ପ୍ରଳୟଙ୍କରୀ ରୂପ ନେଲା ଫନି : ଜନଜୀବନ ବିଧ୍ୱସ୍ତ, ଯୋଗାଯୋଗ ବ୍ୟବସ୍ଥା ଠପ୍‌ ଓ ଲକ୍ଷାଧିକ ବିପନ୍ନ

ପ୍ରଳୟଙ୍କରୀ ଫନି ୧୯୯୯ ମହାବାତ୍ୟାକୁ ମନେପକାଇ ଦେଇଛି।

ଭୁବନେଶ୍ୱର: ତାଣ୍ଡବ ରଚିଛି ଫନି। ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଜନଜୀବନକୁ ବିଧ୍ୱସ୍ତ କରିଦେଇଛି। ଏକ ପ୍ରକାର ପ୍ରଳୟ ସୃଷ୍ଟି କରିଛି ଫନି। ଏଯାବତ ମାତ୍ର ୪ ଜଣଙ୍କର ମୃତ୍ୟୁ ଖବର ହସ୍ତଗତ ହୋଇଥିଲେ ହେଁ ତାହା ବୃଦ୍ଧିପାଇବାର ବହୁ ସମ୍ଭାବନା ରହିଛି। ଗଛ ଭାଙ୍ଗି ରାସ୍ତାଘାଟ ଅବରୋଧ ହେବା ସହ ବର୍ଷା ପାଣି ଜମି ରହିଛି। ବହୁ ନଦୀରେ ବନ୍ୟା ଆସିଛି। ରାଜ୍ୟର ୧୩ଟି ଜିଲ୍ଲା ଏହାଦ୍ୱାରା ପ୍ରଭାବିତ ହେବା ଆକଳନ କରାଯାଉଛି। ଫନି ପ୍ରଭାବିତ ଅଂଚଳରେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି। ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ପ୍ରାୟ ୧୧.୫ ଲକ୍ଷ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିବା ପ୍ରଥମିକ ଆକଳନରୁ ଜଣାପଡ଼ିଛି।

ପୁରୀରେ ଲ୍ୟାଣ୍ଡଫଲ୍‌ ପରେ ଭୟଙ୍କର ରୂପ ନେଇଥିଲା ବାତ୍ୟା। ବିକଟାଳ ଗର୍ଜନ କରି ମାଡି ଆସିଥିଲା ପବନ। ଉପକୂଳ ଅଂଳଳରେ ଥିବା ଲକ୍ଷାଧିକ ଘରଦ୍ୱାର ଭାଙ୍ଗି ଯାଇଥିବା ସୂଚନା ରହିଛି। ବିଶାଳ ବିଶାଳ ଗଛ ବାତ୍ୟାରେ ଟଳି ପଡ଼ିବା ଫଳରେ ରାସ୍ତାଘାଟ ଅବରୋଧ ହୋଇଛି। ପ୍ରଳୟଙ୍କରୀ ଫନି ୧୯୯୯ ମହାବାତ୍ୟାକୁ ମନେପକାଇ ଦେଇଛି। ପୁରୀ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ଫନି ସ୍ଥଳଛୁଇଁବା ପରେ ପ୍ରଥମେ ପ୍ରାୟ ଏକ ଘଣ୍ଟା ଲାଗି ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିଥିଲା। ଏହାପରେ କିଛି ସମୟ ଲାଗି ପବନ ବନ୍ଦ ହୋଇ ବର୍ଷା ହୋଇଥିଲା। ମାତ୍ର ପୁଣି ଅଧଘଣ୍ଟାର ବିରତି ପରେ କରାଳ ରୂପ ନେଇ ଆସିଥିଲା ବାତ୍ୟା। ପ୍ରାକ ସୂଚନା ମୁତାବକ ପବନର ବେଗ ୨୧୦ କିଲୋମିଟର ଯର୍ଯ୍ୟନ୍ତ ଯାଇଥିଲା। ଏହା କଚ୍ଚାଘରଦ୍ୱାର, ବଡ଼ବଡ଼ ଗଛକୁ ଧରାଶାୟୀ କରିଥିଲା। ବାତ୍ୟାର କରାଳ ରୂପ ଦେଖି ଲୋକେ ତ୍ରାହି ତ୍ରାହି ଡାକିଥିଲେ। ଏଯାବତ୍ ଜାରି ରହିଛି ବର୍ଷା ଓ ପବନ।

ରାଜଧାନୀ ଭୁବନେଶ୍ୱର ଫନିମାଡ଼ରେ ବିଧ୍ୱସ୍ତ ହୋଇପଡ଼ିଛି। ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ହେତୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନରେ ଘରେ ପାଣି ପଶିଯାଇଛି। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି। ଏହି ଖବର ଲେଖାଯିବା ପଯ୍ୟର୍ନ୍ତ ବର୍ଷାପବନ ଜାରି ରହିଛି। ଯଦିଓ ସରକାରଙ୍କ ଦ୍ୱାରା ଗଛକାଟି ସଫା କରିବା ସହ ରାସ୍ତା ଅବରୋଧ ହଟାଇବା ଲାଗି ସ୍ୱତନ୍ତ୍ର ଟିମ କାର୍ଯ୍ୟ କରୁଛନ୍ତି, କିନ୍ତୁ ସେମାନଙ୍କର କାର୍ଯ୍ୟରେ ପବନ ଓ ବର୍ଷା ବାଧକ ସାଜୁଛନ୍ତି। ସଂଧ୍ୟା ହୋଇଆସିଥିବାରୁ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିବା ଆଶଙ୍କା କରାଯାଉଛି। ବିଦ୍ୟୁତ ନଥିବା କାରଣରୁ କ୍ରମଶଃ ଚାରିଆଡ ଅନ୍ଧକାର ହେବାକୁ ଯାଉଛି।

ସମ୍ବନ୍ଧିତ ଖବର