ପୁଣି ରାସ୍ତା ନଥିବାରୁ ଆସି ପାରୁନି ଆମ୍ବୁଲାନ୍ସ : କାନ୍ଧରେ, ଖଟିଆରେ ପ୍ରସୂତି

0 46

ପାଲଲହଡ଼ା/ଉମରକୋଟ : ଥମୁନି ଜନନୀ ଯନ୍ତ୍ରଣା। ରାସ୍ତାଘାଟ ନଥିବାରୁ ପ୍ରସୂତିଙ୍କୁ ନାହିଁ ନଥିବା ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ୁଛି। କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ଅନୁଗୁଳ ଓ ନବରଙ୍ଗପୁର ଜିଲ୍ଲାରେ ଆଜି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି।

ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ କରଡ଼ାପାଳ ପଞ୍ଚାୟତର ସହରଗୁରୁଜାଙ୍ଗ ଗ୍ରାମଠାରୁ ୬ କିଲୋମିଟର ନୂଆଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସହରଗୁରୁଜାଙ୍ଗଠାରୁ ପୁଟୁକାମଲ ଛକ ଯାଏ ରାସ୍ତାରେ ଆଣ୍ଠୁଏ କାଦୁଅ ଜମି ରହିଛି। ଏହି କାଦୁଅ ରାସ୍ତା ଯୋଗୁଁ ଆଜି ୧୦୮ ଆମ୍ବୁଲାନ୍ସ ନୂଆଗାଁକୁ ଆସି ନପାରି ଗାଁ ମୁଣ୍ଡରେ ଅଟକି ରହିଥିଲା। ନିରୁପାୟ ହୋଇ ପରିବାର ଲୋକ ଆସନ୍ନ ପ୍ରସବା ମହିଳା ରାଜେନ୍ଦ୍ର ଶୁଣ୍ଢିଙ୍କ ପତ୍ନୀ ଗୁରୁବାରୀଙ୍କୁ ଏକ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଯାଇଥିଲେ। ସେଠାରୁ ଆମ୍ବୁଲାନ୍ସରେ ପ୍ରସୂତିଙ୍କୁ ପାଳଲହଡ଼ା ଡାକ୍ତରଖାନା ନିଆଯାଇଥିଲା।

ସେହିପରି, ନବରଙ୍ଗପୁରର ଉମରକୋଟ ବ୍ଲକ୍‌ କୁର୍ସୀ ପଞ୍ଚାୟତ ଅନ୍ତର୍ଗତ ତେଲାରୀ ଗ୍ରାମର ମୁକୁ ସାନ୍ତାଙ୍କ ପତ୍ନୀ ଦଶାଇ ସାନ୍ତା ଗତକାଲି ରାତିରେ ପ୍ରସବ ବେଦନା ଅନୁଭବ କରିଥିଲେ। ଗାଁ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ରହିଥିବାରୁ ପରିବାର ଲୋକ ଘରେ ହିଁ ପ୍ରସବ କରାଇବାକୁ ମନସ୍ଥ କରିଥିଲେ। ତେବେ ଭୋର ପ୍ରାୟ ୩ ଟାରେ ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ଦଶାଇଙ୍କ ପରିବାର ଲୋକ ଆମ୍ବୁଲାନ୍‌ସକୁ ଫୋନ କରିଥିଲେ। କିନ୍ତୁ ଗାଁ ରାସ୍ତା କାଦୁଅରେ ଭର୍ତି ହୋଇଯାଇଥିବାରୁ ଗାଁ ଠାରୁ ୩କିଲୋମିଟର ଦୂର କୁର୍ସୀ ଗ୍ରାମ ନିକଟରେ ଆମ୍ବୁଲାନ୍‌ସ ଅଟକି ଯାଇଥିଲା। ଏହି ଖବର ପାଇବା ପରେ ପରିବାର ଲୋକ ଓ ସଂପର୍କୀୟ ଦଶାଇଙ୍କୁ ଏକ ଖଟିଆରେ ଦୀର୍ଘ ୩କିଲୋମିଟର ରାସ୍ତା ବୋହି ଭୋର ପ୍ରାୟ ସାଢେ ୫ଟାରେ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚିଥିଲେ।

ଦୁଇ ମହିଳା ସନ୍ତାନ ପରେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ, ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.