କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଲେମ୍ବୁପାଳ ଗାଁ’ରେ ଜଣେ କ୍ଷୁଦ୍ରଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ନାଁ ବାସୁ ହେମ୍ବ୍ରମ୍ (୪୮)। ଗତ ୩୧ ତାରିିଖ ରାତିରେ ଘରେ ବିଷ ପିଇ ଗୁରୁତର ହୋଇପଡିବା ପରେ ବାସୁଙ୍କୁ ପରିବାର ଲୋକେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଏବଂ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାସୁଙ୍କ ପୁଅ ବିକାଶ ହେମ୍ବ୍ରମ୍ଙ୍କ ସୂଚନା ଅନୁସାରେ, ତାଙ୍କ ବାପା ଧାନଚାଷ ପାଇଁ ୩୦ ହଜାର ଟଙ୍କା ହାତଉଧାରି କରିଥିଲେ। ସ୍ୱଳ୍ପବୃଷ୍ଟି କାରଣରୁ ଚଳିତବର୍ଷ ଫସଲ ଉଜୁଡି ଯାଇଥିଲା। ବାସୁ ଟଙ୍କା ପରିଶୋଧ ଚିନ୍ତାରେ ଥିବା ବେଳେ ଏହାକୁ ନେଇ ପରିବାର ମଧ୍ୟରେ କଳିଝଗଡା ହେଉଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ତାଙ୍କ ବାପା ଆତ୍ମହତ୍ୟା କରିଥିବା ବିକାଶ ଏବଂ ପରିବାର ଅଭିଯୋଗ କରିଛନ୍ତି। ବାସୁଙ୍କ ମୃତ୍ୟୁ ଖବର ପାଇ ବିଜେପି ଜିଲ୍ଲା ଉପସଭାପତି ଶତ୍ରୁଘ୍ନ ଜେନାଙ୍କ ନେତୃତ୍ୱରେ ପ୍ରେମାନନ୍ଦ ଜେନା, ଅଜୟ ଷେଣ୍ଢ, ଚନ୍ଦନ ବେହେରା, ଲକ୍ଷ୍ମଣ ବିଶ୍ୱାଳ, ସାରଙ୍ଗ ରାଉତ, ବାବୁଲି ମହାରଣା, ହିମାଦ୍ରୀ ଦାସ, ଅଭିଷେକ ରାଉତ ପ୍ରମୁଖ ଗାଁ’ରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ କାମାକ୍ଷାନଗର ଅତିରିକ୍ତ ତହସିଲଦାର ଅଭିମନ୍ୟୁ କବି ଶତପଥୀ ଆଜି ଗାଁ’କୁ ଯାଇ ତଦନ୍ତ କରିଛନ୍ତି। ତାଙ୍କ ସୂଚନା ଅନୁସାରେ, ବାସୁଙ୍କର ମୋଟ୍ ୩ ଏକର ୧୮ ଗୁଣ୍ଠ ଜମି ମଧ୍ୟରୁ ଦେଢ ଏକର ଜମି ପଡିଆ ପଡିଛି ଏବଂ ୨୦ ଗୁଣ୍ଠ ଜାଗାରେ ଧାନଚାଷ ହୋଇଛି। ତେବେ ଫସଲ ଭଲ ହୋଇନଥିବାରୁ ସରକାରୀ ନିୟମାନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ସେ କହିଥିଲେ।