ଧର୍ମଶାଳାରେ ଚାଷୀ ଆତ୍ମହତ୍ୟା

ଅଭିଯୋଗ ଆଣିଲେ ପରିବାର ଲୋକେ

ଧର୍ମଶାଳା : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ଅଭୟପୁର ପଞ୍ଚାୟତରେ ଦୁଇ ସପ୍ତାହ ମଧୢରେ ୨ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ୨୬ତାରିଖରେ ମଙ୍ଗରାଜପୁର ଗ୍ରାମର ଭାଗଚାଷୀ ଗୈାରାଙ୍ଗ ବଳ ଆତ୍ମହତ୍ୟା କରିଥିଲେ। ଆଜି ଦିଗମ୍ବରପୁର ଗ୍ରାମର ଶିଶିର ଖଟୁଆ (୩୮) ଋଣଭାର ସହିନପାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ଶିଶିରଙ୍କ ବଡଭାଇ ସୁରେଶ ଖଟୁଆ କହିଛନ୍ତି ଯେ, ସେ ଚଳିତ ବର୍ଷ ପ୍ରାୟ ୧ଏକର ଜମିରେ ଧାନଚାଷ କରିଛନ୍ତି। ଏଥିସହିତ ସେ ରାଜମିସ୍ତ୍ରୀ କାର୍ଯ୍ୟ ମଧୢ କରନ୍ତି। ଚାଷ କାର୍ଯ୍ୟ ଓ ଅସୁସ୍ଥ ପତ୍ନୀଙ୍କ ଚିକିତ୍ସା ପାଇଁ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନଥିବାରୁ ସେ ଗାଁ ମହିଳା ସ୍ବୟ˚ ସହାୟକ ଗୋଷ୍ଠୀ ଏବ˚ ସ୍ଥାନୀୟ ମହାଜନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା କରଜ କରିଥିଲେ। କରଜ ଦେଇଥିବା ଲୋକେ ତାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ। ଏହାକୁ ପରିଶୋଧ କରି ନପାରିବା ଯୋଗୁଁ ସେ ଚିନ୍ତାଗ୍ରସ୍ତ ରହୁଥିଲେ। ସମ୍ଭବତଃ ଏସବୁ କାରଣ ପାଇଁ ଶିଶିର ଗତକାଲି ବିଳମ୍ବିତ ରାତିରେ ନିଜ ଆଜବେଷ୍ଟସ୍‌ ଘର ରୁଅକାଠରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ଭୋରରୁ ତାଙ୍କ ପରିବାର ଲୋକେ ଶିଶିରଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଜଣାପଡିବା ପରେ ଡାକ୍ତରଖାନା ପରିସରରେ ଗହଳି ଲାଗିରହିଥିଲା। ଖବର ପାଇ ଧର୍ମଶାଳା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବଡଚଣା ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର