ପରୀକ୍ଷାଫଳ ଖରାପ କାଳ ହେଲା : ବିଷ ପିଇଲେ ପରିବାରର ୩, ବଡ଼ପୁଅ ମୃତ; ମାଆ ଓ ସାନ ପୁଅ ଗୁରୁତର

ଭଦ୍ରକ/ବନ୍ତ : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଖରାପ ଫଳକୁ ନେଇ ଆଜି ବନ୍ତ ଥାନା ଅଧୀନ ନିଳୋକ ପଞ୍ଚାୟତ ତାଳବାଙ୍କ ଗାଁରେ ଅଭାବନୀୟ ଘଟଣା ଘଟିଛି। ସାନପୁଅର ପରୀକ୍ଷାଫଳ ଆଶାନୁରୂପ ହୋଇନଥିବାରୁ ବାପାଙ୍କ ତାଗିଦ୍‌କୁ ନେଇ ମା’ ଓ ଦୁଇ ପୁଅ ବିଷ ପିଇ ଦେଇଛନ୍ତି। ସେମାନେ ହେଲେ ଉକ୍ତ ଗାଁର ଯଦୁନାଥ ନାୟକଙ୍କ ପତ୍ନୀ ରୀତାରାଣୀ(୪୫), ବଡ଼ପୁଅ ଭବାନୀଶଙ୍କର(୨୨) ଓ ସାନପୁଅ ଶିବଶଙ୍କର(୧୮)। ସେମାନଙ୍କ ମଧ୍ୟରୁ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ପୁଅ ଭବାନୀଶଙ୍କରର ମୃତ୍ୟୁ ଘଟିଥିବାବେଳେ ମା’ ଓ ସାନପୁଅଙ୍କୁ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଥିବା ଶିବଶଙ୍କର ପରୀକ୍ଷାରେ ଖରାପ କରିଥିବାରୁ ବାପା ଯଦୁନାଥ ତାକୁ ତାଗିଦ୍‌ କରିଥିଲେ। ବାପାଙ୍କ ମୁହଁରୁ ଗାଳି ଶୁଣି ଶିବଶଙ୍କର ଘରୁ ପଳାଇ ଯାଇଥିଲା। ଏହିକଥାକୁ ନେଇ ପତ୍ନୀ ରୀତାଙ୍କ ସହ ଯଦୁନାଥଙ୍କ ଝଗଡ଼ା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ରୀତା ବିଷ ପିଇ ଦେଇଥିଲେ। କିଛି ସମୟ ପରେ ଘରକୁ ଫେରିବା ପରେ ଶିବ ମା’ଙ୍କୁ ଏପରି ଅବସ୍ଥାରେ ଦେଖି ବିଚଳିତ ହୋଇ ପଡ଼ିଥିଲା। ତା’ର ଭୁଲ୍‌ ପାଇଁ ମା’ ବିଷ ପିଇଥିବା ଜାଣି ସେ ମଧ୍ୟ ବିଷ ପିଇ ଦେଇଥିଲା। ତେବେ ଏତିକିରେ ପରିବାରର ଦୁର୍ଦଶା ଶେଷ ହୋଇ ନ ଥିଲା। ମା’ ଓ ସାନ ଭାଇ ବିଷ ପିଇ ଦେବା ଦେଖି ବଡ଼ପୁଅ ଭବାନୀଶଙ୍କର ମାନସିକ ଭାରସାମ୍ୟ ହରାଇ ବସିଥିଲା ଏବଂ ସେ ମଧ୍ୟ ବିଷ ପିଇ ଦେଇଥିଲା।

ପରିବାର ଓ ଗ୍ରାମବାସୀ ୩ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନେଇ ଯାଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ପୁଅ ଭବାନୀଶଙ୍କରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟପକ୍ଷରେ ରୀତା ଓ ଶିବଙ୍କ ସଂକଟାପନ୍ନ ହୋଇ ପଡ଼ିବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର