୁବକ।

ସୂଚନା ଅନୁଯାୟୀ ଆଜି ମହାନଦୀବିହାରର ସେଲିବ୍ରେସନ ମଣ୍ଡପରେ ଏକ ବିବାହ ଉତ୍ସବର ଆୟୋଜନ ଚାଲିଥିଲା। ମହାନଦୀବିହାର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରୁଥିଲେ ତୁଳସୀପୁର ଦେଉଳସାହି ଅଞ୍ଚଳର ଯୁବକ ପ୍ରିୟରଂଜନ ପତି। ପ୍ରିୟରଂଜନ ଶିଖରପୁର ଛକରୁ ବିବାହ ଶୋଭାଯାତ୍ରାରେ ଆସି ସଂଧ୍ୟା ପ୍ରାୟ ୭ଟା ବେଳେ ମଣ୍ଡପରେ ପହଞ୍ଚି ଥିଲେ। ବାହାଘର ଆରମ୍ଭ ହୋଇ ବେଦିକୁ ବରକନ୍ୟା ଯାଇଥିଲେ। କିନ୍ତୁ ପାଖାପାଖି ସାଢେ ସାତଟା ବେଳେ ପହଞ୍ଚି ଯାଇଥିଲେ ଜଣେ ଯୁବତୀ। ଯୁବତୀ ଜଣକ ଚିତ୍କାର କରି ବରକୁ ପଚାରିଥିଲେ। ତମର ସାହସ କେମିତି ହେଲା? ମତେ ଛାଡି ତମେ ଏଠି ବିବାହ କରୁଛ କେମିତି। ଉପସ୍ଥିତ ସମସ୍ତେ ସ୍ତବ୍ଧ ହୋଇ ଯାଇଥିବା ବେଳେ ବର ପ୍ରିୟରଂଜନ କିନ୍ତୁ ଯୁବତୀଙ୍କୁ ଜାଣି ନଥିବା ସଫେଇ ଦେଇଥିଲା। କିନ୍ତୁ ଉପସ୍ଥିତ ପୁଲିସ ଆଉ ସାମାଜିକ କର୍ମୀଙ୍କ ସାମନାରେ ସେ ବେଶି ସମୟ ଆଉ ଫାଙ୍କି ପାରି ନଥିଲେ। ସବୁ କିଛି ଧରା ପଡି ଯାଇଥିଲା। ପ୍ରିୟରଂଜନ ତିନି ବର୍ଷ ପୂର୍ବରୁ ୪୨ ମୌଜା ଝିଙ୍କିରିଆ ଅଞ୍ଚଳର ସଂପୃକ୍ତ ଯୁବତୀଙ୍କୁ ବିବାହ କରି ଥିଲେ ବି ତାଙ୍କୁ ଛାଡ଼ପତ୍ର ନ ଦେଇ ଏଭଳି ଦ୍ବିତୀୟ ବିବାହ କରୁଥିବା ଅଭିଯୋଗ ହୋଇଥିଲା। ସଂପୃକ୍ତ ଯୁବତୀ ବିବାହ କରିବା ସମୟର ନିମନ୍ତ୍ରଣପତ୍ର, ‌ବିବାହ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ଅନ୍ୟ ଆନୁସଙ୍ଗିକ ପ୍ରମାଣପତ୍ର ଚାଉଳିଆଗଂଜ ଥାନା ପୁଲିସକୁ ଦେଇଥିଲେ। ଯୁବତୀଙ୍କୁ ସେ ଛାଡପତ୍ର ଦେଇ ନ ଥିବା ବେଳେ ଏଭଳି ବେଆଇନ ଭାବେ ଦ୍ବିତୀୟ ବିବାହ କରୁଥିବା ଅଭିଯୋଗ ହୋଇଥିଲା। ଆଇଆଇସି ତାପସ ପ୍ରଧାନ ସଂପୃକ୍ତ ସାମାଜିକ କର୍ମୀ ଓ ଆଇନଜୀବୀଙ୍କ ସହ ମଣ୍ଡପରେ ପହଞ୍ଚି ତଥ୍ୟ, ପ୍ରମାଣ ଆଧାରରେ ସଂପୃକ୍ତ ଯୁବକଙ୍କୁ ମଣ୍ଡପରୁ ଉଠାଇ ନେଇଥିଲେ ଥାନାକୁ। ଆସନ୍ତାକାଲି ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର