ଚାଷୀ ପାଇଁ କ’ଣ କରିବ କୁହ?

ଅଡିବସିଲେ ବିରୋଧୀ, ଉତ୍ତର ନ ମିଳିବାରୁ କକ୍ଷତ୍ୟାଗ

ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ପ୍ରସଙ୍ଗରେ ବି ଜବାବ ମାଗିଲେ

ଭୁବନେଶ୍ୱର : ବର୍ତ୍ତମାନ ଚାଷୀକୁ କେମିତି ସାହାଯ୍ୟ କରିବେ, ସେ ନେଇ କୃଷିମନ୍ତ୍ରୀ ଉତ୍ତର ଦିଅନ୍ତୁ। ଚାଷୀକୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନସନ୍‌ ପ୍ରଦାନ ନେଇ ସରକାର କଣ ପଦକ୍ଷେପ ନେବାକୁ ଯାଉଛନ୍ତି ସେ କଥା ବି ଗୃହକୁ ଜଣାନ୍ତୁ। ଏମିତି ପ୍ରଶ୍ନର ଜବାବ ମାଗି ଆଜି ବିଧାନସଭାରେ ବିରୋଧୀ ଦଳ କମ୍ପମାନ କରିଛନ୍ତି। ଆଜି ମନ୍ତ୍ରୀ ଉତ୍ତର ଦେବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବାରମ୍ବାର ଛିଡା ହୋଇ ଚାଷୀ ପ୍ରସଙ୍ଗରେ ସେ ଉଠାଇଥିବା ପ୍ରଶ୍ନସବୁର ଉତ୍ତର ସରକାରଙ୍କଠାରୁ ଲୋଡିଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତର ନ ମିଳିବାରୁ ବିରୋଧୀ ଦଳ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା କହିଥିଲେ, ଆଲୋଚନା ଓ ମନ୍ତ୍ରୀଙ୍କ ପ୍ରାରମ୍ଭିକ ଉତ୍ତର ସୂଚାଇ ଦେଇଛି ଯେ ଚାଷୀର ସମସ୍ୟା ଅଛି। ହେଲେ ଭାଗଚାଷୀଙ୍କୁ ସରକାର ନ୍ୟାୟ ଦେବା ପାଇଁ କଣ କରିଛନ୍ତି? ଭାଗଚାଷୀ ବି ଗୋଟିଏ ଚାଷୀ। ୯୯ ପ୍ରତିଶତ ଭାଗଚାଷୀ ବେଆଇନ ଭାବେ ଚାଷ କରୁଛନ୍ତି। ଭୂସଂସ୍କାର ଆଇନରେ ଏହାକୁ ନିଷିଦ୍ଧ କରାଯାଇଛି। ଯଦି ଜମି ମାଲିକ ତାର ଜମି ଭାଗରେ ଦିଏ, ତେବେ ମାଲିକାନା ଯିବ ଓ ଭାଗଚାଷୀକୁ ବି ଉଚ୍ଛେଦ କରାଯିବ। ଜଣେ ସରପଞ୍ଚ କିଭଳି ଓ କେଉଁ ଆଇନ ବଳରେ ଭାଗଚାଷୀଙ୍କୁ ସ୍ୱୀକୃତି ଦେବ?

ଭାଗଚାଷୀଙ୍କର ତ ଜମି ନାହିଁ, ସରକାର କେମିତି ଓ କେଉଁ ଆଇନ ବଳରେ ସେମାନଙ୍କ ଠାରୁ ଧାନ ସଂଗ୍ରହ କରିବେ? ଏ ଆଇନକୁ ତୁରନ୍ତ ସଂଶୋଧନ କରାଯିବା ଦରକାର ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ। ପଶ୍ଚିମବଙ୍ଗର ଉଦାହରଣ ଦେଇ ମନ୍ତ୍ରୀ ଏ ନେଇ ଠୋସ୍‌ ଉତ୍ତର ଦିଅନ୍ତୁ ବୋଲି ସେ ଅଡିବସିଥିଲେ।

ବିରୋଧୀ ଦଳ ନେତା କହିଥିଲେ, ଋଣ, ଜଳସେଚନ, ବଜାର ଓ ସଂରକ୍ଷଣ ଏବେ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି।

ରିଲିଫ୍‌ ଚାଷୀକୁ ଅନାହାର ମୃତ୍ୟୁରୁ ରୋକିବା ପାଇଁ ନୁହେଁ। ବରଂ ତାକୁ ପରବର୍ତୀ ଚାଷ ପାଇଁ ମାନସିକ ଭାବେ ପ୍ରସ୍ତୁତ କରିବା ଲାଗି ଏକ ବ୍ୟବସ୍ଥା। ଏଠି ଅଣଜଳସେଚିତ ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ଓ ଜଳସେଚିତ ଜମି ପାଇଁ ୧୩ହଜାର ୫୦୦ ଟଙ୍କା କେମିତି ହେବ? ମୁଖ୍ୟ ସଚିବ ୨ଲକ୍ଷ ଟଙ୍କା ଦରମା ପାଇବେ। ଅଣଜଳସେଚିତ ଜମି କ୍ଷେତ୍ରରେ ଏକର ପିଛା ୨ହଜାର, ଜଳସେଚିତ କ୍ଷେତ୍ରରେ ଏକର ପିଛା ୪ହଜାର ଟଙ୍କା ମିଳିବ? ଏମିତି କେମିତି ହେବ? ଚାଷୀ କେମିତି ବଞ୍ଚିବ?

ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ନେଇ ସରକାରଙ୍କ ଆଭିମୁଖ୍ୟ କଣ ସେ ନେଇ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇବା ସହିତ ଅନ୍ୟମାନଙ୍କୁ ଦେଉଛ, ଚାଷୀଙ୍କୁ କାହିଁକି ପେନସନ୍‌ ଦେବନାହିଁ ବୋଲି ଜବାବ ମାଗିଥିଲେ। ସମାନ୍ତରାଳ ଭାବେ ସୁପ୍ରିମକୋର୍ଟ ଚାଷୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କରିଥିବା ତାଗିଦ୍‌ ନେଇ ମଧ୍ୟ ଗୃହରେ ତଥ୍ୟ ରଖିଥିଲେ ବିରୋଧୀ ଦଳ ନେତା।

‘ବ୍ୟାପକ ସମସ୍ୟା ଭିତରେ ରାଜ୍ୟର ଚାଷୀ ଓ ଏଥିପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଣଦେଖା’ ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଦେଇଥିଲେ ବିରୋଧୀ। ଏହା ଉପରେ ଆଜି ଗୃହରେ ଜୋରଦାର ଆଲୋଚନା ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ନବ କିଶୋର ଦାସ, ଅଂଶୁମାନ ମହାନ୍ତି ଆଲୋଚନାରେ ଭାଗ ନେଇ କହିଥିଲେ,ରାଜ୍ୟ ସରକାର ଚାଷକୁ ଏତେ ଗୁରୁତ୍ୱ ଦେଉଛନ୍ତି ଯେ କୃଷି ବିଭାଗର ଯେଉଁ ଅଧିକାରୀ (ଭିଓଡବ୍ଲ୍ୟୁ) ଲୋକଙ୍କ ସହ ସଂପର୍କ ରଖିବା କଥା, ତାଙ୍କୁ ଦେଖିବାକୁ ମିଳୁନି। ସରକାର ୧୭ ବର୍ଷ ହେଲା ଆସିଲେଣି, ଏ କ୍ଷେତ୍ରରେ ନିଯୁକ୍ତି ଦେଉନାହାନ୍ତି। ଆଳୁ ଓ ପିଆଜ ମିସନ ଧୂଆଁବାଣ ହୋଇଗଲା। ୩୫ ପ୍ରତିଶତ ଜଳସେଚନ ହୋଇପାରିଲା ନାହିଁ। ଆଡିବନ୍ଧ ନିର୍ମାଣ କଥା ସରକାର କହୁଛନ୍ତି, କିନ୍ତୁ ଏସବୁ ଶୁଖିଲା ପଡିଛି। ଉଠା ଜଳସେଚନ ପଏଣ୍ଟରେ ବିଦ୍ୟୁତ ସଂଯୋଗ ନାହିଁ।

ବିଜେଡି ଡ୍ରାମା କରିବାରେ ସିଦ୍ଧହସ୍ତ ବୋଲି ଅଭିଯୋଗ ଆଣି କଂଗ୍ରେସ ବିଧାୟକମାନେ କହିଥିଲେ, ପରିବା ଚାଷୀ ବି ରାଜ୍ୟରେ ସର୍ବସ୍ୱାନ୍ତ। ଆଖୁ ଓ ଅଦାଚାଷ ଲୋପ ପାଇବାକୁ ବସିଲାଣି। ମାନସିକସ୍ତରରେ ଦୁର୍ବଳ ହୋଇ ଚାଷୀ ଆତ୍ମହତ୍ୟା କରୁଛନ୍ତି। ମନ୍ତ୍ରୀ ଅଭିଜ୍ଞ। ହେଲେ ଗୃହରେ ସତ କହିବାର ସତ୍‌ସାହସ ତାଙ୍କର ନାହିଁ। ଏଠି ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କର ସମୟ ନାହିଁ, କେବିକେ ଠାରୁ ଆରମ୍ଭ କରି ବିଆର୍‌ଜିଏଫ୍‌ ଯାଏ ଗୋଟିଏ ପରେ ଗୋଟିଏ ଯୋଜନା ବନ୍ଦ କରିଦେଉଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ବି ଚାଷୀଙ୍କ ପ୍ରତି ଦରଦ ନାହିଁ। ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହାନ୍ତି। ମାଗଣା ବିଦ୍ୟୁତ ପାଇଁ ବଜେଟ୍‌ରେ ବ୍ୟବସ୍ଥା ନାହିଁ।

ବିଜେପି ବିଧାୟକ ରବି ନାରାୟଣ ନାଏକ, ପ୍ରଦୀପ ପୁରୋହିତ ଆଲୋଚନାରେ ଭାଗ ନେଇ କହିଥିଲେ, ଯେତିକି ଉଠାଜଳସେଚନ ପଏଣ୍ଟ ଅଛି, ତା ମଧ୍ୟରୁ ୩୫ ପ୍ରତିଶତ ଅଚଳ ହୋଇ ରହିଛି। ଚକଡ଼ା ପୋକ ପାଇଁ ସରକାର ହିଁ ଦାୟୀ। ବିଭାଗରେ ସର୍ବନିମ୍ନ ସ୍ୱଚ୍ଛତା ପରିଲକ୍ଷିତ ହେଉନାହିଁ। ଯେଉଁ କୀଟନାଶକକୁ ନିଷିଦ୍ଧ କରାଯାଇଛି, ତାକୁ ସାରା ରାଜ୍ୟରେ ବ୍ୟବହାର ପାଇଁ ସରକାର ଅନୁମତି ଦେଲେ କେମିତି?

ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାଁ ନନେଇ ବିଜେପି ସଭ୍ୟମାନେ କହିଥିଲେ, କୀଟନାଶକ କ୍ଷେତ୍ରରେ ପାଞ୍ଚଶହ କୋଟି ଟଙ୍କା କାରବାର ହେଉଛି। ପୂର୍ବତନ ମନ୍ତ୍ରୀଙ୍କ ପୁଅ ବାହାଘରରେ ଯେଉଁ ତୋରଣ ହୋଇଥିଲା, ସେଥିରେ କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି। ସେ ତୋରଣଟି କୀଟନାଶକ ଔଷଧ କଂପାନି କରିନାହାନ୍ତି ତ? ତାରେଣୀ କଂପାନି କାହା ଲୋକ? ପ୍ରତାପ ମହାନ୍ତି କାହା ସଂପର୍କୀୟ? ରାଜ୍ୟ ସରକାର ବୋନସ୍‌ ଦେବା ନେଇ କେନ୍ଦ୍ର ଠାରୁ କାହିଁକି ସ୍ପଷ୍ଟୀକରଣ ଲୋଡୁନାହାନ୍ତି ବୋଲି ପ୍ରଶ୍ନ କରିଥିଲା ବିଜେପି।

ଆଲୋଚନାରେ ଭାଗ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ପଦ୍ମନାଭ ବେହେରା, ପ୍ରମିଳା ମଲ୍ଲିକ ଓ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ସରକାରଙ୍କର ଚାଷ ପ୍ରତି ଦରଦ ଅଛି ବୋଲି ବାର୍ଷିକ ୧୪ହଜାର ୧୬୨ କୋଟି ଟଙ୍କା କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଖର୍ଚ୍ଚ ହେଉଛି। ୨୦୧୩ରେ ଏହା ୭ହଜାର କୋଟି ଥିଲା, ତିନି ବର୍ଷରେ ଦ୍ୱିଗୁଣିତ ହୋଇଛି। ଚାଷୀଙ୍କୁ ଦିଆଯାଇଥିବା ସହାୟତା ଏନ୍‌ଡିଆର୍‌ଏଫ୍‌ ନିୟମାବଳୀ ଅନୁସାରେ ଦିଆଯାଉଛି କି ନାହିଁ, ସେ ନେଇ ବିଧାୟକମାନେ ଜାଣିବାକୁ ଚାହିଁଥିଲେ। ବିହନ, ଔଷଧରେ ଭେଜାଲ ରୋକିବା ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି, ସେକଥା ଜାଣିବାକୁ ଚାହିଁଥିଲେ।

ବିଧାନସଭାରେ ଗର୍ଜିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର : ମୁଁ ହାତଯୋଡି ଅନୁରୋଧ କରୁଛି, ଚାଷୀକୁ ଆତ୍ମହତ୍ୟା କରିବା ଲାଗି ଉସୁକାଅ ନାହିଁ। ପାପ ହେବ। ମୋ ପାଖରେ ଫଟୋ ଅଛି, କେମିତି ଢଙ୍ଗରେ ଆତ୍ମହତ୍ୟା କରିବା ଲାଗି ଚାଷୀକୁ ମତାଯାଉଛି।

ବିରୋଧୀ ଦଳକୁ ଏମିତି ଭାବପୂର୍ଣ୍ଣ ଓ କ୍ଷୋଭଭରା କଣ୍ଠରେ ଅନୁରୋଧ କରି ଆଜି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ଦେଶର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା ଦ୍ୱାରା ଚାଷୀ ଆତ୍ମହତ୍ୟା ଘଟଣାର ତଦନ୍ତ କରିବା ଲାଗି ଦାବି କରିଛନ୍ତି। ଏକଥା କହିଛନ୍ତି, ଯିଏ ଏମିତି କରୁଛି, ତାକୁ ଦଣ୍ଡ ମିଳୁ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଅବହେଳା ଓ ବିଜେପି ଏବଂ କଂଗ୍ରେସକୁ କଟାକ୍ଷ କରି ମନ୍ତ୍ରୀ ଦୃଢ ଭାବେ ଗୃହରେ ପ୍ରତିଶ୍ରୁତି ରଖିଥିଲେ ଯେ ନବୀନ ପଟ୍ଟନାୟକ ସରକାର ଚାଷୀ ସହିତ ଥିଲେ, ଅଛନ୍ତି ଓ ରହିବେ।

ଏଥିସହିତ ଆଜି ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ କୃଷି ମନ୍ତ୍ରୀ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ ବାଦାନୁବାଦ ଓ କଥା କଟାକଟି ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ମନ୍ତ୍ରୀ ବିଗିଡି ଯାଇଥିଲେ। କହିଥିଲେ, ମୁଁ କଣ କେବଳ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନର ଉତ୍ତର ଦେବି। ଅନ୍ୟ ବିଧାୟକମାନେ
ପଚାରିଥିବା ପ୍ରଶ୍ନର ଉତ୍ତର ଦେବିନି?

କୃଷି ବିଭାଗ ସଂପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଚଳିତବର୍ଷ ୩୬ଲକ୍ଷ ୨୪ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ମରୁଡି, ପୋକ ଆଦି ଯୋଗୁଁ ପ୍ରାୟ ୫ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ତେବେ ଅବଶିଷ୍ଟ ଜମିରେ ଯେତିକି ଫସଲ ହୋଇଛି, ତାହା ଗତବର୍ଷ ଧାନ ଉତ୍ପାଦନ ଠାରୁ ବଢିିବ। ପ୍ରାୟ ୧ଲକ୍ଷ ୨୦ ହଜାର ଟନ୍‌ରୁ ଅଧିକ ଧାନ ଉତ୍ପାଦନ ହେବ।

ଚାଷୀକୁ ଇନ୍‌ପୁଟ୍‌ ସବ୍‌ସିଡି ଦିଆଯିବା ଦାୟିତ୍ୱ ରାଜସ୍ୱ ବିଭାଗର ବୋଲି କହି ସବୁ ପ୍ରଶ୍ନର ଉତ୍ତରକୁ ଟାଳିଦେଇଥିଲେ ମନ୍ତ୍ରୀ। କହିଥିଲେ, ଭାଗଚାଷୀଙ୍କୁ ଋଣ, ବିହନ ଓ ଔଷଧ ପ୍ରଦାନ କ୍ଷେତ୍ରରେ ସମସ୍ୟା ଦେଖାଯାଉଛି। ଭାଗଚାଷୀଙ୍କୁ ସ୍ୱୀକୃତି ଦେବା ଲାଗି ୨୦୧୦ରୁ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏଯାଏ କିଛି ହୋଇନାହିଁ। କାହିଁକି ୬୭ ପ୍ରତିଶତ ଜଳ ସମୁଦ୍ରକୁ ଯାଉଛି। କିଏ ଯୋଜନା କରିବା କଥା?

କ୍ଷୋଭ ପ୍ରକଟ କରି ମନ୍ତ୍ରୀ କହିଥିଲେ, ବିଜେଡି-ବିଜେପି ୯ବର୍ଷ ମିଶିକି ଶାସନ କଲେ। ବିଜେପି ୧୭ବର୍ଷ ହେଲା ସବୁ ବିଜେଡି କରୁଛି ବୋଲି କହିବ? ଏବେ ରାଜ୍ୟରେ ୧୭ ପ୍ରତିଶତ ଲୋକଙ୍କ ପାଖରେ ଜମି ନାହିଁ। କେନ୍ଦ୍ର ତଥାପି ଅବହେଳା କରିବ। ଏମ୍‌ଏସ୍‌ପି ଦେଢଗୁଣା ଦେବ ବୋଲି କହି ଫାଙ୍କିଦେବେ ? ଛତିଶଗଡ ପାଣି ବନ୍ଦ କଲା। ହୀରାକୁଦର ଉପରମୁଣ୍ଡରେ ଜଳାଭାବ ଦେଖାଦେଇଛି, ତଳମୁଣ୍ଡରେ ଜଗତସିଂହପୁରରେ ବି। ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ ବି ବିଚଳିତ ହୋଇପଡିଲେ। ଉପରେ ଯେତେବେଳେ ୬ଟି ବ୍ୟାରେଜ୍‌ ହେଲା, ଉପା ସରକାର ଶାସନରେ ଥିଲେ କଣ କରୁଥିଲେ? କୃଷି ମନ୍ତ୍ରୀ କହିଥିଲେ, ଚାଷୀଙ୍କ ପାଖରେ ରାଜ୍ୟ ସରକାର ପଥର ପାଚେରି ଭଳି ଠିଆହେବେ। ମୁଖ୍ୟମନ୍ତ୍ରୀ ଏକଥା କହିଛନ୍ତି, ମାନେ ସେ କରିକି ଦେଖାଇବେ। କେନ୍ଦ୍ର ସରକାର ଇଚ୍ଛାକୃତ ଅବହେଳା କରିଛନ୍ତି ଓ ରାଜ୍ୟ ସରକାର ଚାଷୀର ବିକାଶ ପାଇଁ ନିଷ୍ଠାପର ଭାବେ ଉଦ୍ୟମ କରୁଛନ୍ତି।

ଏହି ଅବସରରେ ମନ୍ତ୍ରୀ କହିଥିଲେ, ୨୦୦୦ରେ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୫୫ଲକ୍ଷ ମେଟ୍ରିକ୍‌ ଟନ୍‌ ଥିଲା। ୨୦୧୬-୧୭ରେ ଏହା ୧ କୋଟି ୧୭ଲକ୍ଷ ଟନ୍‌କୁ ବୃଦ୍ଧି ପାଇଛି। ୨୦୧୬-୧୭ ଖରିଫ୍‌ରେ ୧୭ଲକ୍ଷ ୬୩ ହଜାର ୫୭୮ ଜଣ ଚାଷୀଙ୍କୁ ଫସଲ ବୀମାଭୁକ୍ତ କରାଯାଇଥିବା ବେଳେ ୧ଲକ୍ଷ ୬୭ ହଜାର ଚାଷୀଙ୍କୁ ଫସଲ ବୀମା ସହାୟତା ଦିଆଯାଇଛି। ବିଜୁ କୃଷକ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ୫ଜଣିଆ ପରିବାର ପାଇଁ ୧ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ ହୋଇଛି। ୨୦୧୩ରୁ ଏଯାଏ ଏହି ଯୋଜନାରେ ୪ଲକ୍ଷ ୮ ହଜାର ୮୬୦ ଜଣ ଚାଷୀଙ୍କୁ ୨୦୧ କୋଟି ୬୪ଲକ୍ଷ ୪୨ହଜାର ୮୦୯ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି।

ଅନ୍ୟପକ୍ଷରେ ଆଲୋଚନାରେ ଭାଗ ନେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ, ଭାଗଚାଷୀ ବେଆଇନ ଏକଥା ଜାଣିକି ବି ସରକାର ପ୍ରକୃତ ଚାଷୀଙ୍କୁ କ୍ଷତିପୂରଣ ଦେବା କଥା କେବଳ କହୁଛନ୍ତି। ବିବାଦ ସ୍ଥଳେ ଗ୍ରାମ୍ୟ କମିଟି ସହିତ ପରାମର୍ଶ ପାଇଁ କୁହାଯାଇଛି। ସରକାର ଭାଗଚାଷୀଙ୍କ ସଂପର୍କରେ କମିଟି କରି ତର୍ଜମା କରୁଛନ୍ତି. ସେହିପରି ରିଲିଫ୍‌ ନିୟମରେ ସଂଶୋଧନ କରିବା ଲାଗି କେନ୍ଦ୍ର ସରକାରଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର