ସାର ସଂକଟ ଉତ୍କଟ : ମାଗିଲେ ୫୫୦୦ଟନ୍‌, ମିଳିଲା ୨୮୨

ସାର ପାଇଁ ଚାଷୀ ବିକଳ, ହାତ ଟେକି ବସିଛନ୍ତି, ଚିଠି ପରେ ଚିଠି ଲେଖି ଚାଲିଛି ବିଭାଗ

ଅନୁଗୁଳ : ଧାନ କ୍ଷେତକୁ ଏବେ ୟୁରିଆ ସାର ସଂକଟ। ପରିସ୍ଥିତି ଏମିତି ହୋଇଛି ଯେ ସାର ଗାଡ଼ି ଦେଖିଲେ ବିକଳରେ ଗାଡ଼ିରୁ ବସ୍ତା ବୋହି ନେଉଛନ୍ତି ଚାଷୀ। ଯେଉଁମାନଙ୍କୁ ମିଳୁନି ସେମାନେ ହାତବାନ୍ଧି ବସିଛନ୍ତି। ନିଅଣ୍ଟିଆ ପରିସ୍ଥିତି ପଛରେ ଯେଉଁ କାରଣ ପଦାକୁ ଆସିଛି ତାହା ହେଉଛି ସରକାରୀ ଅବହେଳା। ଜିଲ୍ଲାକୁ ଏବର୍ଷ ଖରିଫ୍‌ରେ ୫୫୦୦ଟନ୍‌ ସାର ଦରକାର ଥିବା ବେଳେ କେନ୍ଦ୍ର ଦେଇଛି ମାତ୍ର ୨୮୨ଟନ୍‌। ଯାହା ଆବଶ୍ୟକତାର ପ୍ରାୟ ୫ ପ୍ରତିଶତ। ସାରର ଏମିତି ନିଅଣ୍ଟିଆ ପରିସ୍ଥିତି କେବଳ ଚାଷ କାର୍ଯ୍ୟକୁ ବାଧା ଦେଇନି, ବରଂ ସରକାରଙ୍କ ଅବହେଳା ପାଇଁ ଚାଷୀଙ୍କୁ ବିରାଟ ଧକ୍କା ଲାଗିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୦ତାରିଖରୁ ସେପ୍ଟେମ୍ବର ୧୫ ମଧ୍ୟରେ କ୍ଷେତକୁ ସାର ନିତାନ୍ତ ଦରକାର। ଏହି ସମୟ ପରେ ଛୋଟ ଧାନ ପିଲ ମାରେ ଏବଂ ବଡ଼ଧାନ ଗଣ୍ଠି ଧରେ। ତେଣୁ ଆବଶ୍ୟକତାକୁ ଦେଖି ଜିଲ୍ଲା କୃଷି ବିଭାଗ ସରକାରଙ୍କୁ ୫ହଜାର ୫ଶହ ଟନ୍‌ ସାର ମାଗିଥିଲା। କିନ୍ତୁ ଅଗଷ୍ଟ ସରିଲା ପଛେ ସାର ଆସିଲା ନାହିଁ। ଏଇ ମାସ ପହିଲାରେ କଟକକୁ ପ୍ରଥମ ୟୁରିଆ ସାର ର‍୍ୟାକ୍‌ କେନ୍ଦ୍ର ସରକାର ପଠାଇଛନ୍ତି। ବିଳମ୍ବ ହେଲେ ବି ଦରକାର ମୁତାବକ ଆସିଲାନି। ଅନୁଗୁଳ ଜିଲ୍ଲାକୁ ମାର୍କଫେଡ଼୍‍ ଜରିଆରେ ଆସିଛି ମାତ୍ର ୧୫୦ଟନ୍‌। ଯାହା ସମୁଦ୍ରକୁ ଶଙ୍ଖେ ଭଳି। ସେଥିରୁ ଅନୁଗୁଳ ବ୍ଲକ୍‌କୁ ୫୦ଟନ୍‌ ଏବଂ ଛେଣ୍ଡିପଦାକୁ ୧୦୦ଟନ୍‌ ଭାଗ ବାଣ୍ଟି ଦିଆଯାଇଛି। ଛେଣ୍ଡିପଦା ବ୍ଲକ ଏକାକୀ ୭ଶହ ଟନ୍‌ ସାର ଲୋଡ଼ୁଥିବା ବେଳେ ମାତ୍ର ୧୦୦ଟନ୍‌ ସାର ଦେଖି ସରକାରୀ ବାବୁଙ୍କ ମୁଣ୍ଡ କାମ କରୁନି। କାହାକୁ କେତେ ସାର ବାଣ୍ଟିବେ, ଚାଷୀଙ୍କୁ କେମିତି ସାମ୍ନା କରିବେ ସେହି ଚିନ୍ତା ଘାରିଛି।

ଅନେକ ସୋସାଇଟିକୁ ଏଯାବତ୍‌ ସାର ଯାଇ ନାହିଁ। ସୋସାଇଟି ଭଳି ବଜାରରେ ବି ୟୁରିଆ ସାରର ଅଭାବୀ ପରିସ୍ଥିତି ଦେଖିବାକୁ ମିଳିଛି। ମାର୍କଫେଡ଼୍‍ ବାଦ୍‌ ସିଆଇଏଲ୍‌ ଜରିଆରେ ଜିଲ୍ଲାର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ଡିଲରଙ୍କୁ ୧୩୨ଟନ୍‌ ସାର ଦିଆଯାଇଛି। ସେଥିରେ ବି ଆବଶ୍ୟକତା ମେଣ୍ଟି ପାରିନି।

ୟୁରିଆ ସାରର ନିଅଣ୍ଟିଆ ସ୍ଥିତିକୁ ସ୍ୱୀକାର କରିଛନ୍ତି ଅନୁଗୁଳ ଜିଲ୍ଲା କୃଷି ଉପ ନିର୍ଦେଶକ ବିଜୟ କୁମାର ମହାପାତ୍ର। କହିଛନ୍ତି, ଜିଲ୍ଲା ପାଇଁ ୫୫୦୦ଟନ୍‌ ସାର ଦରକାର ଥିବା ବେଳେ ଆମେ ପାଇଛୁ ମାତ୍ର ୨୮୧ଟନ୍‌। ସାର ଯୋଗାଣ ପାଇଁ ବାରମ୍ବାର ଚିଠି ଲେଖୁଛୁ। ଆଜି ବି ଚିଠି ଲେଖିଛୁ ବୋଲି ସେ କହିଛନ୍ତି। ଏ ପରିସ୍ଥିତିରେ ଖୋଲା ବଜାରରେ ଦରବୃଦ୍ଧିର ଆଶଙ୍କା ଥିବାରୁ ସେଥିପ୍ରତି ମଧ୍ୟ ନଜର ରଖାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର