ଜିଲ୍ଲାପାଳ ଅଫିସ୍‌ ଆଗରେ ଅଘଟଣ : ସର୍ବସମ୍ମୁଖରେ ବିଷ ପିଇଲେ ଚାଷୀ

ବରଗଡ଼ : ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଜଣେ ଭାଗଚାଷୀ ସର୍ବସମ୍ମୁଖରେ ବିଷ ପିଇବା ଭଳି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ବିଷ ପିଇ ଥିବା ଚାଷୀ ଜଣକ ହେଲେ ଅକ୍ରୁର ବିଶି (୫୫)। ଘର ବରପାଲି ବ୍ଲକ କନବାର ଗାଁରେ। ଗୁରୁବାର ବରପାଲି ବ୍ଲକର ବାଗବାଡ଼ି, କନବାର ଅଂଚଳରେ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲେ। କୁଆପଥର ମାଡ଼ ଯୋଗୁଁ ଏସବୁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। ଏଥିରେ ଯୋଗ ଦେଇଥିବା କିଛି ଚାଷୀ ହାତରେ କୀଟନାଶକ ବୋତଲ ମଧ୍ୟ ଧରିଥିଲେ। ତେବେ କେହି କିଛି ବୁଝିବା ପୂର୍ବରୁ ଶତାଧିକ ଚାଷୀ ଏବଂ ପୁଲିସ୍‌ର ଉପସ୍ଥିତିରେ ଅକ୍ରୁର ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତୁରନ୍ତ ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଅକ୍ରୁର ଜଣେ ଭାଗଚାଷୀ ଅଟନ୍ତି। ତାଙ୍କର ନିଜସ୍ୱ ଅଧ ଏକର ଏବଂ ଦେଢ଼ ଏକରରେ ସେ ଭାଗଚାଷ କରିଥିଲେ। ହେଲେ ଗତ ୩୦ ତାରିଖ ଝଡ଼ବର୍ଷା ଏବଂ କରାମାଡ଼ ଯୋଗୁଁ ତାଙ୍କୁ ସଂପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଇଥିଲା। ଚାଷକାମ ପାଇଁ ସେ ୬୦ ହଜାର ଟଙ୍କା ହାତ ଉଧାରି ଆଣିଥିବା ଗାଁ ଲୋକ କହୁଛନ୍ତି। ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବୁର୍ଲା ମେଡିକାଲ ପହଂଚି ଗୁରୁତର ଅକ୍ରୁରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରେଡକ୍ରସ ପକ୍ଷରୁ ତାଙ୍କୁ ୧୦ହଜାର ଟଙ୍କା ସହାୟତା ଦିଆଯାଇଛି। ଏହାବାଦ ତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ଜିଲ୍ଲାପାଳ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର