ଚକଡ଼ା ଚିନ୍ତା ନେଲା ଜୀବନ : ବିଷ ପିଇଲେ ଯୁବ ଚାଷୀ

ବରପାଲି : ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ଆଗଲପୁର ଗ୍ରାମ‌େର ଚକଡ଼ା ପୋକ ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତି ଜଣେ ଯୁବ ଚାଷୀଙ୍କ ଜୀବନ ନେଇଛି। ଗାଁର ଦୈତାରୀ ବିଶିଙ୍କ ପୁଅ ଯୁବ ଚାଷୀ ସୁଫେଦ ବିଶି (୪୦) ବୁଧବାର ସକାଳେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକଙ୍କ ସୂଚନାନୁସାରେ ସୁଫେଦ ବୁଧବାର ସକାଳେ ଜମିରେ ଚକଡ଼ା ପୋକ ଲାଗିଥିବାରୁ ଔଷଧ ସିଞ୍ଚନ କରିବାକୁ ଯାଇଥିଲେ। ମାତ୍ର ସେଠାକାର ଅବସ୍ଥା ଦେଖି ଫେରି ଆସି ଦୁଃଖରେ ଭାଙ୍ଗି ପଡ଼ିବା ସହ ଘର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହାର କିଛି ସମୟ ପରେ ସେ ଘରେ ଥିବା କୀଟନାଶକ ପିଇବାକୁ ଚେଷ୍ଟା କରୁଥିବା ବେଳେ ପରିବାର ଲୋକେ ଛାଡ଼ାଇଥିଲେ। ମାତ୍ର, କିଛି ସୁଫଳ ମିଳି ନଥିଲା। ସେତେବେଳକୁ ବିଷ ପେଟକୁ ଯାଇ ସାରିଥିଲା। ତୁରନ୍ତ ତାଙ୍କୁ ବରପାଲି ଡାକ୍ତରଖାନାକୁ ଅଣାଯିବା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ବୁର୍ଲା ଡାକ୍ତରଖାନା ଫାଣ୍ଡି ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର