କଂଗ୍ରେସ ବି ଖେଳିଲା ଚାଷୀ କାର୍ଡ

ଶାସନକୁ ଆସିଲେ ଋଣ ଛାଡ଼ ନିଶ୍ଚିତ, ବିକାଶ ନାଁରେ ବାହାସ୍ଫୋଟ ମାରୁଛନ୍ତି, ଛତିଶଗଡ଼ରୁ ହାୱା ଓଡ଼ିଶାକୁ ବହିଲାଣି

ବଲାଙ୍ଗୀର : ଆମେ କଥାରେ ନୁହଁ, କାମରେ ଦେଖାଇଛୁ। ନିକଟରେ ଛତିଶଗଡ଼ ସମେତ ତିନି ରାଜ୍ୟରେ କଂଗ୍ରେସ ସରକାରକୁ ଆସିବା ପରେ ପ୍ରଥମେ ଚାଷୀଙ୍କ ଋଣ ଛାଡ଼ କରିଥିଲା। ଏମଏସପି ମଧ୍ୟ ବୃଦ୍ଧି କରାଯାଇଥିଲା। କିନ୍ତୁ ଏଠାକାର ବିଜେଡି ସରକାର ଚାଷୀଙ୍କ ବିକାଶ କଥା କହି ବାହାସ୍ଫୋଟ ମାରୁଛନ୍ତି। କେନ୍ଦ୍ରର ବିଜେପି ସରକାର ଚାଷୀଙ୍କୁ ବିଗତ ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରି ନାହାନ୍ତି। ଆସନ୍ତା ନିର୍ବାଚନରେ କଂଗ୍ରେସ ସରକାରକୁ ଆସିଲେ ଋଣଛାଡ଼ କରାଯିବ ବୋଲି କଂଗ୍ରେସ ଆଜି ଜାଗରଣ ସମାବେଶରେ କହିଛି।

ସ୍ଥାନୀୟ କୋଶଳ କଳାମଣ୍ତଳ ପଡ଼ିଆରେ ଆୟୋଜିତ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୧୮ ବର୍ଷରେ ବିକାଶ ହୋଇଛି ବୋଲି ସରକାର କହୁଛନ୍ତି। ହେଲେ ରାଜ୍ୟରେ ୬୫ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ। ୮୫ ଲକ୍ଷ ଯୁବକ ବେରୋଜଗାର ହୋଇ ବୁଲୁଛନ୍ତି। ୬୦ ଲକ୍ଷ ଯୁବକ ବାହାର ରାଜ୍ୟରେ ଖଟୁଛନ୍ତି। କଂ‌ଗ୍ରେସ ସରକାର ଆସିଲେ ଋଣ ଛାଡ଼ ସହ ରାଜ୍ୟର ବିକାଶ କରାଯିବ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, କେନ୍ଦ୍ରର ସାଢେ ଚାରି ବର୍ଷ ଏବଂ ରାଜ୍ୟର ୧୮ବର୍ଷ ଓଡ଼ିଶାର କୃଷି, କୃଷକ ଓ ଯୁବକମାନଙ୍କ ପାଇଁ ଏକ ଘଡ଼ିସନ୍ଧି ସମୟ। ପ୍ରତିଶ୍ରୁତି ଦେଇ ଉଭୟ ସରକାର ଶାସନରେ ବସିଛନ୍ତି। ରାଜ୍ୟ ସରକାର ଯଦି ଯୁବକ, କୃଷକ ଏବଂ କୃଷି ପାଇଁ କିଛି କରିପାରୁ ନାହିଁ ତାହା ହେଲେ ଗାଦି ଛାଡିଦେବା ଦରକାର। ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ଏଆଇସିସିର ପ୍ରବକ୍ତା ବରିଷ୍ଠ ନେତା ମୋହନ ପ୍ରକାଶ କହିଥିଲେ, ଦେଶର ସାମ୍ବିଧାନିକ ସଂସ୍ଥା ଉପରେ ବାରମ୍ବାର ଆକ୍ରମଣ କାରଣରୁ ବର୍ତ୍ତମାନ କେନ୍ଦ୍ର ସରକାରକୁ ଆନ୍ତର୍ଜାତିକ ସ୍ତରରେ ସମାଲୋଚିତ ହେବାକୁ ପଡୁଛି। ଏଆଇସିସି ସଂପାଦକ ମସ୍ତାନ ୱାଲି ଓଡ଼ିଶାରେ କଂଗ୍ରେସ ସରକାର ଆଣିବାକୁ ହେବ ବୋଲି କହିଥିଲେ।

ଯୁବନେତା ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିଠାରେ ରେଳ ବିଭାଗର ଜମିକୁ ଦାବି ମୁତାବକ ରେଳ ୱାଗନ କାରଖାନା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫେଲ ମାରିଛନ୍ତି ବୋଲି କହିଥିଲେ। ଶ୍ରୀ ମିଶ୍ର ଆହୁରି କହିଥିଲେ ରାଜ୍ୟର ଶିକ୍ଷାନୀତି ଏପରି ହୋଇଯାଇଛି ଯଦି ପଇସା ଅଛି ପାଠ ପଢ଼ ନ ହେଲେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଅ। ଠିକ୍ ସେପରି ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମାନ।

ମଞ୍ଚାସୀନ ଥିବା ପୂର୍ବ ସାଂସଦ ଶରତ ପଟ୍ଟନାୟକ, ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଏବଂ ସନ୍ତୋଷ ସିଂ ସାଲୁଜା ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ଶାସନରେ ରହିବା କୌଣସି ଅଧିକାର ନାହିଁ ବୋଲି କହିଥିଲେ। ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଭଳି ଓଡିଶାରେ ମଧ୍ୟ ପରିବର୍ତ୍ତନ ଦରକାର, ସେଠାରେ କଂଗ୍ରେସ ଆସିବା ପରେ ଚାଷୀଙ୍କ ବହୁ ପରିବର୍ତ୍ତନ ଆସିଛି, ଓଡ଼ିଶାରେ ସରକାର ଆସିଲେ ନିଶ୍ଚିତ ପରିବର୍ତ୍ତନ ହେବ ବୋଲି କହିଥିଲେ। ବିଡିସିସି ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର, ପୂର୍ବ ବାଚସ୍ପତି କିଶୋର ପଟେଲ, ରାଜ୍ୟ କିଷାନ ସେଲର ଅଧ୍ୟକ୍ଷ ଅମିୟ ପଟ୍ଟନାୟକ ଏବଂ କିଷାନ ସେଲର କାର୍ଯ୍ୟକାରୀ ସଭାପତି ସୁଧୀର ପରିଚ୍ଛା, ଜିଲ୍ଲା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଅସୀମ ପଟ୍ଟନାୟକ, ପିସିସି ସଂପାଦକ ସୁଧାଂଶୁ ଦାସ ପ୍ରମୁଖ ଦେଶର ଅର୍ଥନିତିରେ ପ୍ରମୁଖ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଠକୁଛନ୍ତି ବୋଲି କହି ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର