୨୪ ଘଣ୍ଟାରେ ମା’ପୁଅଙ୍କ ମୃତ୍ୟୁ : ଦୁହିଁଙ୍କ ଚକ୍ଷୁଦାନ କଲେ ପରିବାର

ବ୍ରହ୍ମପୁର : ମାତ୍ର ୨୪ ଘଣ୍ଟା ବ୍ୟବଧାନରେ ସତେଯେମିତ ଡକାଡକି ହୋଇ ଚାଲିଗଲେ ମା’-ପୁଅ! ମା’ ଆଖିରେ ଆଉ କେହି ଦୁନିଆ ଦେଖିବ ବୋଲି ବଡ଼ପୁଅ ଚକ୍ଷୁଦାନ କରିଥିଲେ। ମା’ଙ୍କ ଜୁଇ ନଲିଭୁଣୁ ସେହି ବଡ଼ପୁଅଙ୍କର ବି ମୃତ୍ୟୁ ହୋଇଗଲା। ଏହିଭଳି ଏକ ଦାରୁଣ ବିପର୍ଯ୍ୟୟରେ ଉଭୟ ମା’-ପୁଅଙ୍କ ଚକ୍ଷୁଦାନ କରାଯାଇଛି। ବ୍ରହ୍ମପୁର ସହର କପିଳେଶ୍ୱରପେଟା ସାହିରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କପିଳେଶ୍ୱରପେଟା ସାହିରେ ବସବାସ କରନ୍ତି ଟି.କାମେଶ୍ୱର ରାଓଙ୍କ ପରିବାର। ଗତକାଲି ରାତି ୩ଟାରେ କାମେଶ୍ୱରଙ୍କ ମା’ ପାର୍ବତୀ (୭୮ବର୍ଷ)ଙ୍କର ଦେହାନ୍ତ ହୋଇଗଲା। ପୂର୍ବରୁ କାମେଶ୍ୱରଙ୍କ ପ୍ରେରଣାରେ ପାର୍ବତୀଙ୍କ ଦୁଇ ଆଖିର କର୍ଣ୍ଣିଆ ଏମ୍‌କେସିଜି ମେଡିକାଲ କଲେଜକୁୁ ଦାନ କରାଯାଇଥିଲା। ତଦନୁଯାୟୀ, ମା’ଙ୍କ ଚକ୍ଷୁକୁ ଦାନ କରିବାର ସମସ୍ତ ବ୍ୟବସ୍ଥା କରିଥିଲେ। ତା’ପରେ ଶବ ସତ୍କାର ପରେ ଘରକୁ ଫେରି ଆସିଥିଲେ। ଘରେ ପହଞ୍ଚବା ପରେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ କାମେଶ୍ୱର (୫୭ବର୍ଷ)। ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ନିଆଯାଇଥିଲା। କିନ୍ତୁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମା’ର ମୃତ୍ୟୁର ୨୪ ଘଣ୍ଟା ନପୂରୁଣୁ କାମେଶ୍ୱରଙ୍କ ମୃତ୍ୟୁ ଘଟଣାରେ ସାରା ସାହିର ଲୋକମାନେ ହତବାକ୍‌ ହୋଇଯାଇଥିଲେ। ମଶାଣିକୁ ନେବା ପାଇଁ କାମେଶ୍ୱରଙ୍କ ଶବ ସଜଡ଼ା ହେଉଥିବାବେଳେ ହଠାତ୍‌ ତାଙ୍କ ପତ୍ନୀ ସ୍ୱାମୀଙ୍କ ଚକ୍ଷୁଦାନ କରିବା ପାଇଁ ନିଷ୍ପତ୍ତି ନେଲେ। ତାଙ୍କ ଅନୁରୋଧ କ୍ରମେ କାମେଶ୍ୱରଙ୍କ ଦୁଇ ଆଖି (କର୍ଣ୍ଣିଆ)କୁ ଦାନ କରାଯାଇଥିଲା।

ଏମ୍‌କେସିଜି ମେଡିକାଲ କଲେଜର ଚକ୍ଷୁ ବିଭାଗ ମୁଖ୍ୟ ବି.ନାଗେଶ୍ୱର ରାଓ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ଡା.ଦେବାଶିଷ ମହାପାତ୍ର, ଓ ମେକ୍ସିମାସ୍‌ ଏମ୍‌.କେରକଟା ଅସ୍ତ୍ରୋପଚାର କରି ଏହି ଚକ୍ଷୁ ସଂଗ୍ରହ କରିଥିଲେ। ଏଥିରେ ଫେଣ୍ଡସ ହେଲ୍ପିଂ କ୍ଲବର ସଦସ୍ୟ ଜେ.ସୁରେଶ, କେଏନ୍‌.ସେନାପତି, ଭିଭି.ରାଜୁ, ଇ.ଜଗଦୀଶ୍ୱର ରାଓ, ଏସ୍‌.ଦୁର୍ଗପ୍ରସାଦ, କେ.ରାମଗୋପାଲ, କେ.ପୁରୁଷୋତ୍ତମ ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିଲେ।

ମୃତ ଟି.କାମେଶ୍ୱର ରାଓ ବି ଜଣେ ସମାଜସେବୀ ଥିଲେ। ମାତୃ ଓ ଶିଶୁ ମଂଗଳ କେନ୍ଦ୍ରର ସମ୍ପାଦକ, ଲୁଗା ବ୍ୟବସାୟୀ ସଂଘର ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ। ଫ୍ରେଣ୍ଡସ୍‌ ହେଲ୍ପିଂ କ୍ଲବର ପୂର୍ବତନ ସଭାପତି, ବ୍ରହ୍ମପୁର ଦେବାଙ୍ଗ ସଂଘର ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ। କାମେଶ୍ୱର ଓ ତାଙ୍କ ମା’ଙ୍କୁ ହରାଇଥିବା ଏହି ପରିବାର ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମସ୍ତଙ୍କ ଆ-ହା-ଚୁ-ଚୁ ଭିତରେ ବି ପ୍ରଶଂସା ଅଜାଡ଼ି ହୋଇପଡ଼ିଛି। ସେହି ଦୁଃଖ ସତ୍ତ୍ୱେ ଦୁହିଁଙ୍କ ଆଖିରେ ଆଉ କେହି ଦୁନିଆ ଦେଖିବ ବୋଲି ପରିବାର ଲୋକଙ୍କ ମନରେ କେହି ଯେମିତି ଆଶ୍ୱାସନା ଟିକକ ଭରିଦେଇଛି।

ଏହାପୂର୍ବରୁ ଏଭଳି ଏକ ଘଟଣା ଗତ ବର୍ଷ ଡିସେମ୍ବର ମାସ ବଡ଼ଦିନରେ ଗାନ୍ଧୀନଗରରେ ଦେଖିବାକୁ ମିଳିଥିଲା। ୩୧ ବର୍ଷର ପୁଅ ମୃତ୍ୟୁରେ ମ୍ରିୟମାଣ ହୋଇ ମା’ ଆଖି ବୁଜିଥିଲେ। ଫ୍ରେଣ୍ଡସ୍‌ ହେଲ୍ପିଂ କ୍ଲବର ସହଯୋଗରେ ଦୁହିଁଙ୍କ ଚକ୍ଷୁଦାନ ହୋଇଥିଲା।

ସମ୍ବନ୍ଧିତ ଖବର