ରାସ୍ତା ପାଇଁ ହିନସ୍ତା : ଖଟିଆରେ ବୁହାହେଲେ ପ୍ରସୂତି

ଆନନ୍ଦପୁର : ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍‌ସ ପହଞ୍ଚି ପାରିଲାନି। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଶେଷରେ ଖଟିଆରେ ବୋହି ଡାକ୍ତରଖାନା ଅଭିମୁଖେ ନିଆଗଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚି ପାରିଲେନି। ବାଟରେ ହିଁ ପ୍ରସବ ହେଇଗଲା। ସେହିପରି ଅନ୍ୟଜଣେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ଦୁଇ କିଲୋମିଟର ବୋହି ନେବାକୁ ପଡ଼ିଲା। ସେଠାରୁ ତାଙ୍କୁ ଆମ୍ବୁଲାନ୍‌ସରେ ଡାକ୍ତରଖାନା ନିଆଗଲା।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଗୟଳମୁଣ୍ଡା ଅଞ୍ଚଳରେ ସ୍ୱାସ୍ଥ୍ୟ ଓ ଗମନାଗମନର ଏଭଳି ବିପର୍ଯ୍ୟସ୍ତ ଚିତ୍ର ସାମନାକୁ ଆସିଛି। ଗୟଳମୁଣ୍ଡା ପଞ୍ଚାୟତର ଧବଣି ଗ୍ରାମରେ ଦୁଇଟିଯାକ ଘଟଣା ଘଟିଛି। ଗ୍ରାମର ରାବଣ ବାନସିଂଙ୍କ ପତ୍ନୀ ଜିଙ୍ଗି ବାନସିଂଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ପକ୍ଷରୁ ଆଜି ଭୋର୍‌ରୁ ୧୦୨ ଆମ୍ବୁଲାନ୍‌ସକୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍‌ସ ଗ୍ରାମର ଦୁଇକିମି ଦୂରରେ ଅଟକି ଯାଇଥିଲା। ଏଭଳି ପରିସ୍ଥିତିରେ ପରିବାର ଲୋକେ ଜିଙ୍ଗିଙ୍କୁ ଏକ ଖଟିଆରେ ବୋହି ଆଣିଥିଲେ। ଆଣିବାବେଳେ ଅଧା ରାସ୍ତାରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ଆମ୍ବୁଲାନ୍‌ସ କର୍ମଚାରୀ ଏକଥା ଜାଣିବା ପରେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ସେଠାରୁ ଚମ୍ପଟ ମାରିଥିଲେ। ଫଳରେ ଲୋକମାନେ ବାଧ୍ୟହୋଇ ପ୍ରସୂତି ଓ ଶିଶୁକନ୍ୟାଙ୍କୁ ଗୟଳମୁଣ୍ଡାରେ ଥିବା ମା’ଗୃହକୁ ଆଣିଥିଲେ। ଉଭୟ ମା’ ଓ ଶିଶୁକନ୍ୟା ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟ ଏକ ଘଟଣାରେ ସେହି ଗ୍ରାମର ଶଙ୍କର ହୋଙ୍କ ପତ୍ନୀ ଜାନ ହୋ(୨୩) ଅସୁସ୍ଥ ହୋଇପଡିବାରୁ ଗ୍ରାମବାସୀ ୧୦୮ ଆମ୍ବୁଲାନ୍‌ସକୁ ଖବର ଦେଇଥିଲେ। ଆମ୍ବୁଲାନ୍‌ସ ମଧ୍ୟ ପୂର୍ବଭଳି ରାସ୍ତା ଖରାପ ଯୋଗୁ ଗ୍ରାମ ମଧ୍ୟକୁ ପଶି ପାରିନଥିଲା। ଗ୍ରାମବାସୀ ଜାନ ହୋଙ୍କୁ ଏକ ଖଟିଆରେ ବୋହିନେଇ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚାଇଥିଲେ। ତାଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି।

ସମ୍ବନ୍ଧିତ ଖବର