ଜାଲ ଟିଡିଆର୍‌ ମାମଲା : ଠିକାଦାର ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କୁ ଜାମିନ

କଟକ : ଜାଲ ଟର୍ମ ଡିପୋଜିଟ ରିସିପ୍ଟ(ଟିଡିଆର) ପ୍ରସ୍ତୁତ କରି ସରକାରଙ୍କ କୋଟିକୋଟି ଟଙ୍କା କ୍ଷତି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ସୁପର କ୍ଲାସ ଠିକାଦାର ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ହଜାର ଟଙ୍କା ଲେଖାଁଏ ଦୁଇଜଣ ଜାମିନଦାରଙ୍କ ବଦଳରେ ନିମ୍ନ ତାଙ୍କୁ ଜାମିନରେ ଛାଡିବେ। ଏଥି ସହିତ ଜାମିନରେ ଛାଡ ପାଇବା ପାଇଁ ସେ ନିମ୍ନ ଅଦାଲତରେ ୧୦ ଲକ୍ଷ ଟଙ୍କା ଜମା କରିବେ ବୋଲି ସର୍ତ୍ତାରୋପ କରାଯାଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଅଗ୍ରଓ୍ଵାଲଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ପରିଚାଳନା କରୁଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜାଲ ଟିଡିଆର୍‌ ଅଭିଯୋଗ ସଂପର୍କିତ ଅନ୍ୟ କେତେକ ମାମଲାରେ ପୂର୍ବରୁ ଆବେଦନକାରୀଙ୍କୁ ଜାମିନ ମିଳି ସାରିଛି। ମାମଲାର ବିବରଣୀରୁ ପ୍ରକାଶ ଯେ ସୁପର କ୍ଲାସ ଠିକାଦାର ରାଜେନ୍ଦ୍ର ଅଗ୍ରୱାଲ ଜାଲ ଟିଡିଆର ପ୍ରସ୍ତୁତ କରି କୋଟିକୋଟି ଟଙ୍କା ରାଜସ୍ୱ ହାନି କରିଥିବା ଜଣାପଡିବା ପରେ ଏ ନେଇ ଖୋଳତାଡ ଆରମ୍ଭ ହୋଇଥିଲା। ନୂଆପଡା, ଧର୍ମଗଡ଼, ଖଡିଆର, ଭବାନୀପାଟଣାରେ ଏପରି ଠକେଇ ନେଇ ଅଭିଯୋଗ ହୋଇଥିଲା। ଆବେଦନକାରୀଙ୍କ ସମେତ ସ୍ପେଶାଲ କ୍ଲାସ ଠିକାଦାର ତଥା ତାଙ୍କ ପୁଅ ବଣ୍ଟି ଅଗ୍ରୱାଲ ଓ ବୋହୂ ସବିତା ଅଗ୍ରୱାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର