କଲମପୁରରେ ଚାଷୀ ଆତ୍ମହତ୍ୟା

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବଡ଼କୁଟରୁ ପଞ୍ଚାୟତର ସାନକୁଟ୍ରୁ ଗ୍ରାମର ଯୁବ ଚାଷୀ ବିନୋଦ ମାଝୀ (୩୦)‌ ଆତ୍ମହତ୍ୟା କରିଛନ୍ତି। ଶନିବାର ଅପରାହ୍ନ ପ୍ରାୟ ୨ ଟା ସମୟରେ ଗାଁର କେତେକ ମହିଳା ନଦୀକୁ ଯାଉଥିବା ଏକ ଆମ୍ବ ଗଛ ଝୁଲନ୍ତା ଶବ ଦେଖିଥିଲେ। ଜୟପାଟଣା ଥାନାର ବଡ଼କୁଟ୍ରୁ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଗଛରୁ ଶବ ଉଦ୍ଧାର କରିଥିଲେ। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ପୁଲିସ କହୁଥିବାବେଳେ ଫସଲ ନଷ୍ଟ ଯୋଗୁ ବିନୋଦ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି।

ମୃତକଙ୍କ ବଡ଼ ଭାଇ ଉପେନ୍ଦ୍ର ମାଝୀଙ୍କ କହିବା ଅନୁସାରେ ତାଙ୍କ ପିତୃ ଅର୍ଜିତ ସମ୍ପତ୍ତି ଚାଷ ଜମି ପରିମାଣ ୫ଏକର। ଆଦିବାସୀ ଚାଷୀ ପରିବାର। ଚାଷ ଉପରେ ନିର୍ଭର କରି ଚଳି ଆସୁଥିବାବେଳେ ଏହି ବର୍ଷର ଖରିଫ ଧାନ ଫସଲ ରୋଗପୋକ ଯୋଗୁଁ ନଷ୍ଟ ହେବାରେ ଲାଗିଲା। ପ୍ରାୟ ୧୭ ହଜାର ଟଙ୍କାର ସାର ଓ କୀଟନାଶକ ଔଷଧ ପ୍ରୟୋଗ କରିଥିଲେ। ଏହାପରେ ମଧ୍ୟ କୌଣସି ଫାଇଦା ହେଲା ନାହିଁ। ଚାଷ ଉପରେ ଭରସା କରି ଚଳିବା ଓ ବିଭିନ୍ନ ଋଣ ବୋଝ ତାଙ୍କ ପାଇଁ ଚିନ୍ତା ବଢାଇ ଦେଇଥିଲା। ଫସଲ ଭଲ ହେଲେ ଋଣ ପରିଶୋଧ କରିବେ ବୋଲି ଆଶା ବାନ୍ଧିଥିଲେ। ଚାଷ ଋଣ ୧୫ହଜାର, ତାଙ୍କ ମାଆଙ୍କ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ରୁ ୧ ଲକ୍ଷ, ଘରେ ଥିବା ସୁନା ୬ ତୋଳା ମହାଜନୀ ଠାରେ ବନ୍ଧକ ଏବଂ ଖତ ସାର ଦୋକାନର ଋଣ ଇତ୍ୟାଦି ତାଙ୍କୁ ଚିନ୍ତାରେ ପକାଇ ଦେଇଥିବା ପରିବାର ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର