ଏମ୍‌ସରେ ଚାକିରି ବାହାନାରେ ୫ ଲକ୍ଷ ଚଳୁ, ନକଲି ନର୍ସ ଗିରଫ

ଭୁବନେଶ୍ୱର : ଭୁବନେଶ୍ବର ଏମ୍‌ସରେ ଚାକିରି କରାଇଦେବା ବାହାନାରେ ଭଡ଼ା ଘରର ମାଲିକାଣୀଙ୍କ ସମେତ ୩ ଜଣଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଶନିବାର ଖଣ୍ଡଗିରି ଥାନା ପୁଲିସ ଜଣେ ନକଲି ନର୍ସଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା କନ୍ଧମ‌ାଳ ବଡ଼ଙ୍ଗିଆର କବିତା ଅଧିକାରୀ(୨୭)। ନିଜକୁ ଭୁବନେଶ୍ବର ଏମ୍‌ସର ନର୍ସ ବୋଲି ପରିଚୟ ଦେଇ ସେ ଏହି ଠକାମି କରିଥିବା ଜଣାପଡ଼ିଛି। ପୂର୍ବରୁ ୨୦୧୬ ମସିହାରେ କବିତା କଟକ ଚାଉଳିଆଗଞ୍ଜ ପୁଲିସ ଦ୍ବାରା ଠକେଇ ମାମଲାରେ ଗିରଫ ହୋଇଥିଲା।

ପୁଲିସ ସୂଚନାନୁସାରେ କବିତା ନିଜକୁ ଏମ୍‌ସର ଷ୍ଟାଫ ନର୍ସ ‌ବୋଲି ପରିଚୟ ଦେଇ ଖଣ୍ଡଗିରିବାରିରେ ଭଡ଼ାଘରେ ରହୁଥିଲା। ଘର ମାଲିକାଣୀ ଶାନ୍ତି ସାହୁ(୩୫) ତାଙ୍କ ସ୍ବାମୀ ଚକ୍ରପାଣିଙ୍କ ଦେହାନ୍ତ ପରେ ଅସୁବିଧାରେ ଚଳୁଥିଲ‌େ। ଏହି ମଉକାରେ କବିତା ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଏକ ଚାକିରି କରାଇ ଦେବ ବୋଲି କହିଥିଲା। ତ‌େବେ ଏଥିପାଇଁ ତାଙ୍କୁ ପ୍ରଥମେ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ଓ ପରେ ଆଉ କିଛି ଦେବାକୁ ହେବ ବୋଲି କହିଥିଲା। ଶାନ୍ତି ଏଥିରେ ରାଜି ହୋଇ କବିତାକୁ ୫୦ ହଜାର ଟଙ୍କା ଦେଇଥିଲେ। ପରେ ଶାନ୍ତିଙ୍କ ସମ୍ପର୍କୀୟ କୃଷ୍ଣଚନ୍ଦ୍ର ସାହୁ ଓ ଦୀନବନ୍ଧୁ ସାହୁ ମଧ୍ୟ କବିତା ଫାଶରେ ଫସି ଯାଇଥିଲେ। କୃଷ୍ଣ ଡାଟା ଏଣ୍ଟ୍ରି ଅପରେଟର ଓ ଦୀନବନ୍ଧୁ ସୁପରଭାଇଜର ଭାବେ ଚାକିରି ପାଇବେ ବୋଲି କବିତାକୁ ପର୍ଯ୍ୟାୟକ୍ରମେ ସାଢ଼େ ୪ ଲକ୍ଷ ଟଙ୍କା ଦେଇଥିଲେ। ତେବେ କୃଷ୍ଣ ଓ ଦୀନବନ୍ଧୁ ଦେଇଥିବା ଟଙ୍କା ସିଧାସଳଖ କବିତା ହାତକୁ ଯାଇନଥିଲା। ଚେକ୍ ଆକାରରେ ଏହି ଟଙ୍କା ସଙ୍ଗୀତା ବେହେରା ଓ ଭାସ୍କର ରାଉତ ନାମକ ଦୁଇ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ମାତ୍ର କିଛି ଦିନ ବିତିବା ପରେ ଚାକିରିର ନାଁ ଗନ୍ଧ ମିଳିନଥିଲା। ତେଣୁ ବାଧ୍ୟ ହୋଇ ଶାନ୍ତି, କୃଷ୍ଣ ଓ ଦୀନବନ୍ଧୁ କବିତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ କବିତ‌ାଙ୍କ ପକ୍ଷରୁ ସେମାନଙ୍କୁ ଧମକ ଦିଆଯାଇଥିଲା। ଠକାମୀର ଶିକାର ହୋଇଥିବା ଜଣାପଡ଼ିବା ପରେ ସେମାନେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ କରି କବିତାକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର