ପରିବାର ପାଇଁ ଅଲୋଡ଼ା ପାଲଟିଲେ : ଡାକ୍ତରଖାନାରୁ ଶବ ନେଲେନି

ପୁରୀ : ସେପ୍ଟିସେମିଆ ରୋଗରେ ପୀଡ଼ିତ ଜଣେ ୫୨ ବର୍ଷର ବ୍ୟକ୍ତିଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଛାଡ଼ି ଚାଲିଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ସମୟ ଧରି ୱାର୍ଡରେ ଶବ ପଡ଼ି ରହିଥିବା ବେଳେ ଶେଷରେ ପୁଲିସ ମୃତଦେହକୁ ନେଇ ଶବ ସଂରକ୍ଷଣ ଗୃହରେ ରଖିଛି।

ଖବର ନେବାରେ ଜଣାପଡ଼ିଛି ଯେ, ଟାଉନ ଥାନା ଅନ୍ତର୍ଗତ ମଣିକର୍ଣ୍ଣିକା ସାହି ନିବାସୀ ରାଧାକାନ୍ତ ଖୁଣ୍ଟିଆଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ଆଜି ପୂର୍ବାହ୍ନ ୯ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରାଧାକାନ୍ତଙ୍କ ଚିକିତ୍ସା ଆରମ୍ଭ ହେବା ସମୟରେ ତାଙ୍କୁ ତାଙ୍କ ପରିବାର ଲୋକେ ଛାଡ଼ି ପଳାଇଥିଲେ। ରୋଗୀଙ୍କୁ ଆବଶ୍ୟକ ସେବା ଯୋଗାଇବା ପାଇଁ ପାଖରେ କେହିନଥିଲେ। ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍‌ରେ ରାଧାକାନ୍ତଙ୍କର ମୃତ୍ୟୁ ହୋଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ରାଧାକାନ୍ତଙ୍କ ପରିବାର‌ ଲୋକେ ଡାକ୍ତରଖାନାକୁ ଆସିନଥିଲେ। ମେଡ଼ିସିନ ୱାର୍ଡରେ ରାଧାକାନ୍ତଙ୍କର ଶବ ପଡ଼ି ରହିବାରୁ ଅନ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ପୁଲିସ ଶବକୁ ନେଇ ଯାଇଥିଲା।

ସମ୍ବନ୍ଧିତ ଖବର