ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଆଉ ୧୬ ଦିନ: ୨ୟ ବର୍ଷରେ କଂସ ଭୂମିକା ଜାରି ରଖିବେ ଭୁବନ ପ୍ରଧାନ

ବରଗଡ଼: ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଆଉ ୧୬ ଦିନ ପରେ ଆରମ୍ଭ ହୋଇଯିବ। ମୁକ୍ତାକାଶ ରଙ୍ଗମଞ୍ଚରେ ମଂଚସ୍ଥ ହେଉଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଜାନୁଆରି ୧୧ରୁ ଆରମ୍ଭ ହୋଇ ପୌଷ ପୂର୍ଣ୍ଣିମା ଅବସରରେ ଜାନୁଆରି ୨୧ରେ ଶେଷ ହେବ। ଧନୁଯାତ୍ରା ପାଇଁ ଏବେ ଠାରୁ ବରଗଡ଼ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ଗତ ବର୍ଷ ଭଳି ଏଥର ମଧ୍ୟ କଂସ ଭୂମିକାରେ ଅଭିନୟ ଜାରି ରଖିବେ ଭୁବନ ପ୍ରଧାନ। ଏଥର ସେ ୨ୟ ବର୍ଷରେ କଂସ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ପୂର୍ବରୁ କିଛି କଳାକାର ଚଳିତ ବର୍ଷ ଧନୁଯାତ୍ରାରେ କଂସ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଆଶ ରଖିଥିଲେ କିନ୍ତୁ ଧନୁଯାତ୍ରା ସମନ୍ଵୟ କମିଟିର ଶନିବାର ବୈଠକରେ ଭୁବନଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲାପାଳ ନୀଳମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଗତବର୍ଷ ଧନୁଯାତ୍ରା ପରେ କଂସଙ୍କ ଭୂମିକାର ମାନ ଉପରେ ବୁଦ୍ଧିଜୀବୀ ଏବଂ କିଛି କଳାକାର ସଂଘ ପ୍ରଶ୍ନବାଚୀ ଉଠାଇଥିଲେ। ଏହା ପରେ କଳାକାର ଚୟନ କମିଟି କହିଥିଲା, ପ୍ରସିଦ୍ଧ ଧନୁଯାତ୍ରାରେ କିଏ କଂସ ଭୂମିକାରେ ଅଭୀନୟ କରିବା, ତାହା ଆମର ଦାୟୀତ୍ୱ ନୁହେଁ। ଧନୁଯାତ୍ରା ସମନ୍ଵୟ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଆଜି ସମନ୍ଵୟ ବୈଠକରେ ଭୁବନ ୨ୟ ଥର ପାଇଁ କଂସ ଭୂମିକାରେ ଅଭୀନୟ କରିବେ ବୋଲି ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ କିଛି ସମନ୍ଵୟ କମିଟିର କିଛି ସଦସ୍ୟ କହିଛନ୍ତି ଯେ, ଧନୁଯାତ୍ରା କମ ଦିନ ଥିବାରୁ କଂସ ଭୂମିକାରେ ନୂତନ କଳାକାର ଅଭୀନୟ କଲେ, ରିହରସଲ କରିବାକୁ ଉପଯୁକ୍ତ ସମୟ ମିଳିପାରିବ ନାହିଁ।

ସମ୍ବନ୍ଧିତ ଖବର