ଫକୀର ମୋହନ ମେଡିକାଲ୍‌ କଲେଜ ଲୋକାର୍ପିିତ

ବାଲେଶ୍ୱର : ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଆମର ପ୍ରାଥମିକତା। ବାଲେଶ୍ୱର ଫକୀରମୋହନ ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ ଏଥିପାଇଁ ଏକ ପ୍ରୟାସ। ଆଜି ବାଲେଶ୍ୱରର ରେମୁଣାଠାରେ ଫକୀରମୋହନ ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ର ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନେ କ୍ୟାମ୍ପସ୍‌ର ଫାଟକ ସମ୍ମୁଖରେ ଫକୀରମୋହନଙ୍କ ପ୍ରତିମୁର୍ତ୍ତି ଅନାବରଣ କରିବା ସହ ମେଡିକାଲ୍‌ କଲେଜ୍‌ର ଲୋକାର୍ପଣ କରିଥିଲେ। ପରେ ପ୍ରେକ୍ଷାଳୟରେ ଆୟୋଜିତ ଭବ୍ୟ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମେଡିକାଲ୍‌ କଲେଜ ହେବା ଫଳରେ ବାଲେଶ୍ୱର ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଓଡ଼ିଆ ଭାଷା ଓ ମାଟିର ଗର୍ବ ବ୍ୟାସକବି ଫକୀରମୋହନଙ୍କ ନାମରେ ନାମିତ କରି ଏହି ମେଡିକାଲ୍‌ କଲେଜର ଐତିହାସିକ ଲୋକାର୍ପଣ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ଓଡ଼ିଶାର ପ୍ରଥମ ମହିଳା କବି ତଥା ଡାକ୍ତର କୁନ୍ତଳା କୁମାରୀ ସାବତଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜ୍ୟର ଏହି ସପ୍ତମ ମେଡିକାଲ କଲେଜରେ ବାଲେଶ୍ୱରର ୧୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସିର ବ୍ୟକ୍ତ କରିଥିଲେ। ସେହିପରି ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ପାଇଁ ଅଗଷ୍ଟ ୧୫ ତାରିଖରେ ରାଜ୍ୟସରକାର ସମଗ୍ର ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବାକୁ ଏକ ଐତିହାସିକ ପଦକ୍ଷେପ ନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଥିଲେ ଯେ, ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ସରକାର ଓଡ଼ିଶାରେ ୫ଟି ସରକାରୀ ମେଡିକାଲ୍‌ କଲେଜ ଖୋଲିବାକୁ ସ୍ୱୀକୃତି ଦେଇଛନ୍ତି। ସେଥିମଧ୍ୟରୁ କୋରାପୁଟ, ବଲାଙ୍ଗୀର, ବାରିପଦା ପରେ ଏବେ ବାଲେଶ୍ୱରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲା। ତେଣୁ ପୁରୀରେ ମେଡିକାଲ୍‌ କଲେଜ ପାଇଁ ଶୀଘ୍ର ରାଜ୍ୟ ସରକାର ଜମି ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ରାଜ୍ୟର ଏହି ୫ଟି ମେଡିକାଲ କଲେଜ ପାଇଁ ୨୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ମେଡିକାଲ ଶିକ୍ଷକଙ୍କ ଅଭାବକୁ ଦୃଷ୍ଟିରେ ରଖି ପିଜି ସିଟ୍‌ ବୃଦ୍ଧି କରିବା ପାଇଁ ଏମ୍‌ସିଆଇ ନିୟମରେ ପରିବର୍ତ୍ତନ କରାଯାଇଛି ଏବଂ ଜମି ନିୟମକୁ କୋହଳ କରି କୌଣସି ରାଜ୍ୟ ରାଜଧାନୀରେରେ ମେଡିକାଲ୍‌ କଲେଜ୍‌ ଖୋଲିବା ପାଇଁ ଏବେ ମାତ୍ର ୧୦ ଏକର ଜମି ଦରକାର ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ। ଶେଷରେ ଶ୍ରୀ ଚୌବେ ରାଜ୍ୟରେ ବିଭିନ୍ନ ମେଡିକାଲ କଲେଜ ପ୍ରତିଷ୍ଠା ସାଙ୍ଗକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ବିଷୟରେ ଉଲ୍ଲେଖ କରି ତାଙ୍କର ଭୂୟସୀ ପ୍ରସଂଶା କରିବା ସହ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‌ ଭାରତ’ ଯୋଜନାରେ ସାମିଲ ହେବା ପାଇଁ ତାଙ୍କୁ ଅନୁରୋଧ ଜଣାଇଥିଲେ।

ଅନ୍ୟତମ ଅତିଥି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ବ୍ୟାସକବି ଫକୀରମୋହନଙ୍କ ନାମରେ ନାମିତ ଏହି ମେଡିକାଲ୍‌ କଲେଜ ବାଲେଶ୍ୱରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଅବଦାନ। ରାଜ୍ୟ ସରକାର ଏଥିପାଇଁ ୧୩୦ କୋଟି ଟଙ୍କା ଦେଇଥିବାବେଳେ କେନ୍ଦ୍ର ସରକାର ୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟରେ ସବୁବର୍ଗର ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି ଏବଂ ୪ଟି ନୂତନ ସରକାରୀ ମେଡିକାଲ କଲେଜ ଖୋଲାଯିବା ସହ ୩ ବର୍ଷ ମଧ୍ୟରେ ମେଡିକାଲ୍‌ ସିଟ୍‌ ସଂଖ୍ୟା ୪୫୦ରୁ ୧୦୫୦କୁ ବୃଦ୍ଧି ପାଇଛି। ଏହାଛଡ଼ା ଖୁବ୍‌ଶୀଘ୍ର ଏହି କ୍ୟାମ୍ପସ୍‌ରେ ଏକ ଟିଚିଙ୍ଗ୍‌ ହସ୍‌ପିଟାଲ୍‌ ନିର୍ମାଣ ହେବ ଏବଂ ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଯୋଗାଇ ଦେବେ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ।

ରାଜ୍ୟ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଜିଲ୍ଲା ତଥା ଆଖପାଖ ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହି ମେଡିକାଲ୍‌ କଲେଜ ସହାୟକ ହେବ ବୋଲି କହିଥିଲେ। ସେହିପରି ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଫଳରେ ଆଜି ବାଲେଶ୍ୱରବାସୀଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇଛି। ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ମଧ୍ୟ ବକ୍ତବ୍ୟ ରଖିଥିଲେ।

ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଶଂସା

ବାଲେଶ୍ୱର/ଭୁବନେଶ୍ୱର : ଦୁଇ ଦିନ ତଳେ ବଲାଙ୍ଗୀର ମେଡିକାଲ କଲେଜ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁ ନ ଥିବାରୁ ସମାଲୋଚନା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଜେ ପି ନଡ୍ଡା। କିନ୍ତୁ ଆଜି ତାଙ୍କ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଚୌବେଙ୍କ ମୁହଁରେ ଭିନ୍ନ କଥା ଶୁଣିବାକୁ ମିଳିଥିଲା। ବାଲେଶ୍ୱର ମେଡିକାଲ କଲେଜ ଉଦ୍‌ଘାଟନୀ ଉତ୍ସବରେ ଶ୍ରୀ ଚୌବେ ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମନଖୋଲା ପ୍ରଶଂସା କରିଥିଲେ। ତାଙ୍କୁ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ବୋଲି ଉଲ୍ଲେଖ କରି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ବିକାଶକୁ ବି ପ୍ରଶଂସା କରିଥିଲେ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସେ ଆରମ୍ଭ କରିଥିବା ନିଜସ୍ୱ ସ୍ୱାସ୍ଥ୍ୟବୀମା ଯୋଜନାକୁ ସେ ସ୍ୱାଗତ କରିଥିଲେ। ଅବଶ୍ୟ ଶେଷକୁ ‘ଆୟୁଷ୍ମାନ ଭାରତ’ କଥା ଉଠାଇଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ସମାଲୋଚନା ନ କରି ନରମ ଆଭିମୁଖ୍ୟ ଦେଖାଇ ଆୟୁଷ୍ମାନ ଲାଗୁ କରିବାକୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନା ଦେଶର ୨୯ଟି ରାଜ୍ୟ ଲାଗୁ କରିବାକୁ ସହମତି ପ୍ରକାଶ କରିଥିବାରୁ ଓଡ଼ିଶାରେ ମଧ୍ୟ ଏହାକୁ ଲାଗୁ କରିବାକୁ ନବୀନ ବାବୁ ସମର୍ଥନ କରନ୍ତୁ ବୋଲି ସେ କହିଥିଲେ। ଶ୍ରୀ ଚୌବେଙ୍କ ପ୍ରଶଂସା ସମ୍ପର୍କରେ ଗଣମାଧ୍ୟମରେ ପ୍ରସାରିତ ହେଲା ପରେ ବିଜେପି ଅଡ଼ୁଆରେ ପଡ଼ିଯାଇଥିଲା। ଏହା ପରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ଭୁବନେଶ୍ୱରରେ କେନ୍ଦ୍ର ମନ୍ତ୍ରୀଙ୍କ ମୁହଁରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଇବାକୁ ବିଜେପି ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା।

‘ପ୍ରତି ମେଡିକାଲ କଲେଜକୁ ୧୧୩ କୋଟି ଦେଇଛୁ’

ଭୁବନେଶ୍ୱର : କେନ୍ଦ୍ର ସରକାର ନୂଆ ମେଡିକାଲ କଲେଜ ପାଇଁ ୬୫ କୋଟି ଟଙ୍କା ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ। କିନ୍ତୁ ତାହାର ପ୍ରତିବାଦ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ। କହିଛନ୍ତି, ଗୋଟିଏ ମେଡିକାଲ କଲେଜ ପ୍ରକଳ୍ପ ପାଇଁ ୧୭୯ କୋଟି ଟଙ୍କା ଖର୍ଚ୍ଚ ହୁଏ। ରାଜ୍ୟରେ ୪ଟି ମେଡିକାଲ କଲେଜକୁ ୧୧୩ କୋଟି ହିସାବରେ କେନ୍ଦ୍ର ସରକାର ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି। ଦେଶ ସାରା ୫୮ଟି ମେଡିକାଲ କଲେଜକୁ କେନ୍ଦ୍ର ଏପରି ଅର୍ଥ ଦେଇଛି।

ବାଲେଶ୍ୱର ମେଡିକାଲ କଲେଜ ଉଦ୍‌ଘାଟନ ଉତ୍ସବକୁ ଆସିଥିବା ଶ୍ରୀ ଚୌବେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦ୍ରର ସହଯୋଗର ତାଲିକା ଦେଇଥିଲେ। ସେ କହିଥିଲେ, ଜଗନ୍ନାଥ ଧାମ ପୁରୀରେ ହେବାକୁ ଥିବା ପଞ୍ଚମ ମେଡିକାଲ କଲେଜ ପାଇଁ ୧୦୫ କୋଟି ଟଙ୍କା ଅନୁଦାନ ମିଳିସାରିଛି। ୮ କୋଟି ଟଙ୍କାର ୟୁସି ମିଳି ନ ଥିବାରୁ ବାକି ଅର୍ଥ ପ୍ରଦାନ କରାଯାଇପାରି ନାହିଁ। ଅନ୍ୟପଟେ ପୁରୀ ମେଡିକାଲ କଲେଜ ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି କାମ ଆରମ୍ଭ ନ ହେବା ଦୁର୍ଭାଗ୍ୟର ବିଷୟ। ଖୁବ୍‌ଶୀଘ୍ର ଏ ନେଇ ମନ୍ତ୍ରଣାଳୟକୁ ରିପୋର୍ଟ ଦେବେ। ଏହା ବାଦ୍‌ ରାଜ୍ୟରେ ତିନିଟି ମେଡିକାଲ କଲେଜରେ ସୁପର୍‌ ସ୍ପେସିଆଲିଟି ହସ୍ପିଟାଲ୍‌ ନିର୍ମାଣ ପାଇଁ ୧୩୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସୁପର୍‌ ସ୍ପେସିଆଲିଟି ହସ୍ପିଟାଲ୍‌ ପାଇଁ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜରେ ୯୨ ପ୍ରତିଶତ, ବୁର୍ଲାର ଭିଏସ୍‌ଏସ୍‌ ମେଡିକାଲ କଲେଜରେ ୩୨ ପ୍ରତିଶତ କାମ ସରିଛି। କେବଳ କଟକ ଏସ୍‌ସିବି ମେଡିକାଲ କଲେଜର ଟେଣ୍ଡର୍‌ କାର୍ଯ୍ୟ ଏବେ ଚାଲୁ ରହିଛି। ଚଳିତ ବର୍ଷ ଦେଶର ବିଭିନ୍ନ ସ୍ଥାନରେ ୧୫ ହଜାର େଓ୍ଵଲ୍‌ନେସ୍‌ ସେଣ୍ଟର୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କଲା ବିଜେପି

ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ଅସମ୍ମାନ କରାଯାଇଥିବା ନେଇ ଅଭିଯୋଗ କରିଛି ବିଜେପି। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନବନିର୍ମିତ ଫକୀର ମୋହନ ମେଡିକାଲ କଲେଜର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବାକୁ ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଶ୍ରୀ ଚୌବେ ପହଞ୍ଚିଥିଲେ। ମାତ୍ର ତାଙ୍କୁ ସ୍ୱାଗତ କରିବାକୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ କିମ୍ବା କୌଣସି ଉଚ୍ଚ ପଦାଧିକାରୀ ଉପସ୍ଥିତ ନ ରହିବା ଦୁର୍ଭାଗ୍ୟଜନକ। ସେ ବାଲେଶ୍ୱରକୁ ହେଲିକପ୍ଟର୍‌ୁ ଯୋଗେ ଯିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷରେ ଏହା ବାତିଲ୍‌ କରାଯାଇଥିଲା। କେନ୍ଦ୍ର ମନ୍ତ୍ରୀଙ୍କୁ ‘ଓ୍ଵାଇ’ କାଟାଗୋରି ସୁରକ୍ଷା ମିଳିବା କଥା। କିନ୍ତୁ ତାହା କରାଯାଇ ନ ଥିଲା। ସେହିପରି କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଅର୍ଥ ଦେଉଥିଲେ ବି ମେଡିକାଲ କଲେଜ ଉଦ୍‌ଘାଟନ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀଙ୍କ ନାମ କିମ୍ବା ଫଟୋ ନ ଦେଇ ରାଜ୍ୟ ସରକାର ହୀନ ରାଜନୀତି କରିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେୁ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

ଜିଲ୍ଲାପାଳଙ୍କ ଉପରେ ଚିଡ଼ିଗଲେ ଚୌବେ

ଲୋକାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ଆସିଥିବା ବେଳେ ଅନ୍ୟତମ ଅତିଥି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଯାଜପୁରରୁ ସଡ଼କ ପଥରେ ଆସ ବାଲେଶ୍ୱରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇବା ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ବି ଉତ୍ସବସ୍ଥଳରେ ପହଞ୍ଚିଥିଲା। ମାତ୍ର ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ବ୍ୟସ୍ତ ହୋଇଯିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଆବଶ୍ୟକ ଏସକର୍ଟ ଯୋଗାଇ ଦିଆଯାଇନଥିଲା। ଏହାଛଡ଼ା ମେଡିକାଲ କଲେଜ ପରିସରରେ ତାଙ୍କ ଗାଡ଼ି ପ୍ରବେଶ କରିବା ପରେ ପ୍ରଶାସନର କୌଣସି ଅଧିକାରୀ ତାଙ୍କୁ ପାଛୋଟି ନେବାକୁ ଆସିନଥିଲେ। ଫଳରେ ମନ୍ତ୍ରୀ ଶ୍ରୀ ଚୌବେ ଏମିତି ଚିଡ଼ି ଯାଇ ଗେଟ୍‌ ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଡାକି ସୁରକ୍ଷା ଓ ପ୍ରଟୋକଲ୍‌ରେ ଏଭଳି ଅବ୍ୟବସ୍ଥା ପାଇଁ ତାଙ୍କ ଉପରେ ବର୍ଷିଥିଲେ।

ଠେଲାପେଲାର ଶିକାର ହେଲେ ଚୌବେ ଓ ଅନନ୍ତ

ମେଡିକାଲ କଲେଜର ଲୋକର୍ପଣ ପାଇଁ ମୁଖ୍ୟଫାଟକ ସ୍ଥିତ ଫକୀରମୋହନଙ୍କ ପ୍ରତିମୂର୍ତ୍ତି ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ରାଜ୍ୟ ଉଚ୍ଚ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଅପେକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଦଳୀୟ କର୍ମୀଙ୍କ ଭିଡ଼ ସେଠାରେ ଏତେ ବଢ଼ି ଯାଇଥିଲା ଯେ, ଠେଲାପେଲା ଭିତରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌବେ, ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ଦାସ ଓ ବିଧାୟକ ଶ୍ରୀ ଦାସ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନ ଥିଲେ। ଏମିତିକି ମନ୍ତ୍ରୀ ଶ୍ରୀ ଦାସ ମୁହଁମାଡ଼ି ତଳେ ପଡ଼ିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶ୍ରୀ ଚୌବେ ତାଙ୍କୁ ଧରି ପକାଇଥିଲେ।

ସମ୍ବନ୍ଧିତ ଖବର