ନିଜ ଜିଲ୍ଲାର ଅଧିକାରୀଙ୍କୁ ଭରସି ପାରିଲେନି ଜିଲ୍ଲାପାଳ: ଘରଭଙ୍ଗା ତଦନ୍ତ ପାଇଁ ବାହାରୁ ମଗାଇଲେ ଅଧିକାରୀ

ପୁରୀ : ଫନି ଘରଭଙ୍ଗା ସହାୟତା ପାଇଁ ପୁରୀ ଜିଲ୍ଲାପାଳ ନିଜ ଜିଲ୍ଲାର ଅଧିକାରୀଙ୍କୁ ଭରସା କରି ପାରିନାହାନ୍ତି। କେହି ବିପନ୍ନ ଯେମିତି ସହାୟତାରୁ ବଞ୍ଚିତ ନ ହେବେ ସେଥି ପାଇଁ ଜିଲ୍ଲାପାଳ ବଲୱନ୍ତ ସିଂହ ‌ନିରପେକ୍ଷ ତଦନ୍ତ ନିମନ୍ତେ ଜିଲ୍ଲା ବାହାର ଅଧିକାରୀଙ୍କୁ ନିୟୋଜିତ କରିଥିବା ଜଣାପଡିଛି। ଯାହାକୁ ନେଇ ପ୍ରଶାସନିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲ୍ଲାର ଜନ ପ୍ରତିନିଧି ଏହା ବିରୋଧରେ ଅସନ୍ତୋଷ ଓଗାଳିଛନ୍ତି।

ବିପନ୍ନଙ୍କୁ ଘରଭଙ୍ଗା ସହାୟତାରେ ପାତରଅନ୍ତର କରାଯାଉଛି। ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳୁନାହିଁ ବୋଲି ଜିଲ୍ଲାର ବରିଷ୍ଠ ନେତା ତଥା ଜଣେ ପୂର୍ବତନ ମନ୍ତ୍ରୀ ଏବଂ କିଛି ବିଧାୟକ ବିଧାନସଭାରେ ପୁରୀ ଜିଲ୍ଲାପାଳ ଓ ପ୍ରଶାସନର କାର୍ଯ୍ୟଧାରାକୁ ନେଇ ଆପତ୍ତି ଉଠାଇବା ପରେ ପୁରୀ ଜିଲ୍ଲାପାଳ ଏବେ କଣ୍ଟାକୁ କଣ୍ଟାରେ କାଢିବାକୁ ଉଦ୍ୟମ କରିଛନ୍ତି। ଘରଭଙ୍ଗା ସହାୟତା ନେଇ ବହୁ ଅଭିଯୋଗ ଆସିବା ପରେ ବାହାର ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଇ ବିପନ୍ନଙ୍କୁ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଆରମ୍ଭରୁ ଦଳୀୟ କର୍ମୀଙ୍କ କଥା‌ରେ ତଦନ୍ତ ନ କରିବା ଓ ଠିକ୍ ଲୋକଙ୍କୁ ଉପଯୁକ୍ତ ସହାୟତା ଦେବାକୁ ଜିଲ୍ଲାପାଳ ସମସ୍ତ ତହସିଲଦାରଙ୍କୁ ଅଲିଖିତ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଏଥିରେ ଜିଲ୍ଲାର କିଛି ନେତାଙ୍କ ଗାତ୍ରଦାହ ହୋଇଥିଲା। ସେମାନେ ଏ ନେଇ ଆପତ୍ତି ଉଠାଇଥି‌ଲେ। ଅନ୍ୟପକ୍ଷରେ ଘରଭଙ୍ଗା ସହାୟତାରୁ ବଞ୍ଚିତ ଓ ତ୍ରୁଟି ଉପରେ ସାନି ଅଭିଯୋଗ ଗ୍ରହଣ କରିବାକୁ ସରକାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାମ ପାଇଁ ଜିଲ୍ଲାପାଳ ଶ୍ରୀ ସିଂହ ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କଟକ,‌ ଢେଙ୍କାନାଳ, କନ୍ଧମାଳ, ରାୟଗଡା ଜିଲ୍ଲାରୁ ତହସିଲଦାର ଓ କିଛି ପ୍ରଥମ ‌ଶ୍ରେଣୀ ଅଧିକାରୀଙ୍କୁ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ତହସିଲ ଦାୟିତ୍ବ ଦେଇଛନ୍ତି। ସେମାନେ ତହସିଲସ୍ତରରେ ତଦନ୍ତ କରି ରିପୋର୍ଟ ଦେବା ପରେ ସହାୟତା ଦିଆଯିବ ବୋଲି ଜଣାପଡିଛି। ଜିଲ୍ଲାପାଳଙ୍କ ଏହି ପଦକ୍ଷେପରେ କିନ୍ତୁ ଜିଲ୍ଲା ଅଧିକାରୀମାନେ ମୁହଁ ଫୁଲାଇଛନ୍ତି। ଜିଲ୍ଲାପାଳ ନିଜ ଜିଲ୍ଲାର ଅଧିକାରୀଙ୍କୁ ଭରସାକୁ ନେଇ ନଥିବାରୁ ଅନେକ‌ ଅସନ୍ତୁଷ୍ଟ ଥିବା ବେଳେ କିଛି ନ୍ୟସ୍ତସ୍ବାର୍ଥ‌ ଗୋଷ୍ଠୀ ଏହାର ବିରୋଧ କରୁଛନ୍ତି। ତଦନ୍ତ ପାଇଁ ଆସୁଥିବା ଅଧିକାରୀଙ୍କୁ ଏଥିପାଇଁ ଆକ୍ରମଣର ବି ଶିକାର ହେବାକୁ ପଡୁଛି। ନିକଟ‌ରେ ଡେଲାଙ୍ଗରେ ଘରଭଙ୍ଗା ତଦନ୍ତ ବେଳେ ବେଗୁନିଆ ତହସିଲଦାରଙ୍କୁ ଆକ୍ରମଣ କରାଯାଇଥିଲା।

ସମ୍ବନ୍ଧିତ ଖବର