ଫନି ମୁକାବିଲା: ପୁରୀରେ ହେବ ବଡ଼ ଧରଣର ସ୍ଥାନାନ୍ତର, ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବେ ଲକ୍ଷେ ୪ ହଜାର ଲୋକ

ପୁରୀ: ସାମୁଦ୍ରିକ ଝଡ଼ ‘ଫନି’ ପୁରୀର ଭୂପୃଷ୍ଠକୁ ଛୁଇଁବା ପୂର୍ବରୁ ଏକ ଲକ୍ଷ ୪ ହଜାର ୩୫ ଜଣ ସ୍ଥାନାନ୍ତର ହୋଇ ସାରିଥିବେ। ଏକ ଉଚ୍ଚସ୍ତରୀୟ ସମୀକ୍ଷା ପରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଏଥି ପାଇଁ ଆଜି ଅପରାହ୍ଣ ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ମାଟି, ଛପର ଓ ଆଜବେଷ୍ଟସ୍‌ ଘରୁ ଲୋକଙ୍କ କୋଠାଘରକୁ ସ୍ଥାନାନ୍ତର କରାଯାଇ ସାରିଥିବ।

ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍‌ର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସଂପୃକ୍ତ ରହିବେ।

ବରିଷ୍ଠ ଅଧିକାରୀ ଶ୍ରୀ ମହାପାତଅ ସୂଚନା ଦେଇଛନ୍ତି ଯେ, ବାତ୍ୟା ୨୪ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ତେଣୁ ଏହି ସମୟରେ ଗାଈ, ଗୋରୁ, ଛେଳି-ମେଣ୍ଢା ଆଦି ଜୀବଜନ୍ତୁ ପକ୍କା ଘର ମଧ୍ୟର ରଖିବାକୁ ପରାମର୍ଶ ଦିଆଯାଇଛି। ଏହା ଦ୍ୱାରା ଲୋକଙ୍କୁ କ୍ଷତି ସହ୍ୟ କରିବାକୁ ପଡ଼ିବ ନାହିଁ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି। ବାତ୍ୟା ସମୟରେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ପାଇଁ କୁହାଯାଇଛି। ମେଡିକାଲ ଟିମ୍‌, ପାରାମେଡିକାଲ ଟିମ୍‌, ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତ ରଖାଯାଉ ବୋଲି ପରାମର୍ଶ ଦିଆଯାଇଛି। ଆବଶ୍ୟକ କର୍ମଚାରୀ ନଥିଲେ ଅନ୍ୟ ଜିଲ୍ଲାର ହସ୍‌ପିଟାଲରୁ ଅଣାଯିବା ପାଇଁ ସୁପାରୀଶ କରାଯିବ।

ପୁରୀ ଜିଲ୍ଲାର ଚିଲିକା ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇପାରେ। ତେଣୁ ଚିଲିକା ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ଥିବା ଲୋକଙ୍କୁ ଗୁରୁବାର ଅପରାହ୍ଣ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।

ସମ୍ବନ୍ଧିତ ଖବର