ମିଥ୍ୟା ସତ୍ୟପାଠ ମାମଲା : ଅଡ଼ୁଆରେ ବୈଜୟନ୍ତ

କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଝଟ୍‌କା, ଟାଉନ୍‌ ଥାନାରେ ରୁଜୁ ହେବ ମାମଲା

କେନ୍ଦ୍ରାପଡ଼ା/ଭୁବନେଶ୍ୱର : ଆକାଶରୁ ତୋଳି ଆଣିବା ଭଳି ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ସମସ୍ତଙ୍କୁ ଚକ୍‌ମା ଦେଉଥିଲେ ବିଜେଡିରୁ ନିଲମ୍ବିତ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ଅଡୁଆରେ ପଡୁଥିଲା ବିଜେଡି ଓ ସରକାର। ଏବେ କିନ୍ତୁ ଭାଗ୍ୟ ଓଲଟା ଖେଳ ଆରମ୍ଭ କରିଛି। ଗୋଟିଏ ପରେ ଗୋଟିଏ ବ଼ଡ଼ ବିପଦ ତାଙ୍କ ଆଡ଼କୁ ମାଡି ଆସିଲାଣି। ଛନ୍ଦି ହୋଇଗଲେଣି ନିଜେ ସାଂସଦ।

ରାୟଗଡାରେ ଇମ୍ଫା ବିରୋଧରେ କର୍ମଚାରୀ ମେଳି ବାନ୍ଧିଥିବା ବେଳେ ଏପଟେ ତାଙ୍କ ନିର୍ବାଚନମଣ୍ଡଳୀରେ ସାଂସଦଙ୍କ ବିରୋଧରେ ଏସ୍‌ଡିଜେଏମ୍‌ କୋର୍ଟରେ ଯେଉଁ ମାମଲା ଦାଏର ହୋଇଥିଲା, ତାହା ତାଙ୍କ ପାଇଁ ମୁଣ୍ଡବ୍ୟଥା ହେଲାଣି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡ଼ା ଟାଉନ୍‌ ଥାନାରେ ମାମଲା ରୁଜୁ ହେବ। ଗତକାଲି କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବୈଜୟନ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ମିଥ୍ୟା ସତ୍ୟପାଠ ମାମଲାର ଶୁଣାଣି କରି ମାଜିଷ୍ଟ୍ରେଟ୍‌ ନିହାର ରଞ୍ଜନ ସାହୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ପଣ୍ଡାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହାର ତଦନ୍ତ କରି ଜୁଲାଇ ୨୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପୁଲିସକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ତାଙ୍କ ବିରୋଧରେ ଏକ ମିଥ୍ୟା ସତ୍ୟପାଠ ମାମଲା ବିଚାରାଧୀନ ଥିବା ବେଳେ ଗତକାଲି ଆଉ ଏକ ମାମଲା ରୁଜୁ ହୋଇଥିଲା।

ମିଳିଥିବା ଖବର ମୁତାବକ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଉଦୟନଗର ଗ୍ରାମର ଫକିର ମୋହନ ଦାସଙ୍କ ପୁଅ ଦିଲୀପ କୁମାର ଦାସ ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ ଏସ୍‌ଡିଜେଏମଙ୍କ କୋର୍ଟରେ ଅଭିଯୋଗ ଦାଏର କରିଥିଲେ। ୨୦୧୪ ଲୋକସଭା ନିର୍ବାଚନ ବେଳେ ସାଂସଦ ଶ୍ରୀ ପଣ୍ଡା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ମନୋନୟନପତ୍ର ଦାଖଲ ବେଳେ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଶ୍ରୀ ଦାସଙ୍କ ଅଭିଯୋଗ ଅନୁଯାୟୀ ସାଂସଦ ଶ୍ରୀ ପଣ୍ଡା ୨୦୧୪ ମାର୍ଚ୍ଚ ୨୬ ତାରିଖରେ ଦାଖଲ କରିଥିବା ସତ୍ୟପାଠରେ ନିଜକୁ ଜଣେ ସମାଜସେବୀ ଭାବେ ଦର୍ଶାଇଥିଲେ। ହେଲେ ଶ୍ରୀ ପଣ୍ଡା ଇମ୍ଫା କମ୍ପାନିର ଉପସଭାପତି ପଦରେ ରହି କୋଟି କୋଟି ଟଙ୍କା ଦରମା ନେଇଥିବା ସଂପର୍କରେ କେତେକ ଗଣମାଧ୍ୟମରୁ ଜଣାପଡ଼ିଥିଲା। ଏଭଳି ମିଛ ସତ୍ୟପାଠ ଦେଇଥିବାରୁୁ ଶ୍ରୀ ପଣ୍ଡାଙ୍କର ସାଂସଦ ପଦ ରଦ୍ଦ ପାଇଁ ଶ୍ରୀ ଦାସ ଅଦାଲତଙ୍କୁ ଅନୁରୋଧ କରିଥିଲେ।

ସାଂସଦ ଶ୍ରୀ ପଣ୍ଡାଙ୍କ ନାମରେ କେନ୍ଦ୍ରାପଡା ଏସ୍‌.ଡି.ଜେ.ଏମ୍‌.ଙ୍କ କୋର୍ଟରେ ୨୬୦/୨୦୧୮ରେ ଏକ ୧ସି.ସି. (କମ୍ପ୍ଲେନ କେସ) ମାମଲା ଜନ ପ୍ରତିନିଧି ଆଇନର ୧୨୫(କ), ଆଇପିସିର ଦଫା ୪୧୫, ୪୧୬, ୪୧୭, ୪୧୮, ୪୧୯, ୪୨୦ ଧାରାରେ ଦାୟର ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୌମ୍ୟରଂଜନ ମହାନ୍ତି, ଅଜିତ ରାଉତ ମାମଲା ପରିଚାଳନା କରୁଛନ୍ତି।

ମାମଲା ରୁଜୁ କରି ତଦନ୍ତ ରିପୋର୍ଟ ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ, ଏ ପର୍ଯ୍ୟନ୍ତ କିନ୍ତୁ ଏ ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ ବୋଲି କହିଛନ୍ତି ଟାଉନ ଥାନା ଆଇଆଇସି ତପନ କୁମାର ସାହୁ। ଅଦାଲତଙ୍କ ନିର୍ଦ୍ଦେଶ ମିଳିବା ପରେ ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଇଆଇସି କହିଛନ୍ତି। ସେପଟେ ସାଂସଦଙ୍କ ରାଜନୈତିକ ସଚିବ ଜ୍ୟୋତି ପ୍ରକାଶ ଘୋଷ ଜଣାଇଛନ୍ତି ଯେ ଏହି ମାମଲାରେ ଆଇନ ତା ବାଟରେ ଯିବ ଓ ସତ୍ୟର ଜୟ ହେବ।

ସମ୍ବନ୍ଧିତ ଖବର