Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ପୁଣି ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

ସମ୍ବଲପୁର ଜିଲ୍ଲାରେ ୫୬୫୮ ହେକ୍ଟର ଫସଲ ନଷ୍ଟ

0 70

ସମ୍ବଲପୁର : ଜିଲ୍ଲାରେ ଚକଡ଼ା ପୋକ ଯୋଗୁଁ ୫୩୪ ଗାଁର ୫୬୫୮ ହେକ୍ଟର ଫସଲ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଧନକଉଡ଼ା ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି। ୧୯ଟି ପଞ୍ଚାୟତ ୮୩ ଗାଁର ୩୪୬୮ ଜମି ଏଥିରେ ଆକ୍ରାନ୍ତ ହୋଇଛି। ଅପରପକ୍ଷରେ ଚକଡ଼ା ଚଡ଼କ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନେ ଧାନ କ୍ଷେତରେ ନିଆଁ ଲଗାଇବା ଘଟଣା ବଢ଼ିବାରେ ଲାଗିଛି। ବରଗଡ଼ ପରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କର୍ଡୋଲା ପଞ୍ଚାୟତ କୁଡ଼ାପାଲିର କ୍ଷୁଦ୍ର ଚାଷୀ ସତ୍ୟାନନ୍ଦ ସେଠଙ୍କ ପରେ ମାନେଶ୍ୱର ବ୍ଲକ ସାହାସପୁର ଓ ଧମା ପଞ୍ଚାୟତର କେତେକ ଚାଷୀ ପୁଣି ନିଜ କ୍ଷେତରେ ନିଆଁ ଲଗାଇ ଦେଇଛନ୍ତି।

ଗୁରୁବାର ସକାଳେ ସାହାସପୁର ପଞ୍ଚାୟତ ଅର୍ଡା ଗ୍ରାମର ସୂର୍ଯ୍ୟ କୁମାର ହୋତା ଚକଡ଼ା ପୋକ ଲାଗିଥିବା ୨୦ ଡେସିମିଲ ଜମିରେ ନିଆଁ ଲଗାଇ ଦେଇଛନ୍ତି। ୨୫ ଏକର ଜମି ମଧ୍ୟରୁ ୧୮ ଏକର ଜମିରେ ହୋଇଥିବା ଫସଲ ଚକଡ଼ା ଯୋଗୁଁ ପ୍ରଭାବିତ ହୋଇଛି। ୮/୯ ଥର ଔଷଧ ସିଂଚନ କରିବା ପରେ କିଛି ଲାଭ ହୋଇ ନାହିଁ। ଗୋଟିଏ ଏକରକୁ ଏ ବାବଦକୁ ୧୦/୧୫ ହଜାର ଟଙ୍କା ଖର୍ଚ ହୋଇଛି। ଧାନ ଚାଷରେ ବହୁ ଅର୍ଥ ଖର୍ଚ ହୋଇଛି। ଫସଲ ଅମଳ ସମୟରେ ପୁଣି ଚକଡ଼ା ଲାଗିବା ଯୋଗୁଁ ଆର୍ଥିକ ମେରୁଦଣ୍ଡ ଦୋହଳି ଯାଇଛି ବୋଲି ଶ୍ରୀ ହୋତା କହିଛନ୍ତିି। ଧମା ପଞ୍ଚାୟତ ନୂଆଁଗାରେ ଫସଲ ନଷ୍ଟ ହେବାରୁ ଚାଷୀ ବାଲି ରଣବିଡ଼ା ତାଙ୍କ ଅଧା ଏକର ଧାନ ଫସଲରେ ନିଆଁ ଲଗାଇ ଦେଇଛନ୍ତି। ଅର୍ଡାର ସୁରୁବାଳି ବାଗଙ୍କ ୧୦ରୁ ୫ ଏକର, ରମାକାନ୍ତ ପାଣିଗ୍ରାହୀଙ୍କ ୨୫ ଏକରରୁ ୧୦ ଏକର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ସେହିପରି ପିପିଲିକାନି ଗାଁର ଜଗଦୀଶ ପାଣ୍ଡେ, ସଦାଶିବ ସେଟ୍‌, ତ୍ରିବିକ୍ରମ ଭୋଇ, ସତ୍ୟ ବାଗଙ୍କ ଧାନ ଫସଲ ମଧ୍ୟ ଚକଡ଼ା ଯୋଗୁଁ ନଷ୍ଟ ହୋଇଯାଇଛି। ନୂଆଁଗାଁର ସୁବାସ ହୋତା, ଭଗବାନ ପୁରୋହିତ, ବଳରାମ ବେହେରା, ସୀତାରାମ ମିଶ୍ର, ଚୌହାନ ରଣବିଡ଼ା, ଦୁଆନ ରଣବିଡ଼ା ପ୍ରମୁଖ ଚାଷୀ ମଧ୍ୟ ଚକଡ଼ା ରୋଗ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି। ବଡ଼ ଚାଷୀ ରମାକାନ୍ତ ପାଣିଗ୍ରାହୀ ୫୦ ହଜାର ଟଙ୍କା ଖର୍ଚ କରି ତାଙ୍କ ୧୦ ଏକର ଜମିରେ ୪ ଥର ଔଷଧ ସିଂଚନ କରିବା ପରେ ଫଳପ୍ରଦ ହୋଇ ନାହିଁ ବୋଲି କହିଛନ୍ତି।

ଚକଡ଼ା ଯୋଗୁଁ ଚାଷୀ ସର୍ବସ୍ୱାନ୍ତ : ନିଜ ଚାଷ ଜମିରେ ନିଆଁ ଲଗାଇଲେ ତିତେରକୁନ୍ଦ ଗାଁର ଚାଷୀ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତିତେରକୁନ୍ଦ ଗାଁରେ ଧାନ ଫସଲରେ ଚକଡ଼ା ରୋଗ ଲାଗିଥିବାରୁ ଚାଷୀ ମହଲରେ ଚକଡ଼ା ରୋଗ ଲାଗିଥିବାରୁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଗୁରୁବାର ଗାଁର ରାଧୁ ଖମାରୀ ନିଜ ୪ ଏକର ଜମିରେ ହୋଇଥିବା ଧାନ ଫସଲରେ ନିଆଁ ଲଗାଇ ଦେଇଛନ୍ତି। ରାଧୁଙ୍କ କହିବାନୁଯାୟୀ ତାଙ୍କର ସର୍ବମୋଟ ମାତ୍ର ୪ ଏକର ଜମି। ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ପରିବାର। ସେ ଡୁଙ୍ଗୁରିପାଲି ସ୍ଥିତ ଆଞ୍ଚଳିକ ବ୍ୟାଙ୍କରୁ ୩୦ ହଜାର ଟଙ୍କା ଆଣି ଚାଷ କରିଥିବା ବେଳେ ସବୁ ଉଜାଡ଼ି ଦେଲା ଚକଡ଼ା ରୋଗ। ଚିନ୍ତାଗ୍ରସ୍ଥ ଓ ବିରକ୍ତି ହୋଇ ସେ କ୍ଷେତରେ ନିଆଁ ଲଗାଇ ଦେଇଥିବା ରାଧୁ କହିଛନ୍ତି। ସେ ଚକଡ଼ାର ପ୍ରତିକାର ପାଇଁ ବିଭିନ୍ନ ପ୍ରକାର କୀଟ ନାଶକ ଔଷଧ ସିଞ୍ଚନ କରି ମଧ୍ୟ କୌଣସି ପ୍ରଭାବ ପଡ଼ି ନଥିଲା ବୋଲି ସେ କହିଛନ୍ତି। ସେହିପରି ତିତେରକୁନ୍ଦ ଗ୍ରାମର ମଦନ ଖମାରୀ, ସୁଦର୍ଶନ ଖମାରୀ, ବିଶ୍ୱ ଖମାରୀ, ନିତେଇ ଗୁରୁ, ଡିଲେଶ୍ୱର ପଧାନ, ନିକୁଞ୍ଜ ମଲ୍ଳିକ, ନିରଞ୍ଜନ ପଧାନ, ସମ୍ପଦ ମଲ୍ଳିକ, କାହ୍ନୁଚରଣ ଖମାରୀ, କଏଁରା ଗୁରୁ, ଜଗବନ୍ଧୁ ବଗର୍ତ୍ତି, ଭୋଲା ସିଂ ଖମାରୀ, ଟଙ୍କଧର ଖମାରୀ, ଗୋପାଲ ଖମାରୀ ଓ ରକ୍ଷ ଖମାରୀଙ୍କ ଧାନ ଫସଲରେ ଚକଡ଼ା ପୋକ ଯୋଗୁଁ ନାହିଁ ନଥିବା କ୍ଷତି ହୋଇଥିବା ଜଣାଯାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସଂପୃକ୍ତ ଚାଷୀ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

5 × one =