ପାଓ୍ଵାର ଟିଲ୍‌ରରେ କଟି ଚାଷୀ ମୃତ

ଜୟପୁର : ଚାଷ ନେଲା ଚାଷୀର ଜୀବନ। ବିରି ବୁଣିବା ପାଇଁ ଜମିକୁ ଯାଇଥିବା ଜଣେ ଚାଷୀଙ୍କ ପାଓ୍ଵାର ଟିଲର୍‌ରେ କଟି ମୃତ୍ୟୁ ଘଟିଛି। ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ସାନକାଉଡି ଗ୍ରାମରେ ଆଜି ଘଟିଛି ଏହି ଦୁଃଖଦ ଘଟଣା।  ମୃତ ଚାଷୀ ଜଣକ ହେଉଛନ୍ତି ପଦ୍ମନ ହାଲଓ୍ଵା (୪୭)। ଆଜି ସକାଳେ ପଦ୍ମନ ନିଜ ଜମିରେ ବିରି ବୁଣିବା ପାଇଁ ଜମି ଚାଷ କରୁଥିବା ବେଳ ପାଓ୍ଵାରଟିଲର ବ୍ଳେଡରେ ଗୋଡ କଟି ଯାଇ ମୃତ୍ୟୁ ଘଟିଛି। ମୃତ ଶରୀରକୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଜୟପୁର ସଦରଥାନରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି।  ସୂଚନାଅନୁଯାୟୀ, ଆଜି ସକାଳ ୮ଟାରେ ପଦ୍ମନ ନିଜ ଗ୍ରାମରେ ଥିବା ଜମିରେ ବିରି ବୁଣିବା ପାଇଁ ଘରୁ ପାଓ୍ଵାର ଟିଲର ନେଇ ବାହାରିଥିଲେ। ଜମିରେ ଚାଷ କରୁଥିବା ବେଳେ ୯ଟା ବେଳେ ପାଓ୍ଵାର ଟିଲରର ବ୍ଲେଡ୍‌ରେ ପଦ୍ମନଙ୍କ ୨ଟି ଯାକ ଗୋଡ ଫସି କଟି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ପଦ୍ମନଙ୍କୁ ଦେଖି ବୃନ୍ଦାବନ ସେଠାକୁ ଦୌଡି ଯାଇଥିଲେ। ପରେ ଗୁରତର ଅବସ୍ଥାରେ ପଦ୍ମନଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପଦ୍ମନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲ। କୋରାପୁଟ ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ପଦ୍ମନଙ୍କ ମୃତ ଶରୀରକୁ ଜୟପୁରୁ ଚିକିତ୍ସାଳୟକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସମ୍ପର୍କୀୟ ସୁବାଷ ହାଲଓ୍ଵାଙ୍କ ଅଭିଯୋଗକ୍ରମେ ଜୟପୁର ସଦରଥାନାରେ ଆଜି ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ନମ୍ବର ୧୪୭/୧୭ ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ନିର୍ମଳ କୁମାର ମହାପାତ୍ର କହିଛନ୍ତି।
ପଦ୍ମନଙ୍କ ପରିବାର କହିଲେ ସ୍ତ୍ରୀ ମଙ୍ଗୁଳୀ ହାଲଓ୍ଵା, ଗୋଟିଏ ପୁଅ ୪ଟି ଝିଅ। ପୁଅ ଓଡିଶା ପୁଲିସ ବାହିନୀରେ କାର୍ଯ୍ୟରତ ରହିଥିବା ବେଳେ ୨ ଜଣ ଝିଅ ବିବାହ କରିଛନ୍ତି ଏବଂ ଅନ୍ୟ ୨ ଝିଅ ମହାବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି।

ସମ୍ବନ୍ଧିତ ଖବର