ଅସହ୍ୟ ହେଲା ଋଣଭାର : ଜୀବନ ହାରିଲେ ଭାଗଚାଷୀ

ଧର୍ମଶାଳା : ଋଣଭାର ଅସହ୍ୟ ହେବାରୁ ଧର୍ମଶାଳା ବ୍ଲକ ଅଭୟପୁର ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଭାଗଚାଷୀ ଗୌରାଙ୍ଗ ବଳ (୪୫) ଆତ୍ମହତ୍ୟା କରିଛନ୍ତି। ତାଙ୍କ ପରିବାର ପକ୍ଷରୁ ଏହିଭଳି ଅଭିଯୋଗ ଅଣାଯାଇଛି।

ବିଧବା ପତ୍ନୀ ରଶ୍ମିତା ବଳଙ୍କ କହିବା ଅନୁଯାୟୀ, ଗୌରାଙ୍ଗ ଚଳିତ ବର୍ଷ ୪ଏକର ଜମିରେ ଧାନ ଚାଷ କରିଛନ୍ତି। ତଳି ରୋଇବା ପରେ ସାର ପକାଇବା ପାଇଁ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନଥିଲା। ପୂର୍ବରୁ ଚାଷ ପାଇଁ ସେ ମାଇକ୍ରୋ- ଫାଇନାନ୍ସରୁ ୫୦ହଜାର, ଅସ୍ମିତା ଫାଇନାନ୍ସରୁ ୨୨ହଜାର ଏବ˚ ଗାଁ ମହାଜନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା କରଜ ଆଣିଥିଲେ। କରଜ ପରିଶୋଧ କରି ନପାରିବା ଏବ˚ ଅର୍ଥ ଅଭାବରୁ ଚାଷ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ସେ ବିଷାଦଗ୍ରସ୍ତ ଥିଲେ। ସମ୍ଭବତଃ ଏସବୁ କାରଣ ପାଇଁ ଗୌରାଙ୍ଗ ଗତକାଲି ବିଳମ୍ବିତ ରାତିରେ ଘର ନିକଟରେ ଥିବା ଏକ ଆମ୍ବଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି।

ଧର୍ମଶାଳା ବିଡିଓ ଅମ୍ବିକା ପ୍ରସାଦ ଦାଶ, ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ବ୍ଲକ ସହକାରୀ କୃଷି ଅଧିକାରୀ ପଲ୍ଲବୀ ନାୟକ ପ୍ରମୁଖ ପହଞ୍ଚି ଘଟଣା ଅନୁଧ୍ୟାନ କରିଛନ୍ତି। ଖବର ପାଇ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପରିଡ଼ା, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଷାନ ପଣ୍ତା, ରାଜ୍ୟ ଯୁବ କ˚ଗ୍ରେସ ମୁଖପାତ୍ର ମାନସର˚ଜନ କର, ପିସିସି ସଂପାଦକ ଅଧୀର କୁମାର ଜେନା ପ୍ରମୁଖ ମୃତ ଗୌରାଙ୍ଗଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର