ଗଞ୍ଜାମରେ ପୁଣି ଚାଷୀ ଆତ୍ମହତ୍ୟା

ଦାଦନ ଯାଇଛି ପୁଅ, ଝିଅ ଦେଲା ମୁଖାଗ୍ନି

ଛତ୍ରପୁର : ଚାଷ ପାଇଁ କରଜରେ ବୁଡ଼ି ରହିଥିଲେ। ଫସଲ ନଷ୍ଟ ସାଙ୍ଗକୁ ଦାରିଦ୍ର୍ୟ ଓ ଲଗାତାର ଅସୁସ୍ଥତା ଦାଉ ସାଧିଲା। ସମସ୍ୟା ଅସହ୍ୟ ହେବାରୁ ଶେଷରେ କୀଟନାଶକ ପିଇ ଆତ୍ମହତ୍ୟା କରିଦେଲେ। ଗଞ୍ଜାମ ଜିଲ୍ଲାରେ ଏହି ଚାଷୀ ଆତ୍ମହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ଚାଷୀ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ସହଦେବ ଗୌଡ଼(୪୫)।

ଗ୍ରାମର ଏକ ଚାଷଜମି ପାର୍ଶ୍ୱ ନାଳ ନିକଟରୁ ଆଜି ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ଘଟଣାସ୍ଥଳରେ କୀଟନାଶକ ଔଷଧ ବୋତଲ ପଡ଼ିଥିଲା। ତାଙ୍କୁ ତୁରନ୍ତ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା। ପ୍ରାଥମିକ ପରୀକ୍ଷାରୁ ସେ କୌଣସି କୀଟନାଶକ ଔଷଧ ପିଇ ଦେଇଥିବା ଡାକ୍ତର ସୂଚନା ଦେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ରେଫର୍‌ କରାଯାଇଥିଲା। ହେଲେ ଅଧା ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସହଦେବଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା। ବହୁତ ସ୍ଥାନରୁ ହାତ ଉଧାରି କରି ସେ ଋଣଭାରରେ ବୁଡ଼ି ରହିଥିଲେ। ପତ୍ନୀ ନାଇକାଣୀ ଗୌଡ଼ ଅଙ୍ଗନବାଡ଼ି ହେଲପର୍‌ ଭାବେ କାର୍ଯ୍ୟ କରନ୍ତି। ସହଦେବ ୧୦ ଭରଣ ଚାଷ ଜମି ରଇତ ହିସାବରେ ଚାଷ କରୁଥିଲେ। ସେପଟେ ମୁଣ୍ଡ ଉପରେ ଦୁଇ ପୁଅ ଝିଅଙ୍କ ପାଠପଢ଼ା ଏବଂ ଭଲମନ୍ଦ ବୁଝିବା ମଧ୍ୟରେ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ସବୁବେଳେ ସହଦେବ ମାନସିକ ଚିନ୍ତାରେ ରହୁଥିଲେ। ସହଦେବଙ୍କ ପୁଅ ମନୋଜ ବି କିଛି ଦିନ ତଳେ ଅଧାରୁ ପାଠ ଛାଡ଼ି ଦେଇଥିଲା ଓ ସପ୍ତାହେ ତଳେ ହାଇଦ୍ରାବାଦକୁ ଦାଦନ ଖଟିବା ପାଇଁ ଚାଲି ଯାଇଥିଲା।

ପରୀକ୍ଷା ବେଳେ ବାପାଙ୍କ ମୃତ୍ୟୁ ଖବର ପାଇଲେ ମିନତି

ସହଦେବଙ୍କ ଝିଅ ମିନତି ମାଟ୍ରିକ୍‌ ପରୀକ୍ଷା ଦେବାପାଇଁ ଗ୍ରାମରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଯାଇଥିବା ବେଳେ ବାପା ବିଷ ପିଇ ଦେଇଥିବା ଖବର ପାଇଥିଲେ। ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଏପଟେ ତାଙ୍କର ଏକମାତ୍ର ଭାଇ ମନୋଜ ସୁଦୂର ହାଇଦ୍ରାବାଦରୁ ଫେରିବାରେ ବିଳମ୍ବ ହେବା ଦୃଷ୍ଟିରୁ ମିନତିଙ୍କୁ ହିଁ ଆଜି ମୁଖାଗ୍ନି ଦେବାକୁ ପଡ଼ିଥିଲା। ଆସନ୍ତା ୬ ଏବଂ ୮ ତାରିଖରେ ମିନତି ବାକି ରହିଥିବା ଦୁଇଟି ବିଷୟର ପରୀକ୍ଷା ଦେବା ନେଇ ପ୍ରଶ୍ନବାଚୀ ଦେଖାଦେଇଛି।

ସମ୍ବନ୍ଧିତ ଖବର