କୁକୁର ବନ୍ଧ୍ୟାକରଣ : ୬ ନୂଆ ସହରରେ ଆରମ୍ଭ ହେବ

ଭୁବନେଶ୍ବର : ରାଜ୍ୟର ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଧୀମେଇ ଯାଇଛି। ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଭିତ୍ତିଭୂମିଠାରୁ ଆରମ୍ଭ କରି ଡାକ୍ତରଙ୍କ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା କିଛିବର୍ଷ ପାଇଁ ଯଦି ଏଭଳି ପରିସ୍ଥିତି ଲାଗି ରହେ ତେବେ କୁକୁରଙ୍କ ସଂପୂର୍ଣ୍ଣ ବନ୍ଧ୍ୟାକରଣ ଆଶା ମଉଳିଯିବା ଆଶଙ୍କା କରାଯାଉଛି।

ପ୍ରାଣୀ ଜନ୍ମ ନିୟନ୍ତ୍ରଣ ବା ଏବିସି ଅଧୀନରେ ରାଜ୍ୟରେ ଏବେ ଭୁବନେଶ୍ବର ସମେତ କଟକ, ରାଉରକେଲା, ସମ୍ବଲପୁର ଓ ବାରିପଦାରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି। ଭୁବନେଶ୍ବରକୁ ବାଦ୍ ଦେଲେ ଅନ୍ୟ ସ୍ଥାନଗୁଡ଼ିକରେ ନିୟମିତ ଭାବେ ବନ୍ଧ୍ୟାକରଣ ହୋଇପାରୁ ନାହିଁ। ଗୋଟିଏ ସହରରେ ବର୍ଷକୁ ଯେତିକି ବନ୍ଧ୍ୟାକରଣ ଟାର୍ଗେଟ୍‌ ରହୁଛି ତାହା ପୂରଣ ହୋଇପାରୁ ନାହିଁ। ଏବିସିରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରରେ ଏବେ ପ୍ରାୟ ୪୧ହଜାର ବୁଲା କୁକୁର ରହିଛନ୍ତି। ତହିଁରୁ ଚଳିତବର୍ଷ ମାର୍ଚ ମାସ ଶେଷ ସୁଦ୍ଧା ୨୦ହଜାର ୭୬୪ଙ୍କ ବନ୍ଧ୍ୟାକରଣ ହୋଇପାରିଛି। କଟକ ଓ ଚୌଦ୍ବାରକୁ ମିଶାଇ ୫୫ହଜାର ବୁଲା କୁକୁର ରହିଥିଲେ ହେଁ ମାତ୍ର ୭୯୯ କୁକୁରଙ୍କ ବନ୍ଧ୍ୟାକରଣ ସମ୍ଭବ ହୋଇପାରିଛି। ପୂର୍ବରୁ କଟକରେ ଏକ ଏନ୍‌ଜିଓ ସହାୟତାରେ ବନ୍ଧ୍ୟାକରଣ କରାଯାଉଥିଲେ ହେଁ ପରବର୍ତୀ ସମୟରେ ଏହା ବନ୍ଦ ହୋଇଯାଇଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ଏବିସି ସହାୟତାରେ ବନ୍ଧ୍ୟାକରଣ ଆରମ୍ଭ ହୋଇଛି। ରାଉରକେଲାରେ ୧୨ହଜାର ବୁଲା କୁକୁର ରହିଥିବା ଅନୁମାନ କରାଯାଉଥିଲେ ହେଁ ଏ ପର୍ଯ୍ୟନ୍ତ ୩୨୫୯ଙ୍କ ବନ୍ଧ୍ୟାକରଣ ‌କରାଯାଇଛି। ସମ୍ବଲପୁରରେ ୧୪ହଜାର ବୁଲା କୁକୁରଙ୍କ ମଧ୍ୟରୁ ୧୪୫୩ ଓ ବାରିପଦାରେ ୭ହଜାର ବୁଲା କୁକୁରଙ୍କ ମଧ୍ୟରୁ ୭୧୩ କୁକୁରଙ୍କ ବନ୍ଧ୍ୟାକରଣ ହୋଇଛି। ଅଧିକାଂଶ ସ୍ଥାନରେ ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାଣୀ ଚିକିତ୍ସକ ନାହାନ୍ତି। ରାଜଧାନୀରେ ୧୨୦କୁକୁରଙ୍କ ବନ୍ଧ୍ୟାକରଣ ପାଇଁ କେନେଲ୍ ରହିଥିବା ବେଳେ ଅନ୍ୟସବୁ ସ୍ଥାନଗୁଡ଼ିକରେ ମାତ୍ର ୨୦ଟି ଲେଖାଏଁ କେନେଲ୍ ରହିଛି। ଆଗାମୀ ଦିନରେ ରାଜଧାନୀରେ କେନେଲ ସଂଖ୍ୟାକୁ ୪ଶହ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି।

ଅପରପକ୍ଷରେ ବୁଲା କୁକୁରଙ୍କ ବୃଦ୍ଧିକୁ ନଜରରେ ରଖି ଆଗାମୀ ଦିନରେ ବ୍ରହ୍ମପୁର, ବାଲେଶ୍ବର, ବଲାଙ୍ଗୀର, ଭବାନୀପାଟଣା, ଜଗତସିଂହପୁର ଓ କନ୍ଧମାଳରେ ଏବିସି ବା ବନ୍ଧ୍ୟାକରଣ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ରାଜଧାନୀରେ ବର୍ଷକୁ ୧୦ ପ୍ରତିଶତ ହାରରେ ବୁଲା କୁକୁରଙ୍କ ସଂଖ୍ୟାରେ ବୃଦ୍ଧି ହେଉଛି। ତେଣୁ ବର୍ଷକୁ ୬ହଜାର ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ରଖିଛି ସହିଦନଗର ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଳୟ। ଏହି ଅନୁପାତରେ ଯଦି ବନ୍ଧ୍ୟାକରଣ ଜାରି ରୁହେ ତେବେ ଆସନ୍ତା ୨୦୨୮/୨୯ ମସିହା ସୁଦ୍ଧା ବୁଲା କୁକୁରଙ୍କ ସଂଖ୍ୟା ପ୍ରା‌ୟ ୩ହଜାରକୁ ଖସିଆସିବ ବୋଲି କୁହାଯାଉଛି। ମାତ୍ର ପ୍ରାଣୀ ଚିକିତ୍ସକଙ୍କ ଅଭାବ ଏଥିରେ ବାଧକ ସାଜିଛି।

ପ୍ରାଣୀ ଚିକିତ୍ସା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, କେନେଲ ଓ ପ୍ରାଣୀ ଚିକିତ୍ସକଙ୍କ ଅଭାବ ଯୋଗୁଁ ଧାର୍ଯ୍ୟ ବନ୍ଧ୍ୟାକରଣ ଲକ୍ଷ୍ୟ ହାସଲ ହୋଇପାରୁ ନାହିଁ। ଆଗକୁ ନୂଆ ସ୍ଥାନରେ ବନ୍ଧ୍ୟାକରଣ ଆରମ୍ଭ ହେବା ପରେ ରାଜ୍ୟରେ ଅଧିକ ମାତ୍ରରେ କୁକୁରଙ୍କ ବନ୍ଧ୍ୟାକରଣ ଜାରି ରହିବ ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର