ରାଜକନିକା : ଲଘୁଚାପଜନିତ ଲଗାଣ ବର୍ଷାରେ ପାଚିଲା ଧାନ ଗଜା ହୋଇଯାଇଛି। ଧାନ ପାଣିରେ ବୁଡ଼ି ରହିଛି। ଏହି ଉଜୁଡ଼ା କ୍ଷେତ ଦେଖି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଜଣେ ଚାଷୀ ଆଜି ଜୀବନ ହାରିଛନ୍ତି। ଚାଷୀ ଜଣଙ୍କ ହେଉଛନ୍ତି ନମତରା ଗ୍ରାମର ଭାବଗ୍ରାହୀ ସୂତାର(୪୮)। ଏହି ଘଟଣା ରାଜକନିକା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପରିବାର ପକ୍ଷରୁ କନିକା ଫାଣ୍ଡିରେ ଅଭିଯୋଗ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଭାବଗ୍ରାହୀ ନିକଟସ୍ଥ ବ୍ୟାଙ୍କ ଅଫ ଇଣ୍ଡିଆ, ପ୍ରାଥମିକ କୃଷି ସମବାୟ ସମିତିରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଧାନ ଓ ବିରି ଫସଲ କରିଥିଲେ। ଲଗାଣ ବର୍ଷା, ପବନ ଯୋଗୁଁ ଫସଲ ବୁଡ଼ିଯାଇଛି । ଗଜା ହୋଇଥିବା ବିରି ସମ୍ପୂର୍ଣ୍ଣ ପଚି ନଷ୍ଟ ହୋଇଯାଇଛି। ମାନସିକ ଭାରସାମ୍ୟ ହରାଇ ବସି ସେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସାନଭାଇ ସତ୍ୟବ୍ରତ ସୂତାର ଅଭିଯୋଗ କରିଛନ୍ତି । ଏ ସଂପର୍କରେ ବ୍ୟାଙ୍କ ଅଫ ଇଣ୍ଡିଆ କଣ୍ଡିଆ ଶାଖା ପରିଚାଳକଙ୍କ ସହିତ ଯୋଗାଯୋଗ କରିବାରୁ ଜଣାପଡ଼ିଛି ଯେ, ଭାବଗ୍ରାହୀ ବ୍ୟାଙ୍କରୁ ୩୫ ହଜାର ଟଙ୍କ ଋଣ କରିଥିଲେ। ସେହିପରି ଚରପଡ଼ା ପ୍ରାଥମିକ କୃଷି ସମବାୟ ସମିତିରୁ ୫୯ ହଜାର ଟଙ୍କା ଋଣ କରିଥିଲେ ।
ଖବରପାଇ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ନମତରାସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଭାବଗ୍ରାହୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଭାବଗ୍ରାହୀଙ୍କ ମୃତ୍ୟୁର ତଦନ୍ତ କରାଯିବା ସହିତ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ସୂଚନା ଥାଉ କି, ଭାବଗ୍ରାହୀ ଦୁଇ ବର୍ଷ ତଳେ ବିବାହ କରିଥିଲେ। କ୍ଷେତରେ ଫସଲ ଉଜୁଡ଼ିବା ଭଳି ପତ୍ନୀ ଦେବକୀ ଏବଂ ୪ମାସର ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ସଂସାର ମଧ୍ୟ ଉଜୁଡ଼ଯାଇଛି। ଏଭଳି ଘଟଣାରେ ପରିବାର ଲୋକେ ଦୁଃଖରେ ଭାଙ୍ଗିିପଡିଛନ୍ତି ।