ଭୁବନେଶ୍ୱର : କର୍ଣ୍ଣାଟକ ପରେ ଓଡ଼ିଶାରେ ଏବେ କୃଷି ଋଣ ଛା଼ଡ଼ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଜି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି। କହିଛନ୍ତି, ଚାଷୀମାନଙ୍କ ଉପରେ ଥିବା କୃଷି ଋଣ ଛାଡ଼ ପାଇଁ ବିଚାର ଚାଲିଛି। ଠିକ୍‌ ସମୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବେ। ବିଜେଡି ସରକାର ସବୁବେଳେ ଚାଷୀଙ୍କ ସହିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜ୍ୟରେ କୃଷିକୁ ସବୁବେଳେ ପ୍ରାଥମିକତା ଦିଆଯାଉଛି। ମନ୍ତ୍ରୀ ଆହୁରି କହିିଲେ ଯେ କୃଷି ଋଣ ଛା଼ଡ଼ ନେଇ ବିଭିନ୍ନ ସମୟରେ ଦାବି ଉଠିଛି। ହେଲେ ସରକାର ଏହାକୁ କେବେ ବି ଅଗ୍ରାହ୍ୟ କରିନାହାନ୍ତି। ଏହା ଉପରେ ବିଚାରବିମର୍ଶ ଚାଲିଛି।

Advertisment

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୃଷି ଋଣ ଛାଡ଼ କରିବା ଲାଗି ରାଜ୍ୟ ସରକାରଙ୍କର ଏବେ କୌଣସି ଯୋଜନା ନାହିଁ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରଥମତଃ, ବଜେଟ୍‌ରେ ଏ ନେଇ କୌଣସି ବ୍ୟବବରାଦ ନାହିଁ। ଦ୍ୱିତୀୟତଃ, ସରକାର ଯଦି କୃଷି ଋଣ ଛାଡ଼ କରିବା ପାଇଁ କୌଣସି ନିଷ୍ପତ୍ତି ନିଅନ୍ତି, ରାଜ୍ୟ ଅର୍ଥନୀତି ଉପରେ ଭୟଙ୍କର ଚାପ ସୃଷ୍ଟି ହେବ। କାରଣ ଶହେ କି ହଜାରେ କୋଟି ନୁହେଁ, ପାଖାପାଖି ୧୮ହଜାର କୋଟି ଟଙ୍କାର ଆର୍ଥିକ ବୋଝ ସରକାରଙ୍କୁ ମୁଣ୍ଡାଇବାକୁ ପଡିବ। ରାଜ୍ୟର ଅର୍ଥନୀତିର ଚିତ୍ର ଯାହା ରହିଛି, ଏମିତି ଯଦି ନିଷ୍ପତ୍ତି ହୁଏ, ତେବେ ବିତ୍ତୀୟ ଶୃଙ୍ଖଳା ବିଗି଼ଡିଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ଅର୍ଥ ବିଭାଗର ଏଭଳି ଯୁକ୍ତି ସରକାରଙ୍କ ଦ୍ୱନ୍ଦ୍ୱ ବଢାଇ ଦେଇଛି। ରାଜନୈତିକ ମହଲ କହୁଛନ୍ତି, ନିର୍ବାଚନ ବର୍ଷରେ ଯଦିଓ କୃଷି ଋଣ ଛାଡ଼ ପ୍ରସଙ୍ଗଟି ଗୋଟିଏ ବର୍ଗର ଭୋଟକୁ ଟାଣିବାରେ ସାହାଯ୍ୟ କରିବ, କିନ୍ତୁ ରାଜ୍ୟର ସାମଗ୍ରିକ ବିକାଶ ପ୍ରକ୍ରିୟା ଠପ୍‌ ହୋଇଯାଇପାରେ। ସରକାର ଅନ୍ୟ କୌଣସି ଯୋଜନାକୁ ନ୍ୟାୟ ଦେଇପାରିବେ ନାହିଁ କିମ୍ବା ଅସନ୍ତୁଷ୍ଟ ଭୋଟ ବର୍ଗକୁ ଆକର୍ଷିତ କରିବା ଲାଗି ସରକାରଙ୍କ ହାତରେ ସୁଯୋଗ ଉପଲବ୍ଧ ହୋଇନପାରେ। କେବଳ ସେତିକି ନୁହେଁ, ନିର୍ବାଚନ କେବେ ହେବ, ତାହା ଯେହେତୁ ଏବେ ଯାଏ ସ୍ଥିର ହୋଇନାହଁ ଏଣୁ ସରକାର ଏଭଳି ଏକ ଗୋଟି ଏବେ ଠାରୁ ଚଳାଇ ନପାରନ୍ତି। କାରଣ ଏତେ ଆଗରୁ ବଡ଼ ଘୋଷଣା କଲେ, ନିର୍ବାଚନ ବେଳକୁ ଏହାର ପ୍ରଭାବ ନଥାଇପାରେ।

ପୂର୍ବରୁ ସମବାୟ ବିଭାଗ ଦାୟିତ୍ୱରେ ଥିବା ବେଳେ ମନ୍ତ୍ରୀ ଡାକ୍ତର ରାଉତ କୃଷି ଋଣ ଛାଡ଼ ପ୍ରସଙ୍ଗକୁ ବିରୋଧ କରିଥିଲେ। ସିଧା ସିଧା କହିଥିଲେ, ଚାଷୀଙ୍କୁ ଋଣ ଛା଼ଡ଼ ସପକ୍ଷରେ ସେ ନାହାନ୍ତି। ଋଣ ଛାଡ଼ ହେଲେ ଚାଷୀ ଲାଭ ହେବ ନାହିଁ ବରଂ ଜମି ମାଲିକ ଫାଇଦାରେ ରହିବେ। ଏହାକୁ ନେଇ ସେ ସମୟରେ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଅନ୍ୟପକ୍ଷରେ କର୍ଣ୍ଣାଟକ ସରକାର କୃଷି ଋଣ ଛା଼ଡ଼ କରିବା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ରାଜନୈତିକ ଚାପ ବଢିବାରେ ଲାଗିଲାଣି। ବିଶେଷକରି ଅଣ ବିଜେପି ଶାସିତ ରାଜ୍ୟମାନେ ମୋଦି ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟର ପ୍ରଭାବକୁ ଫୁସକାଇ ଦେବା ଲାଗି କୃଷି ଋଣ ଛାଡ଼ ପ୍ରସଙ୍ଗକୁ ଗମ୍ଭୀରତାର ବିଚାର କରୁଛନ୍ତି। ଏହାଦ୍ୱାରା ବିଜେପି ଶାସିତ ରାଜ୍ୟ ଉପରେ ମଧ୍ୟ ପ୍ରଭାବ ପଡିବ।

ବିଭିନ୍ନ ରାଜ୍ୟର ଏଭଳି ମତିଗତି ଦେଖି ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ୨୦୧୯ ସୁଦ୍ଧା ଦେଶରେ କୃଷି ଋଣ ଛା଼ଡ଼ ପରିମାଣ ୨ ଲକ୍ଷ ୮୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଯାଇପାରେ।

ବିଭିନ୍ନ ସରକାରଙ୍କ କୃଷି ଋଣ ଛା଼ଡ଼ ମନସ୍କକୁ ଲକ୍ଷ୍ୟ କରି ଅର୍ଥନୀତିଜ୍ଞମାନେ ଏହାକୁ କଟାକ୍ଷ ମଧ୍ୟ କରିବା ଆରମ୍ଭ କରିଦେଲେଣି। ଜାତୀୟ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ଅର୍ଥନୀତିଜ୍ଞମାନେ କହିଛନ୍ତି, ଗୁଜରାଟରେ ଯେଉଁ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ନକ୍ସା ଅଙ୍କାଯାଇଛି, ତାହାର ଆନୁମାନିକ ଅଟକଳ ପ୍ରାୟ ୯୦ ହଜାର କୋଟି ଟଙ୍କା ହେବ। ଅତଏବ ଋଣ ଛାଡ଼ ଅର୍ଥରେ ତିନି ତିନିଟି ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଦେଶରେ କରାଯାଇପାରିବ।

ସ୍ମରଣଯୋଗ୍ୟ, କର୍ଣ୍ଣାଟକ ସରକାର ଦୁଇ ଦିନ ତଳେ ବଜେଟ୍‌ ଉପସ୍ଥାପନ ସମୟରେ ୩୪ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଛନ୍ତି। ଏହା ପୂର୍ବରୁ ମହାରାଷ୍ଟ୍ର ୩୪ ହଜାର କୋଟି, ଉତ୍ତର ପ୍ରଦେଶ ସରକାର ୩୬ ହଜାର କୋଟି, ପଞ୍ଜାବ ୧୦ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲେ।

ସେହିଭଳି ୨୦୧୪ରେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଓ ୨୦୧୬ରେ ତାମିଲନାଡୁ ସରକାର କୃଷି ଋଣ ଛାଡ଼ ଘୋଷଣା କରିଥିଲେ। ୧୯୯୦ ମସିହାରେ ଦେଶରେ ପ୍ରଥମ ଥର ପାଇଁ କୃଷି ଋଣ ଛାଡ଼ ଘୋଷଣା କରାଯାଇଥିଲା। ଏହା ପରେ ୨୦୦୯ ସାଧାରଣ ନିର୍ବାଚନକୁ ଲକ୍ଷ୍ୟ ରଖି ୨୦୦୮ରେ ଉପା ସରକାର-୧ ବଡ଼ ଧରଣର କୃଷି ଋଣ ଛାଡ଼ ଓ ସୁଧ ରିହାତି ସ୍କିମ୍‌ ଘୋଷଣା କରିଥିଲେ।