ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ, ଦୂର ହେଉନି ଟୋକନ କଷ୍ଟ, ରାତିରେ ମେସେଜ ସକାଳେ ଡିଲିଟ

ସାଢେ ୪ ଘଣ୍ଟା ଧରି ସିଏସଓ କାର୍ଯ୍ୟାଳୟ ଘେରାଉ, କୁଚିଣ୍ଡାରେ ଅଚଳାବସ୍ଥା

ସମ୍ବଲପୁର: ଦୂର ହେଉନି ଟୋକନ୍‌ କଷ୍ଟ। ରବିବାର ରାତିରେ ଚାଷୀଙ୍କ ମୋବାଇଲକୁ ଟୋକନ୍‌ ଆସିଲା କିନ୍ତୁ ସକାଳେ ମଣ୍ଡିକୁ ଧାନ ଗଲାବେଳକୁ ଆରଏମସି କମ୍ପ୍ୟୁଟରରେ ଟୋକନ ଡିଲିଟ ହୋଇଯାଇଥିଲା। ଏଭଳି ଅଭାବନୀୟ ଘଟଣା ଯୋଗୁଁ ଦୂର ଦୂରାନ୍ତରୁ ମଣ୍ଡିକୁ ଧାନ ନେଇ ଆସିଥିବା ଚାଷୀଙ୍କୁ ହିନସ୍ତା ହେବାକୁ ପଡ଼ିଛି। କେବଳ ଆଜି ଗୋଟିଏ ଦିନ ନୁହେଁ ବିଭିନ୍ନ ଆଳରେ ଧାନ ସଂଗ୍ରହ ହେବା ଦିନଠୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହରେ ଏହିଭଳି ଅବ୍ୟବସ୍ଥା ଲାଗି ରହିଛି। ଏହାର ପ୍ରତିବାଦରେ ଉତ୍ୟକ୍ତ ଚାଷୀ ସାଢ଼େ ୪ ଘଣ୍ଟା ଧରି ସିଏସଓଙ୍କୁ ଘେରାଉ କରିଥିଲେ। କୁଚିଣ୍ଡାରେ ଧାନ ବିକ୍ରିକୁ ନେଇ ଲାଗି ରହିଥିବା ଅଚଳାବସ୍ଥା, କଟ୍‌ନି ଛଟ୍‌ନି ପ୍ରଭୃତି ସମସ୍ୟା ସଂପର୍କରେ ସିଏସଓ, ଉପଜିଲ୍ଲାପାଳ, ଡିଆରସିଏସ, ଏସିଏସଓଙ୍କୁ ପ୍ରଶ୍ନ କରିଥିଲେ ଚାଷୀ। ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରାନଗଲେ ନିଜ ନିଜ ଅଞ୍ଚଳରେ ଚାଷୀ ଆଇନ ଅମାନ୍ୟ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ। ମନ୍ତ୍ରୀ ଏବଂ ବିଧାୟକଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରି ଚାଷୀ ହିନସ୍ତା ହେଉଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଥିଲା।

ସୂଚନା ଅନୁଯାୟୀ, ପ୍ରତି ୧୫ ଦିନରେ ଥରେ ଭୁବନେଶ୍ବରରୁ ଅନଲାଇନରେ ଟୋକନ ଜେନେରେଟ ହୁଏ। ସେହି ଅନୁଯାୟୀ, ଚାଷୀ ଧାନ ବିକ୍ରି କରିଥାଏ। ୧୫ ତାରିଖ ରବିବାର ଟୋକନ ଜେନେରେଟ ହୋଇ ଚାଷୀଙ୍କ ମୋବାଇଲକୁ ଆସିଲା। ୧୬ ତାରିଖ ଆରଏମସିକୁ ଧାନ ନେଇ ଆସିବାବେଳକୁ ଆରଏମସି କମ୍ପ୍ୟୁଟରରେ ଟୋକନ ଡିଲିଟ ହୋଇଗଲା। କେବଳ ସମ୍ବଲପୁର ନୁହେଁ ସମଗ୍ର ରାଜ୍ୟରେ ଏହିଭଳି ସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ସିଏସଓ। ଧାନ ବିକ୍ରି ସମସ୍ୟାରୁ ଅସନ୍ତୁଷ୍ଟ ଚାଷୀ ରୁଣ୍ଡ ହୋଇଥିଲେ। ସମ୍ବଲପୁର, ରେଢାଖୋଲ ଉପଖଣ୍ଡ ଠାରୁ ଆରମ୍ଭ କରି କୁଚିଣ୍ଡା, ଜମନକିରା ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ଚାଷୀ ପହଞ୍ଚି ସିଏସଓ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ପ୍ରବଳ ପାଟିତୁଣ୍ଡ କରିଥିଲେ। ସିଏସଓଙ୍କ ଅଫିସ ସମ୍ମୁଖରେ ୧୨ଟାରୁ ଧାରଣା ଆରମ୍ଭ କରି ଦେଇଥିଲେ। ଏହି ଅବସରରେ ବିଭିନ୍ନ ମଣ୍ଡିକୁ ଆସିଥିବା ଧାନ ଗାଡ଼ିକୁ ବିନା ଟୋକନରେ ମିଲରଙ୍କ ପାଖକୁ ଯୋଗାଣ ବିଭାଗ ପକ୍ଷରୁ ପଠାଯାଇଥିଲା। ତେବେ, ଏଭଳି ସ୍ଥଳେ ପ୍ରାପ୍ୟରୁ ବଞ୍ଚିତ ହେବା ଆଶଙ୍କାରେ ଚାଷୀ ଏହାକୁ ପ୍ରବଳ ବିରୋଧ କରିଥିଲେ। ଆଜି ବିନା ଟୋକନରେ ଧାନ ବିକ୍ରି ହୋଇପାରିବ ଅନ୍ୟ ଦିନ କାହିଁକି ହେବ ନାହିଁ ବୋଲି ଚାଷୀ ଅଡ଼ି ବସିଥିଲେ। କୁଚିଣ୍ଡା ଉପଖଣ୍ଡର କେନାଢିପା, ମହଦା କ୍ରୟ କେନ୍ଦ୍ରରେ ପଂଜିକୃତ ୪୪୦ ଚାଷୀଙ୍କ ମଧ୍ୟରୁ କେବଳ ୭୬ ଜଣଙ୍କ ଟୋକନ୍‌ ଆସିଥିବା ଏବଂ ଏଥିରୁ ପୁଣି ମାତ୍ର ୧୨ ଜଣଙ୍କ ଧାନ ବିକ୍ରି ହୋଇଥିବା କହିଥିଲେ। ସେହିପରି ଜିଲ୍ଲାରେ ବ୍ୟାପକ କଟନି ଛଟନି ହେଉଥିବାବେଳେ ଏହା ବନ୍ଦ ନହେଲେ ମିଲ୍‌ ମାନଙ୍କରେ ଚଢାଉ କରଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତବାନୀ ଦିଆଯାଇଛି। ୨୪ ଘଣ୍ଟାରୁ ୩ ଦିନ ମଧ୍ୟରେ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବାବେଳେ କିନ୍ତୁ ନଭେମ୍ବର ୨୫ ତାରିଖରୁ ଧାନ ବିକ୍ରି ହୋଇଥିବା ଧାନର ପ୍ରାପ୍ୟ ଚାଷୀଙ୍କୁ ମିଳିନାହିଁ। ଆନ୍ଦୋଳନ ବେଳେ ଏକର ପିଛା ଧାନ ସଂଗ୍ରହର ପରିମାଣ ଉଭୟ ମନ୍ତ୍ରୀ ସୁଶାନ୍ତ ସିଂ ଓ ବିଧାୟକ ରୋହିତ ପୂଜାରୀ ପ୍ରତିଶ୍ରୁତି ଦେଇଥିଲେ ହେଁ କାର୍ଯ୍ୟକାରୀ ହୋଇନାହିଁ। ସେହିପରି ପ୍ରତି ୭ ଦିନରେ ଥରେ ଧାନ ବିକ୍ରି ଉପସମିତି ବୈଠକ ହେବା କଥା ମାତ୍ର ତାହା କାହିଁକି ହେଉନାହିଁ ବୋଲି ଚାଷୀ ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଥିଲା।

ସମ୍ବନ୍ଧିତ ଖବର