ଦଲାଲଙ୍କ ଦୟାରେ ଚାଷୀ: ୩.୭୨କୋଟି ଟଙ୍କାର ଧାନ ଅଭାବୀ ବିକ୍ରି

ଚାଷୀ ହରାଇଲେଣି ୮୪ ଲକ୍ଷ ଟଙ୍କା

ଯାଜପୁର: ଯାଜପୁର ଜିଲ୍ଲାରେ ଦଲାଲଙ୍କ ଦୟାରେ ଚାଷୀ। ୩ କୋଟି ୭୨ ଲକ୍ଷ ଟଙ୍କାର ଧାନ ଏପର୍ଯ୍ୟନ୍ତ ଅଭାବୀ ବିକ୍ରି ହୋଇଥିବା ବେଳେ ଚାଷୀ ପ୍ରାୟ ୮୪ ଲକ୍ଷ ଟଙ୍କା ହରାଇଲେଣି ବୋଲି ଚାଷୀ ଅଭିଯୋଗ କଲେଣି। ମାତ୍ର ଏଦିଗରେ ସରକାରୀ କଳ ପୂରା ଚୁପ୍‌ ହୋଇ ବସିଛି। କୌଣସି ପ୍ରତିକ୍ରିୟା ନାହିଁ କି ବ୍ୟବସ୍ଥା ନାହିଁ। ଚାଷୀ ଶୋଷଣର ସବୁ ସୀମା ଏଠି ଟପିଗଲାଣି। ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନା ଅନୁଯାୟୀ, ଗତବର୍ଷ ଭଳି ଏଥର ମଧ୍ୟ ସରକାରଙ୍କର ଧାନ କିଣାବିକା କାରବାରକୁ କେତେକ ମିଲର୍‌ ଦଲାଲଙ୍କ ଜରିଆରେ ନିୟନ୍ତ୍ରଣ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଅଦିନିଆ ଲଘୁଚାପ ବର୍ଷା ଚାଷୀଙ୍କ ମୁଡ଼ରେ ଚଡ଼କ ପକାଇ ଥିବା ବେଳେ ଅସାଧୁ ମେଣ୍ଟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି। ଚାଷୀମାନେ ଧାନ ନଷ୍ଟ ହୋଇଯିବା ଭୟରେ ତରବର ହୋଇ ଧାନ କାଟି ସଂଗେ ସଂଗେ ବିକ୍ରି କରି ଦେବାକୁ ଚାହୁଥିବା ବେଳେ ସରକାରୀଙ୍କ ମଣ୍ଡି ଅଦ୍ୟାବଧି ଖୋଲି ନାହିଁ। ଯାହାର ସୁଯୋଗ ବାହାର ରାଜ୍ୟର ଧାନ ବ୍ୟବସାୟୀ, ମିଲର୍‌ ଓ ଦଲାଲମାନଙ୍କ ଅସାଧୁ ମେଣ୍ଟ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ପ୍ରତି କୁଇଣ୍ଟାଲରେ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ୩ ଶହରୁ ୪ଶହ ଟଙ୍କା କମ୍‌ରେ ଦଲାଲମାନେ ଧାନ କିଣିବାରେ ଲାଗିପଡ଼ିଛନ୍ତି। ପ୍ରତି ଦିନ ହଜାର ହଜାର କ୍ୱିଣ୍ଟାଲ ଧାନ ପ୍ରତି ବ୍ଲକ୍‌ ଅଞ୍ଚଳରୁ ବିକି ହୋଇ ଚାଲିଛି। ଜିଲ୍ଲାର ୧୦ଟି ବ୍ଲକ୍‌ରୁ ପ୍ରତିଦିନ ଅତି କମ୍‌ରେ ୨ହଜାର କୁଇଣ୍ଟାଲ ଧାନ ଦଲାଲମାନେ କିଣୁଛନ୍ତି। ଗତ ୧୨ଦିନ ମଧ୍ୟରେ ପ୍ରାୟ ୨୪ହଜାର କୁଇଣ୍ଟାଲ ଧାନ ଦଲାଲମାନେ ହାତେଇ ନେଲେଣି। ସରକାରୀ ହିସାବ ଅନୁଯାଇ ୨୪ ହଜାର କୁଇଣ୍ଟାଲ ଧାନର ମୂଲ୍ୟ ୩.୭୨କୋଟି ଟଙ୍କା ଧାନ ଦଲାଲମାନେ ଚାଷୀମାନଙ୍କଠାରୁ ହାତେଇ ନେଲେଣି। ଅଭାବୀ ବିକ୍ରିର ଶିକାର ହେଉଥିବା ଯାଜପୁର ଜିଲ୍ଲାର ଚାଷୀମାନେ ପ୍ରାୟ ୮୪ ଲକ୍ଷରୁ ଊର୍ଧ୍ୱ ଟଙ୍କା ହରାଇଲେଣି। ଦଲାଲଙ୍କ ମାଧ୍ୟମରେ ଧାନ ହାତେଇବା ପାଇଁ କେତେକ ମିଲର୍‌ ଏହି କାରବାରକୁ ଜୋରଦାର କରିଛନ୍ତି। ଅନ୍ୟପଟେ ସରକାର ଓ ପ୍ରଶାସନ ଯେତେ ପ୍ରଚାର କଲେ ମଧ୍ୟ ମିଲର୍‌ମାନେ ଧାନ କିଣିବାକୁ ଆଗ୍ରହ କରୁନାହାଁନ୍ତି ବୋଲି କେତେକ ଚାଷୀ ମତବ୍ୟକ୍ତ କରିଛନ୍ତି।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଧାନ(ଏଫ୍‌ଏକ୍ୟୁ) କୁଇଣ୍ଟାଲ୍‌ ୯୦ଟଙ୍କା ସରକାର ବୃଦ୍ଧି କରିଥିବା ବେଳେ ଅଭାବୀ ବିକ୍ରିକୁ ନିୟନ୍ତ୍ରଣ କରୁଥିବା ର‍୍ୟାକେଟ୍‌ ପ୍ରତି କୁଇଣ୍ଟାଲରୁ ୩୫୦ ରୁ ଊର୍ଧ୍ୱ ଟଙ୍କା ଚାଷୀ ପକେଟରୁ ହଡ଼ପ କରୁଛନ୍ତି। ସରକାରୀ ଯୋଜନା କେବଳ ପ୍ରଚାର ସର୍ବସ୍ୱ ହୋଇଯାଇଛି। ଜିଲ୍ଲାରେ ମଣ୍ଡି ଖୋଲି ନଥିବାରୁ ଦଲାଲଙ୍କ ଦୟାରେ ଧାନ ବିକ୍ରି କରିଚାଲିଛନ୍ତି।

ସମ୍ବନ୍ଧିତ ଖବର