କରୋନାକୁ ନେଇ କରୁଣ ପରିଣତି : ପରିବାର ଲୋକ ବି ପ୍ରବାସୀଙ୍କ ଶବ ଛୁଇଁଲେନି

କୁଚିଣ୍ଡା : କରୋନା ଯୋଗୁଁ କେତେ ଯେ କରୁଣ ପରିସ୍ଥିତି ଉପୁଜୁଛି, ତାହା ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ବାଲିତୁରେଇ ଗ୍ରାମରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ିଛି। ଗାଁ ଲୋକଙ୍କ କଥା ଛାଡ଼ ନିଜ ପରିବାର ଲୋକ ଶେଷ ସମୟରେ ତାଙ୍କ ପାଖ ମାଡ଼ି ନଥିଲେ। ଯୁବକଙ୍କ ମୃତ୍ୟୁ ହୋଇଯିବା ପରେ ପରିବାର କି ଗାଁ ଲୋକଙ୍କ ତାଙ୍କ ଶବକୁ ଛୁଇଁ ନଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଗାଁ ଲୋକ କରୋନା ଆଶଙ୍କା କରି ତାଙ୍କ ପାଖକୁ ଯାଇ ନଥିଲେ। ଏହାକୁ ନେଇ ଗାଁରେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ଏହି ଗାଁର ମାର୍ଶାଲ ମୁଣ୍ଡା(୪୦) ସୋମବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା। ବାହାର ରାଜ୍ୟରୁ ଆସିଥିବାରୁ ତାଙ୍କ ମୃତ୍ୟୁକୁ ନେଇ ଗାଁ ଲୋକ ସନ୍ଦେହ ପ୍ରକାଶ କରିଥିଲେ। ଖବରପାଇ ପୁଲିସ ଗାଁରେ ପହଞ୍ଚି ଶବ ନେଇ ବ୍ୟବଚ୍ଛେଦ କରାଇଥିଲା। ମୃତ ମାର୍ଶାଲ ରୋଜଗାର ଆଶାରେ ଛତିଶଗଡ଼ ରାୟଗଡ଼ ଯାଇଥିଲେ। ସେଠାରେ ଜାମଗାଁର ଏକ ଆଇରନ୍‌ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କରୁଥିଲେ। ସେଠାରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଘରକୁ ନେଇଯିବାକୁ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ସେ କାମ କରୁଥିବା କମ୍ପାନି ପକ୍ଷରୁ ଏକ ଗାଡ଼ିରେ ଗତ ୧୮ ତାରିଖରେ ତାଙ୍କୁ କନକତୋରା ନିକଟସ୍ଥ ନାକାଡେରା ଚେକଗେଟ୍‌ରେ ଛାଡ଼ି ଦିଆଯାଇଥିଲା। ସେଠାରୁ ସେ ଏକ ବାଇକ୍‌ରେ ଗାଁକୁ ଫେରିଥିଲେ। ମାତ୍ର ବାହାର ରାଜ୍ୟରୁ ଆସିଥିବା ସଂପର୍କରେ ସେ ପ୍ରଶାସନ କିମ୍ବା ପୁଲିସକୁ କିଛି ସୂଚନା ଦେଇ ନଥିଲେ। ସୋମବାର ସନ୍ଧ୍ୟାରେ ମାର୍ଶାଲ ବାଲିତୁରେଇରେ ପହଞ୍ଚିଥିଲେ। ଘରେ ପହଞ୍ଚିବା ପରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ମେଡିକାଲ୍‌କୁ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କରୋନା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହରେ କରି କେହି ତାଙ୍କ ପାଖ ମାଡ଼ି ନଥିଲେ।

ଖବରପାଇ ମହୁଲପାଲି ପୁଲିସ ଓ ବାମରା ତହସିଲଦାର ଶବକୁ କୁଚିଣ୍ଡା ଆଣି ବ୍ୟବଚ୍ଛେଦ କରାଇ ଗାଁକୁ ନେଇଥିଲେ। ମାତ୍ର, ଗ୍ରାମର ଲୋକ କିମ୍ବା ତାଙ୍କ ପରିବାର ତାର ଶବ ସଂସ୍କାର କରିବା ପାଇଁ କେହି ପାଖକୁ ନଆସିବାରୁ ମହୁଲପାଲି ଥାନା ଅଧିକାରୀ ଜ୍ୟୋତ୍ସ୍ନା ବେହେରା ଓ ବାମରା ତହସିଲଦାର ଅନିଲ କୁଲୁ ଉପସ୍ଥିତ ରହି ଏହି କାମକୁ ସଂପୂର୍ଣ୍ଣ କରିଥିଲେ। ଘଟଣା ନେଇ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର