ବାତ୍ୟା ‘ଫନି’ର ୭ ମାସ ପରେ ବି ଶତାଧିକ କ୍ଷତିଗ୍ରସ୍ତଙ୍କୁ ମିଳିନି ସହାୟତା, ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କଲେ ଲୋକେ

ଭୁବନେଶ୍ୱର: ବାତ୍ୟା ‘ଫନି’ ୭ ମାସ ଅତିକ୍ରାନ୍ତ କରି ସାରିଛି କିନ୍ତୁ ସହାୟତାକୁ ନେଇ ହିସାବ ଛିଣ୍ଡୁନି। ପୁରୀ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ଫନି ସହାୟତା ପାଇନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଉଛନ୍ତି। ପୁରୀ ଜିଲ୍ଲାର ଶତାଧିକ ଲୋକ ଶୁକ୍ରବାର ଲୋକାୟୁକ୍ତଙ୍କ କାର୍ଯ୍ୟାଳୟକୁ ଆସି ଏନେଇ ଅଭିଯୋଗ କରିଛନ୍ତି। ସେପଟେ ଗୁରୁବାର ସାଲେପୁରରେ ୩ ସରାକାରୀ ଅଧିକାରୀଙ୍କୁ ବେଶ କିଛି ସମୟ ଧରି ଅଟକାଇ ରଖିଥିଲେ ସ୍ଥାନୀୟ ବାସିନ୍ଦା। ଆଉ ଏସବୁ ଭିତରେ ରାଜସ୍ୱ ମନ୍ତ୍ରୀ ସୁଦାମ ମରାଣ୍ଡି ଫନି ସହାୟତାର ହିସାବ ଦେଇଛନ୍ତି।

ରାସ୍ତା ମଝିରେ ସରକାରୀ ବାବୁ ହଟହଟା ହୋଇଛନ୍ତି। ଫନି ସହାୟତା ପାଇଁ ଲୋକ ଅଧିକାରୀଙ୍କୁ ଘେରିଛନ୍ତି। ସହାୟତା ରାଶି କିଏ ପାଇଲେ, କିଏ ଭୁଲ ବଶତଃ ପାଇଲେ ଏବଂ କିଏ ପାଇଲେ ନାହିଁ ଏସବୁ ଦିଗରେ ତଦନ୍ତ କରିବାକୁ ସରକାରୀ ଟିମ ଆସିଥିଲେ। ହେଲେ ଫନି ସହାୟତା ପାଇନଥିବା ଲୋକେ କ୍ଷତିଗ୍ରସ୍ତ ସରକାରୀ ବାବୁଙ୍କୁ ଅଚନାକ୍‌ ଘେରିଗଲେ। କିଛି ସମୟ ଧରି ପାଟତୁଣ୍ଡ ହେବା ପରେ କିଛି ଲୋକ ଅତିରିକ୍ତ ସହକାରୀ ଜିଲ୍ଲାପାଳ ଏବଂ ଅତିରିକ୍ତ ତହସିଲଦାରଙ୍କୁ ଘେରିଯାଇଥିଲେ। ଫନି ସହାୟତା ପାଇଁ ଠିକ୍‌ ହିତାଧିକାରୀ ଚୟନ ହୋଇନି ବୋଲି ସେମାନେ ଅଭିଯୋଗ କରିଥିଲେ।

ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ପୁରୀ ଜିଲ୍ଲା ଶତାଧିକାରୀ ଲୋକ ଶୁକ୍ରବାର ଅଭିଯୋଗ କରିଛନ୍ତି। ଫନି ସହାୟତା ବଂଟନରେ ବ୍ୟାପକ ଭାବରେ ଅନିୟମିତତା ହୋଇଛି ବୋଲି ସେମାନେ କହିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳିଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଛନ୍ତି ବୋଲି ଅଭିଯୋଗ ହୋଇଛି।

ଏପଟେ ଅସ୍ତରଙ୍ଗ ବ୍ଲକରେ ଦେଖାଦେଇଛି ଅଭାବନୀୟ ସ୍ଥିତି। ବ୍ୟାଙ୍କ ଖାତାରେ ଅଛି ବାତ୍ୟା ସହାୟତା। ହେଲେ ଟଙ୍କା ଉଠାଇ ଘର ମରାମତି କରିପାରୁନାହାନ୍ତି ହିତାଧିକାରୀ। କାରଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ହୋଲ୍‌ଡ ବା ସାମୟିକ ଭାବେ ଅଚଳ କରି ଦେଇଛନ୍ତି ସରକାର। ଅଯୋଗ୍ୟ ହିତାଧିକାରୀଙ୍କ ଚଂଚକତା ଯୋଗୁଁ ଫସି ଯାଇଛନ୍ତି ନିରୀହ ଯୋଗ୍ୟ ହିତାଧିକାରୀ। ଫନି ସହାୟତା ପାଇ ବି ହନ୍ତସନ୍ତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ। ତେବେ ଫୋନି ସହାୟତାକୁ ନେଇ ଆସୁଥିବା ଏହି ତମାମ୍‌ ଅଭିଯୋଗ ଭିତରେ ପ୍ରଭାବିତଙ୍କୁ କ୍ଷତିପୁରଣ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି।

-ଫନି ସହାୟତା ପାଇଁ ମୋଟ୍‌ ୧୮ ଶହ ୩୨ କୋଟି ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
-ପୁରୀ ଜିଲ୍ଲାରେ ସର୍ବାଧିକ ୧୨ ଶହ ୮୧ କୋଟି ୨୩ଲକ୍ଷ ଟଙ୍କା।
-କଟକ ଜିଲ୍ଲାରେ ୧୭୯ କୋଟି ୫୧ ଲକ୍ଷ ଟଙ୍କା।
-ଖୋର୍ଦ୍ଧା ଜିଲ୍ଳାରେ ୨ଶହ ୨୫ କୋଟି ୫୯ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି।
ତେବେ ଗୋଟିଏ ପଟେ ଫନି ସହାୟତା ନେଇ ୧୮ଶହ ୩୨ କୋଟି ଟଙ୍କା ଦିଆଯାଇଥିବା ନେଇ ସରକାର ହିସାବ ଦେଇଥିବା ବେଳେ ଆଉ ଗୋଟିଏ ପଟେ ସହାୟତା ନପାଇଥିବା ନେଇ ଚାରି ଆଡୁ ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର