ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ବିଷ ପିଇ ଜୀବନ ହାରିଲେ ଉମେଶ

ଅତାବିରା/ବୁର୍ଲା :ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଥମିବାର ନାଁ ଧରୁନି। ପାଇକମାଳ ବ୍ଲକ୍‌ କାଂସଡ଼ା ପଞ୍ଚାୟତର ଚାଷୀ ଦୈତାରୀ ରଣାଙ୍କ ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ଆତ୍ମହତ୍ୟା କରିଛନ୍ତି ଅତାବିରା ଏନ୍‌ଏସି ଓ୍ଵାର୍ଡ ନଂ. ୩ ଭାଲୁପାଲି ଗ୍ରାମର ଯୁବ ଭାଗ ଚାଷୀ ଉମେଶ ଜଗଦଲ୍ଲା (୩୫)। ଉମେଶ କୀଟନାଶକ ପିଇ ଗୁରୁତର ହେବାରେ ଶୁକ୍ରବାର ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। କ୍ଷତିପୂରଣ ଦାବି କରି ପରିବାର ଲୋକେ ଓ ଗ୍ରାମବାସୀ ତହସିଲ୍‌ ଅଫିସ୍‌ ଛକରେ ଶବ ରଖି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ୫ଟାରେ ରାସ୍ତାରୋକ ହଟିଥିଲା।

ସୂଚନାଥାଉ କି ଉମେଶଙ୍କ ନିଜର ପୈତୃକ ଜମି ଅଧା ଏକର ଥିବା ବେଳେ ୩ ଏକର ଜମି ଭାଗ ସୂତ୍ରରେ ନେଇ ଚାଷ କରୁଥିଲେ। ସାନ ଭାଇ ଶ୍ୟାମ (୨୯) ଶ୍ରମିକ କାମ କରୁଥିବା ବେଳେ ଉମେଶ ଚାଷବାସ କରି ପରିବାର ପୋଷଣ କରୁଥିଲେ। ଉମେଶଙ୍କ ପରିବାର କହିଲେ ବିଧବା ମା’ କୁମ୍ଭାରୀ, ସ୍ତ୍ରୀ ବିମଳା ଓ ୧୦ ବର୍ଷ ଝିଅ ସୁନାକ୍ଷୀ। ଉମେଶ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସେ ଅଳ୍ପ କିଛି ଜମିରେ ପନିପରିବା ଏବଂ ବାକିତକ ଜମିରେ ଧାନ ଚାଷ କରୁଥିଲେ। ତେବେ ଅର୍ଥାଭାବ ଯୋଗୁଁ ଫସଲର ସଠିକ୍‌ ଯତ୍ନ ନ ନେବାରୁ ସବୁକିଛି ଚକଡ଼ା ଓ ଅନ୍ୟ ରୋଗପୋକ ଯୋଗୁଁ ନଷ୍ଟ ହୋଇଯାଇଥିଲା। ଫଳରେ ସାଢ଼େ ୩ ଏକର ଜମିରୁ ମାତ୍ର ୧୫ ପାକେଟ ଧାନ ଅମଳ ହେଇଥିଲା ବୋଲି ପରିବାର ଲୋକେ କହିଛନ୍ତି। ଚାଷ ପାଇଁ କିଛି ଏସ୍‌ଏଚ୍‌ଜିରୁ ଆଣିଥିବା ଋଣ ଓ ହାତ ଉଧାରି ମିଶି ଲକ୍ଷାଧିକ ଟଙ୍କା ହେବ ବୋଲି ଭାଇ ଶ୍ୟାମ ପ୍ରକାଶ କରିଛନ୍ତି। ଅଳ୍ପ ଧାନ ଅମଳ ଯୋଗୁଁ କରଜ ଶୁଝିବା ନେଇ ଘରେ ଅଶାନ୍ତି ଲାଗି ରହିଥିଲା। ଗୁରୁବାର ସକାଳ ୯ଟା ବେଳେ ଉମେଶ କ୍ଷେତକୁ ଯାଇଥିଲେ। ପରେ ପତ୍ନୀ ବିମଳା ୧୧ଟା ବେଳେ ସେଠାକୁ ଯାଇ ଉମେଶ କୀଟନାଶକ ଖାଇ ତଳେ ପଡ଼ିଥିବା ଦେଖି ପଡ଼ୋଶୀଙ୍କୁ ଡାକିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅତାବିରା ଡାକ୍ତରଖାନା ଓ ପରେ ବୁର୍ଲା ନିଆଯାଇଥିଲା।

ଶୁକ୍ରବାର ଉମେଶଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର