ଋଣ ଶୁଝିବା ଚିନ୍ତା : ବିଷ ପିଇଲେ ଭାଗଚାଷୀ

ରାଜନଗର : ସୁନାର ଫସଲକୁ ଅଦିନିଆ ବର୍ଷା ଉଜାଡ଼ିଦେଲା। ଋଣ ଶୁଝିବା ପାଇଁ ସାହୁକାରର ଜୁଲମ୍‌ କରୁଥିଲେ। ଏହି ଚିନ୍ତାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଜଣେ ଭାଗଚାଷୀ ବିଷ ପିଇ ଦେଇଛନ୍ତି। କଟକ ବଡ଼ଡାକ୍ତରଖାନାରେ ସେ ଜୀବନ ସହିତ ସଂଗ୍ରାମ କରୁଥିବା ଜଣାପଡ଼ିଛି।

ଏହି ଭାଗଚାଷୀ ହେଲେ ରାଜନଗର ବ୍ଲକ କୁରୁଣ୍ଟି ପଂଚାୟତ ମାଳିପରିଡା ଗାଁର ରବୀନ୍ଦ୍ର ନାଥ ରାୟ (୩୦ ବର୍ଷ)। ରବୀନ୍ଦ୍ର ୫ ଏକର ଜମି ଭାଗ ଆଣି ଚାଷ କରିଥିଲେ। ଜମି ମାଲିକଙ୍କ ନିକଟରେ କରିଥିବା ଚୁକ୍ତି ମୁତାବକ ଜମିରେ ସେ ସାର ବିହନ ସହ ସମସ୍ତ ଖର୍ଚ୍ଚ କରିବେ। ଏହି ଖର୍ଚ୍ଚ ତୁଲାଇବା ପାଇଁ ସେ ସାହୁକାରଙ୍କଠାରୁ ସୁଧରେ ଟଙ୍କା ଆଣିଥିଲେ। ଚଳିତବର୍ଷ ରାଜନଗର ଅଞ୍ଚଳରେ ସବୁଠୁ ଭଲ ଫସଲ ହୋଇଥିବାରୁ ସେ କରଜ ଶୁଝିଦେବେ ବୋଲି ଆଶା ବାନ୍ଧିଥିଲେ। ମାତ୍ର ନଭେମ୍ବର ଓ ଡିସେମ୍ବରରେ ଅଦିନିଆ ଲଘୁଚାପ ବର୍ଷା ସବୁ ଉଜାଡି ଦେଲା। ଚାଷ ତ ଗଲା ଭାଗଚାଷୀଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କରିନଥିବାରୁ ସେ ଆଶା ଟିକକ ବି ମଉଳିଗଲା। ଏହି ଚିନ୍ତାରେ ସେ ବିଷ ପିଇ ଦେଇଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି।

ରବୀନ୍ଦ୍ରଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଛି। ସେଠାର ସେ ଜୀବନ ସହିତ ସଂଘର୍ଷ କରୁଥିବା ଜଣାପଡ଼ିଛି। ବିଧବା ମାଆ ଓ ରବୀନ୍ଦ୍ରକୁୁ ନେଇ ତାଙ୍କ ପରିବାର। ଏହି ଘଟଣାରେ ତାଙ୍କ ମା’ ହତବାକ୍‌ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର