ଗଞ୍ଜାମ: ଉଜୁଡ଼ା ଫସଲ ଦେଖି ଆତ୍ମହତ୍ୟା କଲେ ଚାଷୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍‌ର ବଉଳଝରି ଗ୍ରାମର ଜଣେ ଚାଷୀ ଆଜି ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି। ଲଘୁଚାପଜନିତ ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇଥିିବରୁ ମାନସିକ ଭାରସାମ୍ୟ ହରାଇ ବଉଳଝରି ଗ୍ରାମର ରାଜେନ୍ଦ୍ର ଭୂୟାଁ ନାମକ ଜଣେ ୪୮ ବର୍ଷୀୟ ଚାଷୀ ଆତ୍ମହତ୍ୟା କରିଛନ୍ତି। ତେବେ ଚାଷୀ ଆତ୍ମହତ୍ୟା ପରେ କୃଷି ମନ୍ତ୍ରୀ କେତେବେଳେ ସେ ବିଜେପି କମୀ ତ କେତେବେଳେ ହାଣ୍ଡିଆ ପିଇ ମରିଥିବା ଭଳି ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ମନ୍ତ୍ରୀ ଶ୍ରୀ ରାଉତଙ୍କ ବିରୋଧରେ ନାରାବାଜି କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରାଜେନ୍ଦ୍ର ୫ ଏକର ଜମିରେ ଧାନ ଚାଷ କରିଥିଲେ। ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଯାଇଥିିଳା। ଯାହା ବି ଫସଲ ବଞ୍ଚିଥିଲା ତାକୁ ଅମଳ ପୂର୍ବରୁ ଅଦିନିଆ ଲଘୁଚାପଜନିତ ବର୍ଷା ନଷ୍ଟ କରିଦେଲା। ୫ଏକର ମଧ୍ୟରୁ ମାତ୍ର ଗୋଟିଏ ଏକର ଜମିରୁ ରାଜେନ୍ଦ୍ର ଧାନ କାଟିଥିବା ବେଳେ ଚାରି ଏକର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ଚାଷ ପାଇଁ ରାଜେନ୍ଦ୍ର ଏକ ବ୍ୟାଙ୍କ୍‌ରୁ ୧୮ ହଜାର ଟଙ୍କା ଋଣ ଆଣିଥିବା ବେଳେ ଆଉ କିଛି ହାତ ଉଧାରି କରିଥିଲେ। ତେଣୁ ଫସଲ ନଷ୍ଟ ହେବାରୁ ସେ ମ୍ରିୟମାଣ ହୋଇ ଦୁଇ ଦିନ ହେଲା ବେଶ୍‌ ଚିନ୍ତାରେ ଥିଲେ। ତେବେ ଗତକାଲି ରାତିରେ ମାନସିକ ଭାରସାମ୍ୟ ହରାଇ ରାଜେନ୍ଦ୍ର କୀଟନାଶକ ଖାଇ ଦେଇଥିଲେ। ଆଜି ସକାଳୁ ତାଙ୍କ ବିଛଣା ପାଖରେ କୀଟନଶକ ପଡ଼ିଥିବା ଦେଖି ପରବାର ଲୋକେ ହାଉଳି ଖାଇ ଡାକ ପକାଇଥିଲେ। ମାତ୍ର ସେତେବେଳକୁ ରାଜେନ୍ଦ୍ରଙ୍କର ମୃତ୍ୟୁ ଘଟିସାରିଥିଲା।
ତେବେ ଏହା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ଆସୁଥିବା ବେଳେ କୃଷିମନ୍ତ୍ରୀ ଡା. ରାଉତ ଓ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାଁନ୍ତ। ଏପରିକି ଯଦି ରାଜେନ୍ଦ୍ରଙ୍କ ଆତ୍ମହତ୍ୟାକୁ ଚାଷୀ ଆତ୍ମହତ୍ୟା ବୋଲି ସରକାର ସ୍ୱୀକାର ନ କରନ୍ତି ତେବେ ଏହାକୁ ନେଇ ତୀବ୍ର ପ୍ରତିବାଦ କରାଯିବ ବୋଲି ଗ୍ରାମବାସୀ କହିବା ସହିତ କୃଷିମନ୍ତ୍ରୀ ଡା. ରାଉତଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି।

ସମ୍ବନ୍ଧିତ ଖବର