ଚଞ୍ଚକତା କରି ୨୮ ଏକର ଜମି ହଡ଼ପ ଅଭିଯୋଗ: ବିଷ ପିଇ ଜୀବନ ହାରିଲେ ଚାଷୀ

ଦିଗପହଣ୍ଡି : ଗଂଜାମ ଜିଲ୍ଲା ଦିଗପହଣ୍ଡି ତହସିଲ୍‌ ଅଞ୍ଚଳରେ ଚଂଚକତା କରି ଦଲାଲମାନେ ଜଣେ ଚାଷୀଙ୍କଠାରୁ ପ୍ରାୟ ୨୮ ଏକର ଜମି ହଡ଼ପ କରିନେବା ଅଭିଯୋଗ ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ଚାଷୀ ଜଣକ କୀଟନାଶକ ପିଇ ଆତ୍ମହତ୍ୟା କରିବା ଘଟଣାରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଘଟଣାଟି ବଡ଼ ଡୁମୁଳା ଆର୍‌ଆଇ ସର୍କଲ୍‌ ଅନ୍ତର୍ଗତ ବି. ତୁରୁବୁଡି ଗ୍ରାମରେ ଘଟିଛି। ଆତ୍ମହତ୍ୟା କରିଥିବା ଚାଷୀ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ସାମନ୍ତରା (୭୯)। ଏ ନେଇ ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ସାନ ପୁଅ କୃଷ୍ଣଚନ୍ଦ୍ର ସାମନ୍ତରା ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ପୁଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ଚାଷୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ପଠାଇଛନ୍ତି।

ପୂର୍ଣ୍ଣଚନ୍ଦ୍ରଙ୍କ ୨୮ଏକରରୁ ଊର୍ଦ୍ଧ୍ବ ଜମି ରହିଛି। ସେଥିରୁ ଅଧା ଜମିରେ ରହିଛି ଆମ୍ବତୋଟା। ଅଭିଯୋଗ ଅନୁଯାୟୀ, ଏହି ଜମି ଉପରେ ବୈଦ୍ୟନାଥପୁର ଥାନା ଅଧୀନ ସିଦ୍ଧାର୍ଥ ନଗର ପ୍ରଥମ ଲାଇନ୍‌ରେ ରହୁଥିବା ଜମି ମାଫିଆ ଶିବବ୍ରତ ପଣ୍ଡା ଜମି ହାତେଇବା ପାଇଁ ସେ ଷଡ଼୍‌ଯନ୍ତ୍ର ଆରମ୍ଭ କରିଥିଲେ। ଏହି ଷଡ଼୍‌ଯନ୍ତ୍ରରେ କନିଷି ହାଟପଦା ଗ୍ରାମର ରଂଜିତ କୁମାର ସାହୁ ଓ କେ.ନୂଆଗାଁ ଥାନା ଅଧୀନ ମଇଷାନପୁର ଗ୍ରାମର ସୂର୍ଯ୍ୟନାରାୟଣ ପଣ୍ଡା ସାମିଲ୍‌ ହୋଇଥିଲେ। ଜମି ମାଫିଆମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ଭେଟି ସୋଲାର୍‌ ପ୍ରୋଜେକ୍ସ ସମ୍ପର୍କରେ ବୁଝାଇଥିଲେ ଏବଂ ସମ୍ପୃକ୍ତ ଜମି‌କୁ ଲିଜ୍‌ ସୂତ୍ରରେ ନେଇ ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ‌ପ୍ରଲୋଭନ ଦେଖାଇଥିଲେ। ଜମି ଲିଜ୍‌ ଏଗ୍ରିମେଣ୍ଟ୍‌ ପାଇଁ ଦିଗପହଣ୍ଡି ଉପନିବନ୍ଧକ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ବୋଲି ଜମି ମାଫିଆମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ କହିଥିଲେ। ଚଂଚକତା କରି ସମ୍ପୃକ୍ତ ଜମି ମାଫିଆମାନେ ଉକ୍ତ ଜମିକୁ ଲିଜ୍‌ ସୂତ୍ରରେ ଦେବା ପାଇଁ କହି ଗତ ୨୬/୨୮/୩୦-୯-୨୦୧୯ ତାରିଖରେ ସମସ୍ତ ଚାଷ ଜମିକୁ ଚାରି କିସ୍ତିରେ ମାଫିଆମାନଙ୍କ ନାମରେ ରେଜିଷ୍ଟ୍ରି କରି ନେଇଥିଲେ। ଜମି ରେଜିଷ୍ଟ୍ରି ଦିନ ମାଫିଆମାନେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ଉପନିବନ୍ଧକ କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ସୁଯୋଗ ଦେଇ ନ ଥିଲେ କିମ୍ବା ଉପନିବନ୍ଧକଙ୍କ ଆଗରେ ଏମାନଙ୍କୁ ଉପସ୍ଥିତ କରାଯାଇ ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆର୍‌ଆଇ ସର୍କଲ୍‌ରୁ ଜମି କିଣାବିକା ସମ୍ପର୍କରେ ଆପତ୍ତି ଅଭିଯୋଗ ସଂକ୍ରାନ୍ତରେ ବି. ତୁରୁବୁଡ଼ି ଗ୍ରାମର ଭଦ୍ରବ୍ୟକ୍ତିମାନଙ୍କ ଦସ୍ତଖତ ଲୋଡ଼ିବା ପାଇଁ ଗ୍ରାମରେ ‌ନୋଟିସ୍‌ ପହଞ୍ଚିଥିଲା। ସେତେବେଳେ ଗ୍ରାମରେ ଜମି ବିକ୍ରି ସଂକ୍ରାନ୍ତରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଏବଂ ଚାଷୀ ପୂର୍ଣ୍ଣଚନ୍ଦ୍ରଙ୍କ ନିଦ ହଜି ଯାଇଥିଲା। ଘଟଣା ଦିନଠାରୁ ପୂର୍ଣ୍ଣ ଚନ୍ଦ୍ରଙ୍କ ମାନସିକ ସ୍ଥିତି ଠିକ୍ ରହୁ ନ ଥିଲା। ଆଜି ସକାଳେ ଘରେ କେହି ନ ଥିବା ସମୟରେ ପୂର୍ଣ୍ଣଚନ୍ଦ୍ର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପୁଅ କୃଷ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି। ଜମି ହଡ଼ପ କ୍ଷେତ୍ରରେ ମାଫିଆମାନେ ଯେତିକି ପରିମାଣରେ ଦୋଷୀ ସେତିକି ମାତ୍ରାରେ ଉପନିବନ୍ଧକ କାର୍ଯ୍ୟାଳୟର ମୁଖ୍ୟ କିରାଣି ଓ ଉପନିବନ୍ଧକ କାର୍ଯ୍ୟାଳୟ ଅଧିକାରୀମାନେ ଦୋଷୀ ବୋଲି ଦିଗପହଣ୍ଡି ଥାନାରେ ଦିଆଯାଇଥିବା ଏତଲାରେ ମୃତ ଚାଷୀଙ୍କ ସାନପୁଅ କୃଷ୍ଣଚନ୍ଦ୍ର ଦର୍ଶାଇଛନ୍ତି। ତେଣୁ ଏହାକୁ ନେଇ ସାଧାରଣ‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲାବେଳେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର