ବଲାଙ୍ଗୀରରେ ଚାଷୀ ଆତ୍ମହତ୍ୟା ଘଟଣା : ଗାଁରେ ପହଞ୍ଚି କୃଷି ବିଭାଗର ତଦନ୍ତ, ସବୁ ଜାଣି କାରଣ ଅସ୍ପଷ୍ଟ କହିଲେ ଡିଡିଏ

ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବରକାନୀ ଗାଁର ଯୁବ ଚାଷୀ ଭକ୍ତବନ୍ଧୁ ଦଣ୍ଡସେନା(୩୮) ଗୁରୁବାର ଚାଷ ଜମିରେ ବିଷ ପିଇ ଆତ୍ମହତ୍ୟା କରିବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଶ୍ରୀଧର ଦାସ, ଡିଏଓ ହିମାଂଶୁ ପାଢ଼ୀ ଶୁକ୍ରବାର ଗାଁ କୁ ପହଞ୍ଚି ତଦନ୍ତ କରିଛନ୍ତି। ମୃତ ଚାଷୀଙ୍କ ପରିବାରବର୍ଗ ଓ ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହ ଚାଷ ଜମି ବୁଲି ଦେଖିଛନ୍ତି। କିନ୍ତୁ, କେଉଁ କାରଣ ଯୋଗୁଁ ଚାଷୀ ଆତ୍ମହତ୍ୟା ହେଲା ସେ ନେଇ ଡିଡିଏ କିଛି ମୁହଁ ଖୋଲି ନାହାନ୍ତି। ତଦନ୍ତ ପରେ କାରଣ ଅସ୍ପଷ୍ଟ ରହିଛି ବୋଲି ସେ ସୂଚନା ଦେବା ସହ ଆଉ ଏକ ଟିମ୍‌ ଯାଇ ଘଟଣାର ସବିଶେଷ ତଦନ୍ତ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚାଷୀ ଭକ୍ତବନ୍ଧୁ ବିଷ ପିଇବାର କାରଣ ସଂପର୍କରେ କୃଷି ବିଭାଗ ଟିମ ପଚରାଉଚରା କରିଥିଲେ। ଅନିୟମିତ ବର୍ଷାରେ ଚାଷ କାର୍ଯ୍ୟ ପ୍ରଭାବିତ ଏବଂ ମୁଣ୍ଡ ଉପରେ ଥିବା ଋଣବୋଝ ଯୋଗୁଁ ଭକ୍ତବନ୍ଧୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଥିଲେ। ଗତବର୍ଷ ସମବାୟ ବ୍ୟାଙ୍କରୁ ଷାଠିଏ ହଜାର ଟଙ୍କା ଋଣ ନେଇଥିଲେ। ଏହା ବ୍ୟତୀତ ସ୍ବୟଂ ସହାୟକ ଗୋଷ୍ଠୀରୁ ଅଶୀ ହଜାର ଟଙ୍କା ଧାର ନେଇଥିଲେ। ଗତବର୍ଷ ଭୟଙ୍କର ମରୁଡ଼ିର ଶିକାର ହୋଇଥିଲେ। ବୀମା ମଧ୍ୟ କରିଥିଲେ। ହେଲେ ବୀମା ଟଙ୍କା ପାଇ ନଥିଲେ। ଇନପୁଟ ସବସିଡି ମଧ୍ୟ ମଧ୍ୟ ତାଙ୍କୁ ମିଳି ନାହିଁ ବୋଲି ପରିବାର ଲୋକ ସୂଚନା ଦେଇଥିଲେ। ଏପରିକି ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଟଙ୍କା ମଧ୍ୟ ତାଙ୍କୁ ମିଳି ନାହିଁ। ବର୍ଷା ଅଭାବ ଯୋଗୁଁ ନିରାଶ ହୋଇ ବିଷ ପିଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଓ ପରିବାର ବର୍ଗ ଅଭିଯୋଗ ଉଠାଇଥିଲେ।

ସମ୍ବନ୍ଧିତ ଖବର